‘‘ଘରେ ବସି କମ୍ ସମୟରେ ଟଙ୍କା ରୋଜଗାର କରିବାକୁ ଚାହୁଛନ୍ତି? ଏଥିପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କାହାକୁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ। ଘରେ ବସି ମାସିକ ୫୦୦ରୁ ୫୦,୦୦୦ ଟଙ୍କା ରୋଜଗାର କରିପାରିବେ। କେବଳ ସ୍ମାର୍ଟଫୋନ୍ ଥିଲେ ଯଥେଷ୍ଟ। ଆପଣଙ୍କୁ କେବଳ ଏକ ଭିଡିଓ ଲିଙ୍କ୍‌ ପଠାଯିବ। ସେହି ଭିଡିଓକୁ ଆପଣ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଲାଇକ୍‌, ସେୟାର୍‌ ଓ କମେଣ୍ଟ୍‌ କରିବେ। ଯଦି ଏହି ସୁଯୋଗର ଲାଭ ଉଠେଇବାକୁ ଚାହୁଛନ୍ତି ତେବେ ଆମର ୱାଟ୍‌ସ୍‌ଅାପ୍‌ ନମ୍ବର ୯୨୩*****ରେ ଜଏନ୍‌ କରନ୍ତୁ।’’

Advertisment

ଏପରି ବିଜ୍ଞାପନ ଆଜିକାଲି ସମସ୍ତଙ୍କ ‌ଫେସ୍‌ବୁକ୍‌ ଓ ହ୍ବାଟସ୍ଅାପ୍‌କୁୁ ଆସୁଛି। ରୋଜଗାର ଆଶାୟୀ ଯୁବକଯୁବତୀ ଓ ଗୃହିଣୀ ଘରେ ବସି ଅର୍ଥ ହାସଲ କରିବା ଲାଳସାରେ ସାଇବର୍‌ ଅପରାଧୀଙ୍କ ଜାଲରେ ପଡ଼ି କାଙ୍ଗାଳ ହୋଇ ଯାଉଛନ୍ତି। ପ୍ରଥମେ କିଛି ଟଙ୍କା ପଠାଇ ପରେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି ଠକ। ଏହାକୁ ‘ଟେଲିଗ୍ରାମ୍ ଠକେଇ’ କୁହାଯାଉଥିବା ବେଳେ ଆହୁରି ବିଭିନ୍ନ ଧରଣର ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଆସନ୍ତୁ ଜାଣିବା କେମିତି ହେଉଛି ଠକେଇ? ଆପଣ ହ୍ବାଟସ୍‌ଆପ୍ ଜରିଆରେ ଭିଡିଓ ଲିଙ୍କ୍‌ ପାଇବା ପରେ ଲାଇକ୍ ଦେବା ଆରମ୍ଭ କରନ୍ତି। ପ୍ରଥମେ ଏଥିରୁ ୨ରୁ ୩ ହଜାର ଟଙ୍କା ଆକାଉଣ୍ଟ୍‌କୁ ଆସେ। ବିଶ୍ବାସ ଜନ୍ମିଯାଏ ଓ ଅଧିକ ରୋଜଗାରର ଇଚ୍ଛା ବି ବ‌ଢ଼େ। ଧୀରେ ଧୀରେ ଟଙ୍କାର ପରିମାଣ ବଢ଼ିବା ପରେ ମେସେଜ୍‌ ଆସିଯାଏ କି ଅଧିକ ରୋଜଗାର କରିବାକୁ ଚାହୁଁଥିଲେ ବଦଳରେ କିଛି ଟଙ୍କା ଖଟାଇବାକୁ ପଡ଼ିବ। ଏହିଠାରୁ ଆରମ୍ଭ ହୋଇଯାଏ ଠକେଇ ଅଭିଯାନ। ଆପଣ ବିଶ୍ବାସରେ ଟଙ୍କା ପଠାଇ ଚାଲନ୍ତି ଏବଂ ଆପଣଙ୍କ ନିବେଶ ବଢ଼ିବାରେ ଲ‌ାଗେ। ଯେତେବେଳେ ଲକ୍ଷାଧିକ ଟଙ୍କା ‌ପୈଠ କରିବା ପରେ ଆପଣ ଟଙ୍କା ଉଠାଇବାକୁ ଚାହିଁବେ ହଠାତ୍‌ ରାତାରାତି ସେଇ ସାଇଟ୍‌ ବନ୍ଦ ହୋଇଯିବ। ନ ହେଲେ ‌ଦେଖାଇବ- ‘‘ନଟ୍‌ ରେସ୍‌ପଣ୍ଡିଙ୍ଗ୍‌, ଦ ସର୍‌ଭର୍‌ ଇଜ୍‌ ଅଣ୍ଡର୍‌ ପ୍ରୋସେସ୍‌’’। ଅାପଣ ପୁଣି ଏହାକୁ ଲଗ୍‌ ଇନ୍‌ କରିବାକୁ ଚେଷ୍ଟା କରିବେ। ଏହି ପର୍ଯ୍ୟାୟ ଚାଲୁଥିବା ସମୟ ଭିତରେ ଠକମାନେ ସେମାନଙ୍କ ସଂସ୍ଥା ବନ୍ଦ କରି ସାରିଥିବେ। ଆଉ ପୁଲିସ୍‌ ପାଖକୁ ଯାଇ ଅଭିଯୋଗ କରିବା ବେଳକୁ ହାତରେ କିଛି ନ ଥିବ। ଏହିପରି ବହୁତ ଲୋକ ଠକାମିର ଶିକାର ହେଉଛନ୍ତି।

ସୋସିଆଲ୍‌ ମିଡ଼ିଆ ଅଫର୍‌କୁ ସମ୍ପୂର୍ଣ୍ଣ ନା

ପାର୍ଟ ଟାଇମ୍‌ ନିଯୁକ୍ତି ଅଫର୍‌ ଏବେ ସାଇବର୍‌ ଠକେଇର ପ୍ରମୁଖ ଉପାୟ ସାଜିଛି। ଠକେଇ ସଂସ୍ଥାଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ, ମୁଖ୍ୟତଃ ମହିଳାମାନଙ୍କୁ ଜାଲରେ ଫସାଉଛନ୍ତି। ନିକଟରେ ପୁଣେରେ ଜଣେ ଗର୍ଭବତୀ ମହିଳା ଏପରି ଠକାମିର ଶିକାର ହୋଇଥିଲେ। ତାଙ୍କୁ ଏକ ହୋଟେଲ୍‌ ୱେବ୍‌ସାଇଟ୍‌କୁ ଯାଇ ସେଠାକାର ଖାଇବା, ରହିବା ଶୈଳୀ ଉପରେ ଲାଇକ୍‌ ଓ ସୁନ୍ଦର ସୁନ୍ଦର କମେଣ୍ଟ୍‌ କରିବାକୁ କୁହାଯାଇଥିଲା। ଏଥିରେ ସେ ହଜାର ହଜାର ଟଙ୍କା ରୋଜଗାର ମଧ୍ୟ କଲେ। ତା’ପରେ ତାଙ୍କୁ ପ୍ରିମିୟମ୍‌ କଷ୍ଟମର୍‌ ଦର୍ଶାଇ ୫୦ ହଜାର ଟଙ୍କା ଡିପୋଜିଟ୍‌ ଦେବାକୁ କୁହାଗଲା। ଏହା ପରେ ହ୍ୟାକର୍‌ମାନେ ଅନ୍ୟ ଏକ ଆକାଉଣ୍ଟ୍‌ ଖୋଲି ସେଥିରେ ପଇସା ଆସୁଛି ବୋଲି ଦେଖାଉଥିଲେ। ଏହିପରି ତାଙ୍କ ଆକାଉଣ୍ଟ୍‌ରେ ୫୪ ଲକ୍ଷ ଟଙ୍କା ଜମା ହୋଇଗଲା। ଯେତେବେଳେ ଟଙ୍କା ଉଠାଇବା ସମୟ ଆସିଲା, ଠକମାନେ ସେମାନଙ୍କ ଆକାଉଣ୍ଟ୍‌ ବ୍ଲକ୍‌ କରିଦେଲେ। ଫଳରେ ସେ ନିଜର ‌ସଞ୍ଚିତ ଅର୍ଥ ସହିତ ଲାଭ ଟଙ୍କା ବି ହରେଇଥିଲେ। ତେଣୁ ସୋସିଆଲ୍ ମିଡିଆରେ ଆସୁଥିବା ଅଜଣା ଲୋଭନୀୟ ମେସେଜ୍‌କୁ ଗ୍ରହଣ କରନ୍ତୁ ନାହିଁ। କୌଣସି ଲିଙ୍କ୍‌ରେ କ୍ଲିକ୍ ବି କରନ୍ତୁ ନାହିଁ। ସାଇବର୍‌ ଠକେଇରୁ ରକ୍ଷା ମିଳି ପାରିବ।
ପ୍ରଶାନ୍ତ ସାହୁ, ସାଇବର୍‌ ବି‌ଶେଷଜ୍ଞ

ଏହା ସହିତ ଅନଲାଇନ୍ ଲୋନ୍ ଆପ୍, ସପିଂ ସାଇଟ୍, ଫ୍ରି ରିଚାର୍ଜ, ଗିଫ୍ଟ, ଲଟେରି ଲୋଭ ଦେଖାଇ ସାଇବର୍‌ ଠକମାନେ କୋଟି କୋଟି ଟଙ୍କା ଲୁଟୁଛନ୍ତି। ସେହିପରି କମ୍ ସମୟ ମଧ୍ୟରେ ଟଙ୍କାକୁ ଦୁଇ ଗୁଣା, ଚାରି ଗୁଣା ଓ ୫୦ ଗୁଣା ଫେରସ୍ତ ଲୋଭ ଦେଖାଉଛନ୍ତି ସାଇବର୍‌ ଅପରାଧୀ। ଏହି ଅନ୍‌ଲାଇନ୍ ଚିଟ୍‌ଫଣ୍ଡ୍‌ ଜାଲରେ ପଡ଼ି କଷ୍ଟାର୍ଜିତ ଅର୍ଥ ହରାଉଛନ୍ତି ଲୋ‌େକ। ଏବେ ରାଜ୍ୟରେ ଶହ ଶହ ସଂଖ୍ୟାରେ ଅନ୍‌ଲାଇନ୍ ଚିଟ୍‌ଫଣ୍ଡ୍‌ ଚଳାଉଛନ୍ତି ସାଇବର୍‌ ଅପରାଧୀ। ପ୍ରଥମରୁ ଥିବା ସଦସ୍ୟମାନେ ଟଙ୍କା ପାଉଛନ୍ତି। ଲୋଭରେ ପରେ ସଦସ୍ୟ ହେଉଥିବା ଲୋ‌େକ କିନ୍ତୁ ଠକାମିର ଶିକାର ହେଉଛନ୍ତି। କେତେକ ଲୋକଲଜ୍ଜାରେ ଅଭିଯୋଗ କରିପାରୁ ନାହାନ୍ତି। ଠକେଇ ବିଷୟରେ ଯେତେବେଳେ ପୁଲିସ ପାଖରେ ଅଭିଯୋଗ ପହଞ୍ଚୁଛି ସେତେବେଳେ ତଦନ୍ତରୁ ମଧ୍ୟ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି। ଏବେ ଗରିବଙ୍କୁ ସାଇବର୍‌ ଅପରାଧୀମାନେ ଟାର୍ଗେଟ୍ କରୁଛନ୍ତି। ସେମାନଙ୍କର ବ୍ୟାଙ୍କ୍‌ ତଥ୍ୟ ହାସଲ କରି ପ୍ରି-ଆକ୍ଟିଭେଟ୍ ସିମ୍ ଜରିଆରେ ବ୍ୟାଙ୍କ୍‌ କାରବାର କରୁଛନ୍ତି। ସେହିପରି ଅଶିକ୍ଷିତ, ଓ ଅଳ୍ପଶିକ୍ଷିତଙ୍କ ପରିଚୟପତ୍ର ନେଇ ସେମାନଙ୍କ ନାଁରେ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲି ଦେଉଛନ୍ତି। ଏହି ଆକାଉଣ୍ଟକୁ ଠକେଇ ଟଙ୍କା ନେଇ ପରେ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରି ଦେଉଛନ୍ତି।