ସାଧାରଣତଃ ଝଡ଼ ତୋଫାନ ପରି ପ୍ରତିକୂଳ ପାଗ ରହିଲେ କ୍ରୀଡ଼ା କସରତ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥାଏ। ମାତ୍ର ନେଦରଲାଣ୍ଡର ‘ହେଡ୍ଵିଣ୍ଡ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍’ ହେଉଛି ଏଭଳି ଏକ ପ୍ରତିଯୋଗିତା, ଯାହାର ଆୟୋଜନ ପାଇଁ ଝଡ଼ ପବନକୁ ଅପେକ୍ଷା କରାଯାଇଥାଏ। ଏହାକୁ ପୃଥିବୀର କଠିନତମ ପ୍ରତିଯୋଗିତା ଭିତରୁ ଗୋଟିଏ ବୋଲି କୁହାଯାଉଛି। ତାହାର ଇଂରେଜୀ ନାମକରଣରୁ ସ୍ପଷ୍ଟ ଯେ ପ୍ରତିଯୋଗୀମାନେ ପବନର ବିପରୀତରେ ସାଇକେଲ୍ ଚଳାଇଥାନ୍ତି। ଆଗରୁ ପବନ ବହିଲେ ସାଇକଲ୍ ଚଳାଇବା କେତେ କଷ୍ଟକର ହୋଇଥାଏ ତାହା ସମସ୍ତଙ୍କୁ ଜଣା। ତେଣୁ ବିପରୀତ ଦିଗରୁ ଘଣ୍ଟା ପ୍ରତି ୬୦ ମାଇଲ୍ ବା ୧୦୦ କି.ମି. ବେଗରେ ପବନ ବହୁଥିବା ବେଳେ ଦୀର୍ଘ ସାଢ଼େ ଆଠ କି.ମି. ସାଇକେଲ୍ ଚଳାଇବାର ପ୍ରତିଯୋଗିତାରେ ଭାଗ ନେବା କେତେ କଷ୍ଟକର ବ୍ୟାପାର ତାହା ସହଜରେ ଅନୁମେୟ।
ନେଦରଲାଣ୍ଡରେ ଏହି ସ୍ବତନ୍ତ୍ର ଧରଣର ସାଇକଲ ଚାଳନା ପ୍ରତିଯୋଗିତା ୨୦୧୩ ମସିହାରୁ ଆୟୋଜିତ ହୋଇଆସୁଛି। ଭୀଷଣ ଝଡ଼ତୋଫାନ ବେଳେ ସାମୁଦ୍ରିକ ବନ୍ୟାରୁ ମୁକୁଳିବା ପାଇଁ ନେଦରଲାଣ୍ଡର ସ୍କାଉଏନ୍-ଡୁଏଭ୍ଲାଣ୍ଡ ଓ ନୁର୍ଦ-ବେଭେଲାଣ୍ଡ ଦ୍ବୀପ ମଝିରେ ଝଡ଼ ପ୍ରତିରୋଧୀ ବନ୍ଧ ନିର୍ମିତ ହୋଇଛି ଯାହାକୁ ସ୍ଥାନୀୟ ଭାଷାରେ ‘ଉଷ୍ଟରସ୍କେଲ୍ଡେକେରିଂ’ କହନ୍ତି। ସେଠାରେ ଯେତେବେଳେ ଝଡ଼ର ବେଗ ଘଣ୍ଟାପ୍ରତି ୫୦ରୁ ୬୧ କି.ମି. ଥାଏ, ସେହି ସମୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଏ। ଏଥିରେ ସର୍ବାଧିକ ୩୦୦ ଜଣ ପ୍ରତିଯୋଗୀ ଭାଗ ନେଇଥା’ନ୍ତି। ସବୁଠୁ କମ୍ ସମୟରେ ୮.୫ କି.ମି. ଅତିକ୍ରମ କରିପାରୁଥିବା ପ୍ରତିଯୋଗୀ ବିଜେତା ଘୋଷିତ ହୋଇଥା’ନ୍ତି। ଗତ ତିନି ବର୍ଷ ଧରି ପେସାଦାର କ୍ରୀଡ଼ାବିତ୍ ଲିସା ସ୍କିନାର୍ଡ ଏହି ପ୍ରତିଯୋଗିତାର ମହିଳା ବିଭାଗରେ ଚାମ୍ପିଅନ୍ ହୋଇ ଆସୁଛନ୍ତି।