ମହିଳା ସଶକ୍ତୀକରଣ ପାଇଁ ସାଇକେଲ୍‌ ଯାତ୍ରା

ନିର୍ଯାତନାର ଶିକାର ହେଉଥିବା ମହିଳା ଅନେକ ସମୟରେ ପୁଲିସ୍‌ ଥାନାରେ ଅଭିଯୋଗ କରିବାକୁ ଭୟ କରନ୍ତି। ଏହାର ଏକ ପରିଣାମସ୍ୱରୂପ ଅଧିକ ନିର୍ଯାତନା ଭୋଗିବାର ଆଶଙ୍କା ବଢ଼ିଥାଏ। ଥାନାକୁ ଆସିବା ପାଇଁ ମହିଳାଙ୍କୁ ସାହସ ଦେବା ନିମନ୍ତେ ଅକ୍‌ଟୋବର୍‌ରେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଚିତ୍ତୂର ଜିଲ୍ଲାର ଚାରି ଜଣ ମହିଳା ପୁଲିସ୍‌ କର୍ମଚାରୀ ସଚେତନତା ଯାତ୍ରା ଆରମ୍ଭ କରିଥିଲେ, ଯାହା ନିକଟରେ ଶେଷ ହୋଇଛି। ଆନ୍ଧ୍ର ପ୍ରଦେଶ ପୁଲିସ୍‌ ବାହିନୀରେ କାର୍ଯ୍ୟରତ ଏହି ଚାରି ମହିଳା ପୁଲିସ୍‌ କନ୍‌ଷ୍ଟେବଲ୍‌ ହେଲେ- ନିର୍ମଳା, ତିରୂମାଳା, ନାଗରତ୍ନା ଓ ଭାର୍ଗବୀ। ଏମାନେ ପଞ୍ଚଚାଳିଶ ଦିନରେ ୧୨୫୦ କିଲୋମିଟର୍‌ ସାଇକେଲ୍‌ ଯାତ୍ରା କରି, ବିଭିନ୍ନ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଶହ ଶହ ମହିଳାଙ୍କ ସହ ସିଧା-ସଳଖ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଘରୋଇ ହିଂସା, ଯୌନ ଅପରାଧ, ମହିଳା ଚାଲାଣ ଆଦି ଉଦ୍‌ବେଗଜନକ ବିଷୟ ଏହି ଆଲୋଚନା ଅନ୍ତର୍ଭୁକ୍ତ ଥିଲା। ମହିଳାଙ୍କ ଅଧିକାର ସଂପର୍କରେ ସେମାନେ ବୁଝାଇଥିଲେ। ସାହସର ସହ ଆଇନଗତ ପଦକ୍ଷେପ ନେବା ପାଇଁ ଉତ୍ସାହିତ କରିଥିଲେ। ବିଭିନ୍ନ ମହିଳା ସଂଗଠନ, ଆଇନଜୀବୀ ସଂଗଠନ ଓ ଛାତ୍ର ସଂଗଠନ ପକ୍ଷରୁ ଏହି ସାଇକେଲ୍‌ ଅଭିଯାନକୁ ବ୍ୟାପକ ସହଯୋଗ ଓ ସମର୍ଥନ ମିଳିଥିଲା।

ସମ୍ବନ୍ଧିତ ଖବର