ବାତ୍ୟା ‘ବିପର୍ଯ୍ୟୟ’ ତାଣ୍ଡବ ରଚୁଥିବା ବେଳେ ଦେବଦୂତ ସାଜିଲା ପୁଲିସ; ନବଜାତ ଓ ମା’ର ବଞ୍ଚାଇଲା ଜୀବନ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ ଗୁଜୁରାଟର ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି। ବିଭିନ୍ନ ସ୍ଥାନରେ ବାତ୍ୟା ହେତୁ ଅନେକ କ୍ଷତି ହୋଇଥିବାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଏକ ହୃଦୟସ୍ପର୍ଶୀ ଘଟଣା ବି ସାମ୍ନାକୁ ଆସିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭାଇରାଲ ଭିଡିଓରେ ଜଣେ ମହିଳା ପୁଲିସକର୍ମଚାରୀ ଅନେକ ଲୋକଙ୍କୁ ବାତ୍ୟା ‘ବିପର୍ଯ୍ୟୟ’ ସମୟରେ ସୁରକ୍ଷିତ ସ୍ଥାନକୁ ନେଇ ଯାଉଛନ୍ତି। ଏହି ସମୟରେ ସେ ୪ଦିନର ନବଜାତ ଓ ତାର ମା’କୁ ଧରି ସୁରକ୍ଷିତ ସ୍ଥାନକୁ ଦୌଡ଼ି ଯାଉଥିବା ବି ଦେଖିବାକୁ ମିଳୁଛି।
ଏହି ଘଟଣାର ଭିଡିଓକୁ ଗୁଜୁରାଟର ପର୍ଯ୍ୟଟନ ମନ୍ତ୍ରୀ ଟୁଇଟ କରିଛନ୍ତି। ଏହି ଭିଡିଓର ରିଟୁଇଟ କରି ଗୁଜୁରାଟ ଡିଜିପି ଲେଖିଛନ୍ତି, ‘ଯଦି ଆପଣ ଗୁଜୁରାଟ ପୁଲିସ ହାତରେ ଅଛନ୍ତି। ତେବେ ଆପଣ ସବୁଠାରୁ ସୁରକ୍ଷିତ ହାତରେ ଅଛନ୍ତି।’

 

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ଗୁଜୁରାଟର ବରଦା ଡୁଙ୍ଗରର ରହିଛି। ଯେଉଁଠାରେ ୪ଦିନ ପୂର୍ବରୁ ଜନ୍ମ ନେଇଥିବା ଶିଶୁ ଓ ତା’ର ମା’କୁ ପୁଲିସ ବାତ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଥିଲା।

ଗୁରୁବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨୫ରୁ ୧୪୦କିମି ପ୍ରତିଘଣ୍ଟା ବେଗରେ ପବନ ହେବା ସହିତ ବର୍ଷା ବି ହୋଇଥିଲା। ଏହି ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ୨୨ଲୋକ ଆହତ ହୋଇଥିବା ବେଳେ ୨୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ବାତ୍ୟା ଗୁଜୁରାଟର ୯୪୦ଟି ଗ୍ରାମ ଦେଇ ରାଜସ୍ଥାନ ଆଡକୁ ଚାଲିଯାଇଛି।

ସମ୍ବନ୍ଧିତ ଖବର