ଲଙ୍ଗୟର୍ବେନ୍
ନରେଓ୍ଵର ଲଙ୍ଗୟର୍ବେନ୍ ସହରରେ ଖୁବ୍ ଥଣ୍ଡା ପଡ଼େ। ଏଇଟା ଅବଶ୍ୟ ଏତେ ବଡ଼ ସହର ନୁହେଁ। ମାତ୍ର ଦୁଇ ହଜାର ଲୋକ ଏବେ ଏଠାରେ ବସବାସ କରୁଛନ୍ତି। ଗତ ୭୦ ବର୍ଷ ଧରି ଏହି ସହରରେ କାହାର ଅନ୍ତିମ ସଂସ୍କାର କରାଯାଇ ନାହିଁ। ଏହି ସହରରେ କାହାର ମୃତ୍ୟୁ ଘଟିଲେ ତା’ର ମୃତଦେହ ସହଜରେ ନଷ୍ଟ ହୁଏ ନାହିଁ, ସେମିତି ସତେଜ ରହେ। ୧୯୧୭ରେ ଏଠାରେ ଜଣେ ବ୍ୟକ୍ତିର ଇନ୍ଫ୍ଲୁଏଞ୍ଜାରେ ମୃତ୍ୟୁ ହେବା ପରେ ବର୍ଷ ବର୍ଷ ଧରି ତା’ର ମୃତଦେହରେ ଭାଇରସ୍ଗୁଡ଼ିକ ସେମିତି ରହିଥିଲେ। ଏହି ଘଟଣାରୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା ଯେ ଏ ସହରରେ କେହି ମୃତ୍ୟୁବରଣ କରିବା ଅନୁଚିତ। ତେଣୁ ଏ ସହରରେ କୌଣସି ବ୍ୟକ୍ତିର ଆସନ୍ନ ମୃତ୍ୟୁ ଜଣାଗଲେ ତାଙ୍କୁ ହେଲିକପ୍ଟର ଯୋଗେ ଅନ୍ୟସ୍ଥାନକୁ ପଠାଇ ଦିଆଯାଇଥାଏ। ମୃତ୍ୟୁ ପରେ ସେଇଠି ତାଙ୍କର ସଂସ୍କାର କାର୍ଯ୍ୟ କରାଯାଇଥାଏ।
ସରପୋରେକ୍ସ
ଫ୍ରାନ୍ସର ଏକ ସୁନ୍ଦର ସହର ସରପୋରେକ୍ସ। ତେବେ ଏହି ସହରରେ କାହାକୁ ମୃତ୍ୟୁ ପାଇଁ ଅନୁମତି ମିଳି ନାହିଁ। ଏହାର ଏକମାତ୍ର କାରଣ ହେଲା ବଢ଼ିଚାଲିଥିବା କବର ସ୍ଥାନକୁ ଆଉ ବଢ଼ିବାକୁ ନ ଦେବା। ମୃତଦେହକୁ କବର ଦେବା ପାଇଁ ଏଠାରେ ସ୍ଥାନର ଅଭାବ ଦେଖାଗଲାଣି। ସେଥିପାଇଁ ସରକାର ଏଠାରେ ଆଇନ କରିଛନ୍ତି, ଏଠାରେ କବରସ୍ଥାନକୁ ଆଉ ବଢ଼ାଯାଇ ପାରିବ ନାହିଁ କାହାର ମୃତ୍ୟୁ ପାଇଁ ଅନୁମତି ମିଳିବ ନାହିଁ।
ସେହିପରି ଫ୍ରାନ୍ସର ଆଉ ଏକ ସହର ହେଉଛି ଲେ ଲମ୍ବେଡୋ। ଏଠାକାର ପୌର ମୁଖ୍ୟଙ୍କୁ ସମୁଦ୍ର କୂଳରେ କବରଟିଏ ପାଇଁ ଅନୁମତି ନ ମିଳିବାରୁ ସେ ଏକ ବିଲ୍ ପାସ୍ କରାଇ ଏହି ସହରରେ ଲୋକଙ୍କ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫ୍ରାନ୍ସର ଆଉ ଏକ ସ୍ଥାନ କଗ୍ନୌକ୍ସରେ ମଧ୍ୟ ସ୍ଥାନାଭାବରୁ ସେଠାରେ ମୃତ୍ୟକୁ ବାରଣ କରାଯାଇଛି।
ବିରିରିବା-ମିରିମ
ବ୍ରାଜିଲ୍ରେ ରହିଛି ଏହି ସହର ବିରିରିବା-ମିରିମ। ଦିନକୁ ଦିନ ସହରରେ ବଢ଼ି ଚାଲିଥିବା ପରିବେଶ ଜନିତ ସମସ୍ୟାକୁ ସୁଧାରିବା ପାଇଁ ଏହି ସହରର ମେୟର ୨୦୦୫ରେ ଏକ ବିଲ୍ ପାସ୍ କରାଇଥିଲେ। ସେବେଠୁ ସହରରେ ଲୋକଙ୍କ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସେଲିୟା
ଇଟାଲିରେ ରହିଛି ଏହି ଦ୍ୱୀପ ସେଲିୟା। ଏହି ଦ୍ୱୀପରେ ରହୁଛନ୍ତି ପାଞ୍ଚଶହରୁ ଅଧିକ ଲୋକ। ଏଠାକାର ଅଧିକାଂଶ ବାସିନ୍ଦାଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ। ଏଠାକାର ମେୟର ଜନତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। କେହି ଯେପରି ରୋଗଗ୍ରସ୍ଥ ହେଇ ମୃତ୍ୟୁ ମୁଖରେ ନ ପଡ଼ନ୍ତୁ ସେଥିପାଇଁ ଏଭଳି ନିୟମ କରାଯାଇଛି। ପରୋକ୍ଷରେ କହିଲେ ମୃତ୍ୟୁକୁ ଏଠାରେ ବାରଣ କରାଯାଇଛି।
ଇଟାଲିର ଏହିପରି ଆଉ ଏକ ସ୍ଥାନ ରହିଛି ଫାଲ୍ସିଆନୋ ଡେଲ୍ ମେସିକୋ। ଏହି ସହରର ଜନସଂଖ୍ୟା ମଧ୍ୟ କମ୍ ଥିବାରୁ ଏଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଠାକାର ଲୋକେ ମୃତ୍ୟୁ ପାଇଁ ଅନ୍ୟ ସହରକୁ ଚାଲିଯାଆନ୍ତି।
ଇତ୍ସୁକୁସିମା
୧୮୭୮ ମସିହା ପରଠାରୁ ଜାପାନର ଏହି ସହରଟିରେ ଜନ୍ମ ଏବଂ ମୃତ୍ୟୁ ଉଭୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶିଣ୍ଟୋଜିମ୍ ଧର୍ମରେ ଏହି ଇତ୍ସୁକୁସିମା ଦ୍ୱୀପକୁ ଏକ ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଇଛି। ଏହାର ପବିତ୍ରତା ରକ୍ଷା ପାଇଁ ଏଠାରେ ମୃତ୍ୟୁକୁ ନିଷେଧ କରାଯାଇଥିବା କୁହାଯାଏ।
ଲଞ୍ଜାରୋନ
ସ୍ପେନ୍ର ଲଞ୍ଜାରୋନ ନିକଟବର୍ତ୍ତୀ ଏକ ଗାଁ ହେଉଛି ଏଣ୍ଡଲୁସିୟନ୍। ଏଠାରେ ପ୍ରାୟ ଚାରିହଜାର ଲୋକ ବସବାସ କରୁଛନ୍ତି। ଏବେ ଏଠାରେ ବଡ଼ ସମସ୍ୟା ହେଲା କବର ପାଇଁ ଏଠାରେ ଆଉ ସ୍ଥାନ ନାହିଁ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏ ସହରେ ମରିବା ମନା!
ଏ ସହରେ ମରିବା ମନା
/sambad/media/post_attachments/wp-content/uploads/2017/11/Maker-Taker-Blog-Image.jpg)
/sambad/media/agency_attachments/2024-07-24t043029592z-sambad-original.webp)
