ହୋ ଭକତେ… ହୋ….। ରଥଯାତ୍ରାରେ ଜନସମୁଦ୍ର ମଧ୍ୟରେ ଡାହୁକ ଯେବେ ଏହି ଡାକ ଦିଏ, ଭକ୍ତ ସମାଜ ସେହି ବୋଲିକୁ କାନେଇଥାଏ। ବୋଲି ଶୁଣିବା ପରେ ହରିବୋଲ ପକାଇ ଏକ ଦିଗକୁ ବେତ ହଲାଇ ରଥକୁ ସେଇଦିଗରେ ବାହି ନେବାକୁ ଡାହୁକ ଇସାରା ଦିଏ। ରଥକୁ ବାହି ନେବା ପାଇଁ ଲାଗିଥିବା ପ୍ରତୀକ ସ୍ବରୂପ ଘୋଡ଼ା ଉପରେ ସବାର ହୋଇ ରଥର ମାର୍ଗ ଦେଖାଇବାରେ ପ୍ରମୁଖ ଭୂମିକା ନିର୍ବାହ କରେ ଡାହୁକ। ପୂର୍ବରୁ ଅଶ୍ଳୀଳ ବୋଲି ପ୍ରଚଳିତ ଥିବାରୁ ଏହାକୁ ‘କର୍ମାଙ୍ଗୀ ମାଦଳା’ରେ ଏହାକୁ ‘ଅକଥ୍ୟ’ ଆଖ୍ୟା ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ୧୯୯୫ ବେଳକୁ ଅଶ୍ଳୀଳ ବୋଲି ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୋକ ଲାଗିଲା। ସ୍ବତନ୍ତ୍ର ଡାହୁକ ଗୀତ ପ୍ରସ୍ତୁତ କରାଗଲା। ଭକ୍ତି ଓ ଉତ୍ସାହପ୍ରଦ ପଦାବଳୀକୁ ସଂଯୋଗ କରି ବୋଲି ବୋଲାଗଲା। ନେତ୍ର ଉତ୍ସବରେ ରଥଖଳାରୁ ସିଂହଦ୍ବାର ସମ୍ମୁଖକୁ ରଥଟଣା, ଶ୍ରୀଗୁଣ୍ଡିଚା ଯାତ୍ରା, ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଦକ୍ଷିଣୀ ମୋଡ଼ ଏବଂ ବାହୁଡ଼ା ଯାତ୍ରାର ରଥଟଣା ସମୟରେ ଡାହୁକମାନେ କାର୍ଯ୍ୟ ସମ୍ପାଦନ କରନ୍ତି। ଉଭା ଅମାବାସ୍ୟାରେ ସଂକଳ୍ପ ନେବା ପରେ ଡାହୁକ ସେବା ଆରମ୍ଭ ହୁଏ। ନେତ୍ରୋତ୍ସବ ଦିନ ରଥରେ ନେତ ଲାଗିବା ପରେ ସିଂହଦ୍ବାର ଚକଡ଼ାକୁ ରଥଟଣାଠାରୁ ଏହି ଡାହୁକ ସେବା ଆରମ୍ଭ ହୁଏ।
ଡାହୁକମାନେ ସ୍ନାନପୂର୍ଣ୍ଣିମା ଦିନଠାରୁ ଆଷାଢ଼ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅରୁଆ ଖାଆନ୍ତି। ଧୋତି, ଡୋରି ଓ ଚିତା ମାରି ହାତରେ ବେତ ଧରି ନିଜର କାର୍ଯ୍ୟ ସମ୍ପାଦନ କରନ୍ତି। ମୁଖ୍ୟତଃ ରଥଯାତ୍ରା ବେଳେ ବିଭିନ୍ନ ପ୍ରକାରର ବୋଲି ବୋଲି ଭକ୍ତଙ୍କୁ ରଥଟଣାପାଇଁ ଉତ୍ସାହିତ କରନ୍ତି। ସଂପ୍ରତି ପ୍ରଚଳିତ ଥିବା ବୋଲି ମଧ୍ୟରେ ‘ହୋ ଭକତେ, ହୋ…, ଅଦିନ ଆମ୍ବ ବଉଳ, ତତେ ନେଇଯିବି ଯାତ ଦେଖେଇ, ଚାଲେ ଯିବା ବଡ଼ ଦେଉଳ…ରେ..। ଆଜି ସେହିପରି ରହିଛି, ‘ହୋ ଭକତେ… ହୋ.., ଅଠରନଳାରେ ଅଠରବାଙ୍କ, ପୁଣି ପ୍ରେମ ପାଇଁ ସେତ ରସିକ ରଙ୍କ, ବଡ଼ଦାଣ୍ଡେ ବଡ଼ ଡାକରେ…। ବାସ୍ତବରେ ବୋଲିର ସ୍ବତନ୍ତ୍ର ଶକ୍ତି ଥାଏ। ଭକ୍ତମାନଙ୍କୁ ଏକମନ ଏକପ୍ରାଣ ହୋଇ ରଥ ଟାଣି ନେବାରେ ଏହା ଯେମିତି ସେମାନଙ୍କୁ ଶକ୍ତି ଯୋଗାଇ ଦିଏ।
ବଂଶଗତ ସୂତ୍ରରେ ପିଢ଼ି ପରେ ପିଢ଼ି ଡାହୁକ ସେବାକୁ ଆପଣାଇ ଆସୁଛନ୍ତି ନିର୍ଦ୍ଦିଷ୍ଟ ପରିବାର। ଅନ୍ୟ ସମୟରେ ବିଭିନ୍ନ କ୍ଷେତ୍ରରେ ଶ୍ରମ କିମ୍ବା କୃଷିକାର୍ଯ୍ୟରେ ନିୟୋଜିତ ହେଉଥିଲେ ହେଁ, ରଥଯାତ୍ରା ଆସିଲେ ଉନ୍ମାଦନା ଭରିଯାଏ। ଡାହୁକ ବୋଲି ବହିରୁ ପଢ଼ି ଅଭ୍ୟାସ କରନ୍ତି। ପିଲାମାନେ ମଧ୍ୟ ବୋଲି ଅନୁକରଣ କରି ଶିଖନ୍ତି। ରଥ ଉପରେ ବୋଲି ଦେଇ ବେତକୁ ଦୁଇ ହାତରେ ଚଳାଇ ଅଣ୍ଟାକୁ ଉଠପଡ଼ କରି ‘‘ହୋ ଭଗଗତେ...’’ ଡାକ ଦେବା ବେଳେ ଭକ୍ତ ବେଶ୍ ଉତ୍ସାହରେ ‘‘ହୋ…’’ ବୋଲି ଜବାବ ଦେବାର ଦୃଶ୍ୟ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରେ।
ସଂପ୍ରତି ତିନିରଥରେ ରଥ ଡାହୁକ ଭାବେ ୮ ଜଣ ନିୟୋଜିତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ରମେଶ ଆଳୁକ ଓ କ୍ଷେତ୍ରବାସୀ ଆଳୁକ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ସ୍ବରାଜ ପ୍ରଧାନ, ସାଧୁ ପ୍ରଧାନ ଓ ମାଧବ ପ୍ରଧାନ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବାଳକୃଷ୍ଣ ପ୍ରଧାନ, ଉଚ୍ଛବ ପ୍ରଧାନ ଓ ଧଡ଼ିଆ ରାଉତ ଡାହୁକ ଦାୟିତ୍ବ ବହନ କରି ଆସୁଛନ୍ତି। ବାଟମଙ୍ଗଳାସ୍ଥିତ ମଙ୍ଗରାଜପୁର, ଡେଲାଙ୍ଗର ବେରବୋଇ, ନୃସିଂହନାଥ କଞ୍ଚି, ହନ୍ତୁକସ୍ଥିତ ଅମୁରି ବନସ୍ତପଦା, ଖଣ୍ଡିଆବନ୍ଧ ଗ୍ରାମରେ ଡାହୁକମାନେ ରହୁଥିବା ବେଳେ ପ୍ରତ୍ୟେକଙ୍କୁ ରଥଯାତ୍ରା ବେଳେ ସ୍ବତନ୍ତ୍ର ପୁରସ୍କାର ରାଶି ପ୍ରଦାନ କରାଯାଏ। ୯ ହଜାର ଟଙ୍କା ଲେଖାଏଁ ପୁରସ୍କାର ସ୍ବରୂପ ଦିଆଯାଏ। ଏଥିପାଇଁ ପ୍ରତ୍ୟେକ ରଥଯାତ୍ରାରେ ସେ ଜଙ୍ଗଲରୁ ଏକ ବେତ ସଂଗ୍ରହ କରି ସାଢ଼େ ୬ ଫୁଟ ଲମ୍ବର ଏକ ବେତକୁ ପୂଜା ଘରେ ପୂଜା କରି, ଉଭା ଅମାବାସ୍ୟାରେ ସଂକଳ୍ପ ନେବା ପରେ କାର୍ଯ୍ୟ ଆରମ୍ଭ କରନ୍ତି। ବାସ୍ତବରେ ଏହି ବେତ ମହାପ୍ରଭୁଙ୍କ ରଥ ସ୍ପର୍ଶ ପାଇଥିବାରୁ ଏବଂ ମହାପ୍ରଭୁଙ୍କ କାର୍ଯ୍ୟରେ ବିନିଯୋଗ ହୋଇଥିବାରୁ ଭକ୍ତମାନେ ଏହାକୁ କିଣି ନେବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ପ୍ରାୟ ୧୦ରୁ ୧୫ ହଜାର ଦେଇ ଏହି ବେତକୁ କିଣି ନେବା ଦେଖିବାକୁ ମିଳେ। ତେଣୁ ପ୍ରତିବର୍ଷ ବେତ ସଂଗ୍ରହ କରାଯାଏ।