ଦୈନିକ କରୋନା ଆକ୍ରାନ୍ତ ଶୂନ, ତଥାପି ରୋକ୍‌

ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରୁନି

ଭୁବନେଶ୍ୱର : ରବିବାର କୋରାପୁଟ, ସୋନପୁର ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ବୌଦ୍ଧ, ମାଲକାନଗିରି ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ନୟାଗଡ଼ ଜିଲ୍ଲାରେ ଏକ ଅଙ୍କ ସଂଖ୍ୟା ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଅଧିକାଂଶ ଜିଲ୍ଲାରେ ବହୁବାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି ଦୁଇ ଅଙ୍କ ଭିତରେ ରହିଛି। ହେଲେ ଏଠାରେ ମନ୍ଦିର କି କୌଣସି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ନାହିଁ।

ଏଠାରେ ଜିଲ୍ଲା ପ୍ରଶାସନ ‌ଯେପରି ମନ୍ଦିର, ଧର୍ମାନୁଷ୍ଠାନ ଖୋଲିବାକୁ ଚାହୁଁନି ସେହିଭଳି ମୁଡ୍‌ରେ ଥିବା ଲାଗୁଛି। ଯେଉଁ କରୋନା ସଂକ୍ରମଣ ଭୟ ଦେଖାଇ ସବୁ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ ଏବେ ସେ ଭୟ ନଥିଲେ ବି ଖୋଲିବାକୁ ଡରୁଛନ୍ତି।

କେନ୍ଦ୍ରାପଡ଼ାରେ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଥିଲେ ବି ବଳଦେବ ଜୀଉ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇପାରୁନି। କଳାହାଣ୍ଡି ଜିଲ୍ଲାରେ ମା’ ମାଣିକେଶ୍ବରୀଙ୍କ ମନ୍ଦିର ସମେତ ବାକି ମନ୍ଦିର କେବେ ଖୋଲିବ ସେନେଇ ଆସନ୍ତା ୧୮ତାରିଖରେ ବସିବାକୁ ଥିବା ଜିଲ୍ଲା ପ୍ରଶାସନ ବୈଠକରେ ନିଷ୍ପତ୍ତି ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ମନ୍ଦିର ସମେତ ବାକି ମନ୍ଦିର ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହା ଜାନୁଆରି ୧‌ରୁ ଖୋଲିବ କି କେବେ ଖୋଲିବ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି ବୋଲି ଜିଲ୍ଲା ପ୍ରଶାସନ କହିଛି।

ସେହିପରି ବାଲେଶ୍ବରରେ କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର, ନୀଳଗିରି ପଞ୍ଚଲିଙ୍ଗେଶ୍ବର, ଚନ୍ଦନେଶ୍ବର ଓ ଭୂଷଣ୍ଡେଶ୍ବର ମନ୍ଦିର ଏବେ ଖୋଲାଯିବାର ନାହିଁ। ସ୍ଥିତି ଦେଖି ମନ୍ଦିର ପରିଚାଳନା କମିଟିଗୁଡିକ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି। କେନ୍ଦୁଝରରେ ମା’ ତାରିଣୀଙ୍କ ମନ୍ଦିରଙ୍କ ବି କେବେ ଖୋଲିବ ସେନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇନି।

ଝାରସୁଗୁଡ଼ା, ଗଞ୍ଜାମ, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ସୋନପୁର, ନୟାଗଡ଼, ସୁନ୍ଦରଗଡ଼, ଜଗତସିଂହପୁର, ଢେଙ୍କାନାଳରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ କେବେ ଖୋଲିବ ସେ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନେଇପାରିନି।

ସମ୍ବନ୍ଧିତ ଖବର