ଦଇତାପତି ନିଭାନ୍ତି ପହଣ୍ଡି ନୀତି: ଦୁର୍ଗାପ୍ରସାଦ ଦାସ ମହାପାତ୍ର (ଦଇତାପତି ସେବକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ)

ଯେବେଠୁ ନୀଳମାଧବ ଶ୍ରୀଜଗନ୍ନାଥ ରୂପରେ ପୂଜା ପାଇଲେ ସେବେଠୁ ବିଶ୍ବାବସୁ ଓ ବିଦ୍ୟାପତିଙ୍କ ବଂଶଧର ଦଇତା ଓ ପତି ରୂପେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବାରେ ନିୟୋଜିତ। ଅନବସର ସମୟରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହେଲେ ଦଇତା ଓ ପତିମାନେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଗୁପ୍ତ ନୀତି ସମ୍ପାଦନ କରନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ଦଇତାପତିମାନେ ନିୟୋଜିତ ହୁଅନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ମୁତାବକ, ପହଣ୍ଡି ନୀତି ଦଇତାପତି ସେବକମାନଙ୍କ ଦ୍ବାରା କରାଯିବାର ବିଧି ରହିଛି। ପୂଜାପଣ୍ଡା ସେବକ ଓ ପୁଷ୍ପାଳକ ସେବକମାନେ ଡୋର ଧରୁଥିଲେ ମଧ୍ୟ ଦଇତାପତିମାନେ ପ୍ରମୁଖ ଭାବେ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବ ଓ ପହଣ୍ଡି କାର୍ଯ୍ୟ ନିଭାଇଥାଆନ୍ତି।

ସ୍ନାନପୂର୍ଣ୍ଣିମା ପୂର୍ବରୁ ଦଇତାପତିଙ୍କର ଘର ଧଉଳା ଯାଏ। ଶୁଦ୍ଧପୂତ ଭାବେ ଦଇତାପତି ସେବକମାନେ ନୂଆ ବସ୍ତ୍ର ପିନ୍ଧନ୍ତି ଏବଂ ମହାପ୍ରଭୁ ସ୍ନାନ କରିଥିବା ଜଳରେ ନୂଆ ଚୁଲିରେ ହବିଷ୍ୟାନ୍ନ ପ୍ରସ୍ତୁତ କରାଯାଏ। ମାସେ ପର୍ଯ୍ୟନ୍ତ ଦଇତାପତି ସେବକମାନେ ଗୋଟେ ଓଳି ହବିଷ୍ୟାନ୍ନ ଖାଇ ସେବା କରନ୍ତି। ଅଣସର ଘରେ ଖଣ୍ଡିଏ ଶ୍ବେତ ଗାମୁଛା ପରିଧାନ କରି ସେମାନେ ଗୁପ୍ତ ସେବା କରିଥାଆନ୍ତି। କେବଳ ଘଣାଲାଗି ପାଇଁ ୨୦ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ। ରଥଯାତ୍ରା ପୂର୍ବଦିନ ସେନାପଟା ଲାଗି କରାଯାଏ। ପରଦିନ ସକାଳେ ସକାଳ ଧୂପ ପରେ ରଥ ଉପରକୁ ଶ୍ରୀବିଗ୍ରହଙ୍କୁ ବିଜେ ପାଇଁ ଦଇତାପତିମାନେ ପ୍ରସ୍ତୁତି କରନ୍ତି। ପହଣ୍ଡି କରି ମହାପ୍ରଭୁଙ୍କୁ ରଥ ଉପରକୁ ବିଜେ କରିଥାଆନ୍ତି। ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଚାରମାଳ ବନ୍ଧା ଯାଇ ସନ୍ଧ୍ୟାଧୂପ କରାଯିବା ପରେ ଶ୍ରୀଜିଉଙ୍କୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ପହଣ୍ଡି କରନ୍ତି। ସନ୍ଧ୍ୟାଦର୍ଶନ ଦିନ ବଡ଼ସିଂହାର ସରିବା ପରେ ଦଇତାପତିଙ୍କ ଦ୍ବାରା ବାହୁଟକଣ୍ଟ କରାଯିବା ପରେ କୋଠସୁଆଁସିଆଙ୍କ ଦ୍ବାରା ଚାର ବନ୍ଧାଯାଏ। ଦଇତାପତି ସେବକମାନେ କୁସୁମି ଲାଗି କରିବା ପରେ ପରବର୍ତ୍ତୀ ନୀତି କରାଯାଏ। ମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହୁଏ। ସେଠାରୁ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଆସି ଶ୍ରୀଜଗନ୍ନାଥଙ୍କ ରଥ ରାଜ ନଅର ନିକଟ‌ରେ ହେବା ପରେ ଲକ୍ଷ୍ମୀ ନାରାୟଣ‌ ଭେଟ ଗଜପତି ମହାରାଜାଙ୍କ ଦ୍ବାରା ସମ୍ପାଦିତ ହୁଏ।

ପରଦିନ ଦଇତାପତି ଓ ପାଳିଆ ପୁଷ୍ପାଳକ ସେବକଙ୍କ ଦ୍ବାରା ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ କରାଯାଇଥାଏ। ନୀଳାଦ୍ରି ବିଜେ ଦିନ ସନ୍ଧ୍ୟା ଧୂପ ପରେ ଦଇତାପତିଙ୍କ ଦ୍ବାରା ରତ୍ନସିଂହାସନକୁ ପହଣ୍ଡି ବେଳେ ଜୟ ବିଜୟ ଦ୍ବାର ନିକଟରେ ଦଇତାପତି, ମହାଲକ୍ଷ୍ମୀଙ୍କ ପ୍ରତିନିଧି ଓ ପାଳିଆ ପୁଷ୍ପାଳକ ସେବକଙ୍କ ମଧ୍ୟରେ ବଚନିକା ହୁଏ। ବଚନିକା ପରେ ମହାଲକ୍ଷ୍ମୀ ରୋଷ ତେଜି ଦ୍ବାର ଫିଟାଇବାକୁ ନିର୍ଦେଶ ଦିଅନ୍ତି। ଏହି ସମୟରେ ରୁକ୍ମିଣୀ ବିବାହ ପରଠୁ ଫିଟିନଥିବା ଗଇଣ୍ଠାଳ ମଧ୍ୟ ଫିଟାଯାଏ। ଦଇତାପତି ସେବକମାନେ ଶ୍ରୀବିଗ୍ରହଙ୍କୁ ନେଇ ସିଂହାସନରେ ରୁନ୍ଧିଥାଆନ୍ତି।

କେବଳ ରଥଯାତ୍ରା ନୁହେଁ; ଚିତାଲାଗି, ରାହୁରେଖା ଲାଗି, ପଇତା ଲାଗି, ଘସାପଟା ଲାଗି ଭଳି ଗୁପ୍ତ ନୀତି ସମେତ ଗହ୍ମାପୂର୍ଣ୍ଣିମା, ରାଧାଷ୍ଟମୀ, କୁମାର ପୂର୍ଣ୍ଣିମାରେ ସୁଦର୍ଶନଙ୍କୁ ଚାରି ଆଶ୍ରମ ବିଜେ କରିବାରେ ମଧ୍ୟ ଦଇତାପତିମା‌ନଙ୍କର ଭୂମିକା ଥାଏ। ଦଇତାପତିମାନେ ଗୋଷ୍ଠୀଗତ ଭାବେ ସେବା ପ୍ରଦାନ କରିଥାନ୍ତି। ସଂପ୍ରତି ଦଇତାପତି ସେବକଙ୍କ ସଂଖ୍ୟା ୧୯୮। ଦଇତାପତି ପରିବାରରେ ଜନ୍ମ ନେଉଥିବା ପୁତ୍ର ସନ୍ତାନ ୨୧ ଦିନର ହେବା ପରେ ଅନବସର ସମୟରେ ତାଟିରେ ପ୍ରବେଶ କରାଇବା ପରେ ସେ ଦଇତାପତି ସେବକ ଭାବେ ଗଣାଯିବାର ବିଧି ପ୍ରଚଳିତ। ତେବେ ଦଇତାପତି ସେବକମାନଙ୍କୁ ସେବା ପାଇଁ ବିଧିବଦ୍ଧ ଭାବେ ଶାଢ଼ି ବନ୍ଧାଇବାକୁ ପ‌ଡ଼େ ନାହିଁ। କେବଳ ବନଯାଗ ସମୟରେ ଯେଉଁ ଦଇତାପତି ସେବକମାନେ ଦାରୁ ଆଣିବା ପାଇଁ ଯାଆନ୍ତି, ସେମାନେ ଶାଢ଼ି ବନ୍ଧାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେଉଥିବା ଆୟ ଆମଦାନିକୁ ଦଇତାପତି ସେବକଙ୍କ ମଧ୍ୟରେ ବଣ୍ଟାଯାଏ। ସମସ୍ତଙ୍କୁ ସମାନ ଭାଗ ନଦେଇ ପୂରା ଭାଗ, ଅଧା ଭାଗ, ଆସ୍ଥା ଓ ମୁଣ୍ଡ ହିସାବରେ ଭାଗ କରି ପାଉଣା ବଣ୍ଟାଯିବାର ବିଧି ରହିଛି।

ସମ୍ବନ୍ଧିତ ଖବର