ଡାକୋଟା ବିମାନ ଓଡ଼ିଶାକୁ ଫେରିବା ପଛରେ ବିଶିଷ୍ଟ ଗବେଷକ ତଥା ଐତିହାସିକ ଅନୀଲ ଧୀରଙ୍କ ବଡ଼ ଅବଦାନ ରହିଛି। ବିମାନର ଇତିହାସ ସମ୍ପର୍କରେ ସେ ଦେଇଥିବା ସୂଚନା ଅନୁଯାୟୀ ଯେ ୧୯୪୪ ଫେବ୍ରୁଆରି ମାସରେ ଏହି ଡାକୋଟା ବିମାନ ପ୍ରଥମେ ଉଡ଼ାଣ କରିଥିଲା। ପ୍ରଥମେ ଏହା କିଛି ବର୍ଷ ୟୁରୋପରେ ଉଡ଼ିବା ପରେ ଭାରତକୁ ଆସିଥିଲା। ଭାରତର ଚକୁଳିଆ ଚାବୁଆ ଏୟାରବେସ୍ରେ ଏହାକୁ ରଖାଯାଇଥିଲା। ଏହି ବିମାନ ଯାତ୍ରୀବାହୀ ନୁହେଁ, ମାଲ୍ବାହୀ ବିମାନ ଅଟେ। ସେ ସମୟରେ ଭାରତରୁ ଚୀନ୍କୁ ବିଭିନ୍ନ ସାମଗ୍ରୀ ଯୋଗାଣ କରାଯାଉଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହି ବିମାନ ମଧ୍ୟ ବ୍ୟବହୃତ ହୋଇଥିଲା। ଯୁଦ୍ଧ ସରିବା ପରେ ଇଣ୍ଡିଆନ୍ ଓଭରସିଜ୍ ଏୟାରବେସ୍କୁ ବିକି ଦିଆଯାଇଥିଲା। ଏହି ଘରୋଇ କମ୍ପାନି ବିମାନଟିକୁ ନାଳନ୍ଦା ଏୟାରବେସ୍ ଓ ନାଳନ୍ଦା ଏୟାରବେସ୍ ଏହାକୁ ‘ଏୟାର ସର୍ଭେ ଅଫ୍ ଇଣ୍ଡିଆ’କୁ ବିକ୍ରି କରି ଦେଇଥିଲା। ଏହି କମ୍ପାନି କିଛି ବର୍ଷ ଏହି ବିମାନ ସାହାଯ୍ୟରେ ଉପରୁ ଏରିଅର୍ ମ୍ୟାପିଂ କରିଥିଲା। ସେମାନଙ୍କର ଏହି ପ୍ରକଳ୍ପ ସରିବା ପରେ ବିଜୁ ବାବୁ ଡାକୋଟାକୁ ଲିଜ୍ ସୂତ୍ରରେ ଦେଇଥିଲେ। ବିଜୁ ବାବୁ ଏହି ବିମାନକୁ ୨୭ ମାସ ଉଡ଼ାଇଛନ୍ତି। ଅନେକ ଥର ଏହା ଭୁବନେଶ୍ବର ଆସିଥିବା ବେଳେ ଭାରତୀୟ ଡାକ ସେବାରେ ମଧ୍ୟ ନିୟୋଜିତ ହୋଇଥିଲା। ଏୟାର ସର୍ଭେ ଇଣ୍ଡିଆ କମ୍ପାନି ବନ୍ଦ ହେବା ସହ ବିଜୁ ବାକୁଙ୍କ କମ୍ପାନି ମଧ୍ୟ ସେ ସମୟରେ ବିଶେଷ ସଫଳ ହୋଇପାରିନଥିଲା। ଫଳରେ ଏହା ବିମାନର ଭାଗ୍ୟ କୋଲକାତାର ଏକ ହ୍ୟାଙ୍ଗର ମଧ୍ୟରେ ବନ୍ଦ ହୋଇଗଲା। ୫୫ ବର୍ଷ ସେଠାରେ ପଡ଼ି ରହିବା ପରେ ୨୦୦୯ରେ କୋଲ୍କାତା ବିମାନ ବନ୍ଦରର ନବୀକରଣ ସମୟରେ ଏହି ବିମାନ ପଦାକୁ ଆସିଥିଲା। ଏହି ବିମାନର କେହି ହିତାଧିକାରୀ ନ ବାହାରିବାରୁ ଏହାକୁ କାଟି ବିକି ଦେବାକୁ ଯୋଜନା ହେଲା।
୨୦୧୦ ମସିହାରେ କୋଲ୍କାତା ବିମାନ ବନ୍ଦରରେ ଶ୍ରୀ ଧୀରଙ୍କ ନଜର ଏହି ଡାକୋଟା ବିମାନ ଉପରେ ପଡ଼ିଥିଲା। ଅନୁମତି ନେଇ ସେ ଯାଇ ଏହି ବିମାନକୁ ନିକଟରୁ ଦେଖିଥିଲେ, ଫଟୋ ଉଠାଇଥିଲେ ଓ ଏହାର ଆଡେଣ୍ଟିଟି ଟ୍ୟାଗ୍ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ସବୁ ତଥ୍ୟ ଏକ ଆମେରିକୀୟ କମ୍ପାନିକୁ ପଠାଇ ବିମାନ ସମ୍ପର୍କିତ ସବିଶେଷ ବିବରଣୀ ବାହାର କରିଥିଲେ। ସେଥିରୁ ଜଣାପଡ଼ିଥିଲା, ଏହା ବିଜୁ ବାବୁ ଉଡ଼ାଇଥିବା ବିମାନ ଓ ଏହା କଳିଙ୍ଗ ଏୟାର୍ବେସ୍ରେ ଥିଲା। ସମସ୍ତ ତଥ୍ୟ କୋଲ୍କାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଖାଇବା ପରେ ସେମାନେ ୨୦୧୦ ମସିହାରେ ଓଡ଼ିଶା ସରକାରଙ୍କୁ ଏହି ବିମାନ ସମ୍ପର୍କରେ ଅବଗତ କରି ଓଡ଼ିଶା ଫେରାଇନେବା ପାଇଁ ଚିଠି ଲେଖିଥିଲେ। କିନ୍ତୁ ରାଜ୍ୟ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ୩ ବର୍ଷ ସେମାନେ ବାରମ୍ବାର ଚିଠି ଲେଖିଲା ପରେ ବି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ପାଇନଥିଲେ। ୨୦୧୭ ମସିହାରେ ଗୁରୁପ୍ରସାଦ ମହାପାତ୍ର ଯେତେବେଳେ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ହେଲେ, ସେ ମଧ୍ୟ ଉଦ୍ୟମ ଆରମ୍ଭ କରି ଦେଇଥିଲେ। ୨୦୨୦ ମସିହାରେ ବାତ୍ୟା ଅମ୍ଫାନରେ ବିମାନଟି ଓଲଟି ପଡ଼ିଲା। ତେବେ ଏହା ବେଶ୍ ଟାଣୁଆ ବିମାନ ହୋଇଥିବାରୁ ଏହାର କିଛି କ୍ଷତି ହୋଇନଥିଲା। ଏହା ଓଡ଼ିଶା ଆଣିବା ଯୋଗ୍ୟ ବୋଲି ବି ପ୍ରମାଣିତ ହୋଇଥିଲା। ୨୦୨୦ରୁ ରାଜ୍ୟ ସରକାର ଯଦିଓ ଡାକୋଟାକୁ ଓଡ଼ିଶା ଆଣିବାକୁ ପ୍ରୟାସ ଆରମ୍ଭ କଲେ, କରୋନା ଯୋଗୁଁ ତାହା ସମ୍ଭବ ହୋଇନଥିଲା। ୧୩ ବର୍ଷର ଉଦ୍ୟମ ପରେ ଓଡ଼ିଶାକୁ ଏହାର ଏକ ଐତିହ୍ୟ ଫେରୁଛି। ଏହି ବିମାନ ଯଦିଓ କେବେ ଇଣ୍ଡୋନେସିଆ ଯାଇନି କିମ୍ବା ଯୁଦ୍ଧ ଲଢ଼ିନି ତଥାପି ଏହା ବହୁ ଇତିହାସର ସାକ୍ଷୀ। ଏହା ବିଶ୍ବଯୁଦ୍ଧ ଦେଖିଛି। ଆମ ଓଡ଼ିଶାର ପ୍ରବାଦ ପୁରୁଷଙ୍କ କାହାଣୀ କହୁଛି। ଏଣୁ ଡାକୋଟା ବିମାନ ଓଡ଼ିଶା ଫେରିବା ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ପାଇଁ ଗୌରବର କଥା।
ଶ୍ରୀ ଧର କହିଛନ୍ତି, ସରକାର ଏହାକୁ ପ୍ରଥମେ କଟକସ୍ଥିତ ଆନନ୍ଦ ସଂଗ୍ରହାଳୟରେ ରଖିବାକୁ ସ୍ଥିର କରିଥିଲେ। କିନ୍ତୁ ଏହି ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିମାନ ବନ୍ଦର ସମ୍ମୁଖରେ ବିରାଜମାନ ହେବା ସବୁଠାରୁ ରୋଚକ କଥା ହେବ। ଭାରତର କୌଣସି ବିମାନ ବନ୍ଦର ସମ୍ମୁଖରେ ଏଭଳି ୮୬ ବର୍ଷ ପୁରାତନ ବିମାନ ଠିଆ ହୋଇନାହିଁ। ନିହାତି ଏହାକୁ ପ୍ରତିଦିନ ୧୦ ହଜାରରୁ ଅଧିକ ଲୋକ ଦେଖି, ଏହାର କାହାଣୀ ଓ ବିଜୁ ବାବୁଙ୍କ ଇତିହାସ ସମ୍ପର୍କରେ ଜାଣିବେ।