ଲଦାଖସ୍ଥିତ ଚୋଗ୍‌ଲମ୍‌ସର୍‌ ଆଶ୍ରମ ପରିସର ହଜାର ହଜାର ଦେଶୀବିଦେଶୀ ଶ୍ରଦ୍ଧାଳୁଙ୍କ ସମାଗମରେ ମୁଖରିତ। ତିବ୍ବତୀୟ ଧର୍ମଗୁରୁ ମହାମାନ୍ୟ ଦଲାଇ ଲାମାଙ୍କ ଦର୍ଶନ ଓ ସାକ୍ଷାତ ଲାଗି ସମସ୍ତେ ଉତ୍ସୁକ। ତେଣେ ଭକ୍ତଙ୍କ ଭିଡ଼ ସମ୍ଭାଳିବାକୁ ପୁଲିସ ପ୍ରଶାସନ ନାକେଦମ୍‌। ବୟସାଧିକ୍ୟ ହେତୁ ପୂର୍ବ ଭଳି ବିଭିନ୍ନ ସ୍ଥାନକୁ ଯାତ୍ରା କରିପାରୁ ନଥିବାରୁ ଆଶ୍ରମରେ ତାଙ୍କୁ ଭେଟିବାକୁ ଅନୁଗାମୀଙ୍କ ସୁଅ ଛୁଟିଥିଲା। ଭାରତରେ ୭୫ ବର୍ଷଧରି ନିର୍ବାସିତ ଜୀବନ ବିତାଉଥିବା ଦଲାଇ ଲାମା ଚୀନ୍‌ ବିରୋଧରେ ଅହିଂସା ମାର୍ଗରେ ସ୍ବାଧୀନତା ସଂଗ୍ରାମ ଚଳାଇ ଅନ୍ତର୍ଜାତୀୟ କ୍ଷେତ୍ରରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି। ଶାନ୍ତିର ପୂଜାରୀ ଦଲାଇ ଲାମାଙ୍କୁ ନୋବେଲ୍‌ ଶାନ୍ତି ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ଏସବୁ ଭିତରେ ଓଡ଼ିଶା ସହିତ ମଧ୍ୟ ତାଙ୍କର ସମ୍ପର୍କ ବେଶ୍‌ ନିବିଡ଼। ସେ ୯ଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ୯୦ ବର୍ଷରେ ପଦାର୍ପଣ କରିବା ପରେ ଦଲାଇ ଲାମାଙ୍କୁ ଲଦାଖସ୍ଥିତ ଚୋଗ୍‌ଲମ୍‌ସର୍‌ ଆଶ୍ରମରେ ସାକ୍ଷାତ କରିଥିବା ବିଭୂତି ପତିଙ୍କ ବିଶେଷ ରିପୋର୍ଟ।

Advertisment

ସକାଳ ୯ଟା। ପରମପୂଜ୍ୟ ଦଲାଇ ଲାମା ଅପେକ୍ଷାରତ ଅନୁଗାମୀଙ୍କୁ ଭେଟିବାକୁ ବାହାରକୁ ଆସି ଆସନ ଗ୍ରହଣକଲେ। ସମସ୍ତଙ୍କୁ ସହାସ୍ୟ  ଅଭିବାଦନ ଜଣାଇଲେ। ଉପସ୍ଥିତ ଅନୁଗାମୀ ଓ ଦର୍ଶନାର୍ଥୀ ଚଳଚଞ୍ଚଳ ହୋଇଉଠିଲେ। କଡ଼ା ସୁରକ୍ଷା ମଧ୍ୟରେ ଜଣକ ପରେ ଜଣେ ତାଙ୍କ ନିକଟକୁ ଯାଇ ଆଶୀର୍ବାଦ କାମନା ଆରମ୍ଭ କଲେ। ସମସ୍ତଙ୍କ ଉଦ୍ଦେଶ୍ୟରେ ସେ କହିଲେ,“ସଂସାର କୋଳାହଳମୟ ଏବଂ ତା’ ଭିତରେ ମଣିଷ ଜୀବନ ଅର୍ଥହୀନ ହୋଇପଡ଼ିଛି! ଏହି ଦୌଡ଼ରେ ଆମେ ନିରବତାର ଆନନ୍ଦକୁ ଭୁଲିଯାଇ ନିଜର ସବୁଠାରୁ ବଡ଼ କ୍ଷତି କରିଛୁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଆମେ ଦେଖିବାର ପ୍ରୟାସ କରୁନାହୁଁ। ଆଖି ବନ୍ଦକରି ପକ୍ଷୀ ବସା ବାନ୍ଧିବାର ସଂଗୀତ ଶୁଣି ଆମେ ଆତ୍ମାକୁ ଶାନ୍ତି ପ୍ରଦାନ କରିବା ବି ପାସୋରି ଦେଲେଣି।” ଏହାରି ଭିତରେ ତାଙ୍କ ସହ ଆମର ସାକ୍ଷାତ ସମୟ ହୋଇଗଲା। ଆମେ ତାଙ୍କ ସାମ୍ନାକୁ ଯାଇ ପ୍ରଣାମ କଲୁ। ଓଡ଼ିଶାରୁ ଆସିଛୁ ଏବଂ ‘ସମ୍ବାଦ’ର ପ୍ରତିନିଧି ବୋଲି ସୁରକ୍ଷାକର୍ମୀ ତାଙ୍କୁ ସୂଚାଇ ଦେଲେ। ଓଡ଼ିଶା ନାଁ ଶୁଣି ଖୁବ୍‌ ଖୁସି ହୋଇଗଲେ ଦଲାଇ ଲାମା। ଓଡ଼ିଶା ସହ ତାଙ୍କର ସଂପର୍କ ପୁରୁଣା ଏବଂ ଓଡ଼ିଶାକୁ ନେଇ ଅନେକ ସ୍ମୃତି-ଅନୁଭୂତି ରହିଛି ବୋଲି ଆମକୁ ଅତ୍ୟନ୍ତ ଶାନ୍ତ ସ୍ୱରରେ କହିଲେ। ସୁଯୋଗ ପାଇ ଆମେ ପଚାରିଲୁ,‘‘ଅଭୁଲା ସ୍ମୃତିଟିଏ କହିବେ କି?’’ ମହାମାନ୍ୟ ଦଲାଇ ଲାମା ଉତ୍ତର ଦେଲେ, ‘‘ଥରେ ପୁରୀ ଆସିଥିଲି କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିନଥିଲି। ଆଜି ବି ସେ ଦୁଃଖ ମୋ ମନରେ ରହିଛି। ଏହି କଥାକୁ ମୁଁ ଭୁଲି ପାରିନାହିଁ।’’ ଆମର ସାକ୍ଷାତ ସମୟ ସରି ଯାଇଥିଲେ ହେଁ ଆମକୁ ଅଟକାଇ ଆହୁରି ଅନେକ ପ୍ରସଙ୍ଗ ସେ ଆଲୋଚନା କଲେ। ଏଥିରୁ ଆମେ ସ୍ପଷ୍ଟ ବୁଝି ପାରିଥିଲୁ ଯେ ଓଡ଼ିଶା ପ୍ରତି ତାଙ୍କର ପ୍ରଗାଢ଼ ଶ୍ରଦ୍ଧା ରହିଛି।

‘ଦଲାଇ ଲାମା’ ଶବ୍ଦର ଅର୍ଥ କ’ଣ?
ତିବ୍ବତୀୟଙ୍କ ଧର୍ମଗୁରୁ ‘ଦଲାଇ ଲାମା’ ଭାବେ ସୁପରିଚିତ। ତେବେ ଏପରି ନାମକରଣ ପଛର ଇତିହାସ ବେଶ୍ ଲମ୍ବା। ଚୀନ୍ ତିବ୍ବତ ତତ୍ତ୍ବ ଗବେଷଣା କେନ୍ଦ୍ର ଓ ଐତିହାସିକ ଗ୍ରନ୍ଥଗୁଡ଼ିକରେ କରାଯାଇଥିବା ବ୍ୟାଖ୍ୟା ଅନୁସାରେ, ‘ଦଲାଇ ଲାମା’ ଶବ୍ଦଟି ମୂଳତଃ ତିବ୍ବତୀୟ ନୁହେଁ, ବରଂ ଅନ୍ୟ ଭାଷାରୁ । ମଙ୍ଗୋଲୀୟ ଭାଷାରେ ‘ଦଲାଇ’ର ଅର୍ଥ ‘ସମୁଦ୍ର’ ଏବଂ ତିବ୍ବତୀୟ ଭାଷାରେ ‘ଲାମା’ର ଅର୍ଥ ‘ଆଧ୍ୟାତ୍ମିକ ଶିକ୍ଷକ’। ୧୫୭୮ ମସିହାରେ ତିବ୍ବତୀୟ ବୌଦ୍ଧଧର୍ମର ଗେଲୁଗ୍‌ ସଂପ୍ରଦାୟର ମୁଖ୍ୟ ସୋନମ୍‌ ଗ୍ୟାତ୍‌ସୋ  କ୍ବିଙ୍ଗ୍‌ହାଇ ହ୍ରଦ ନିକଟରେ ମଙ୍ଗୋଲ୍‌ ନେତା ଆଲ୍‌ତାନ୍‌ ଖାନ୍‌ଙ୍କୁ ଭେଟିବା ସମୟରେ ତାଙ୍କୁ ଏହି ଉପାଧିରେ ସମ୍ମାନିତ କରାଯାଇଥିଲା। ଆଲ୍‌ତାନ୍‌ ଖାନ୍ ସୋନମ୍‌ ଗ୍ୟାତ୍‌ସୋଙ୍କୁ ‘ଦଲାଇ ଲାମା’ ଉପାଧି ପ୍ରଦାନ କରିଥିଲେ, ଯାହାର ଅର୍ଥ ବିଶାଳ ଜ୍ଞାନର ଅଧିକାରୀ। ସେତେବେଳେ ଏହାକୁ ଏକ ରାଜନୈତିକ ଉପାଧି ନୁହେଁ, ବରଂ ଏକ ଆଧ୍ୟାତ୍ମିକ ସ୍ବୀକୃତି ଭାବେ ବିବେଚନା କରାଯାଇଥିଲା। ପରେ ସୋନମ୍‌ ଗ୍ୟାତ୍‌ସୋଙ୍କ ଅନୁରୋଧକ୍ରମେ ମିଙ୍ଗ୍‌ ସମ୍ରାଟ ୧୫୭୮ ମସିହାରେ ଏହି ଉପାଧିକୁ ସ୍ବୀକୃତି ପ୍ରଦାନ କରିଥିଲେ। ସୋନମ୍‌ ଗ୍ୟାତ୍‌ସୋଙ୍କୁ ତୃତୀୟ ଦଲାଇ ଲାମା ଭାବରେ ସ୍ବୀକୃତ କରାଯାଇଥିଲା। ତାଙ୍କ ପୂର୍ବର ଦୁଇଜଣ ଆଧ୍ୟାତ୍ମିକ ଗୁରୁ ଗେଡୁନ୍‌ ଦୃପା ଓ ଗେଡୁନ୍‌ ଗ୍ୟାତ୍‌ସୋଙ୍କୁ ତାଙ୍କର ପୂର୍ବସୂରୀ ଭାବେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଦଲାଇ ଲାମା ଭାବରେ ମରଣୋତ୍ତର ଭାବେ ସ୍ବୀକୃତ କରାଯାଇଥିଲା।

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭରୁ ବଞ୍ଚିତ 
ଜୁଲାଇ ୬ ତାରିଖରେ ୯୦ ବର୍ଷରେ ପଦାର୍ପଣ କରିଥିବା ଦଲାଇ ଲାମାଙ୍କର ଓଡ଼ିଶା ସହିତ ଯୋଡ଼ି ହୋଇରହିଛି ଅନେକ ମଧୁର ସ୍ମୃତି। କାରଣ ଓଡ଼ିଶା ନାଁ ଶୁଣୁ ଶୁଣୁ ତାଙ୍କ ମୁଖମଣ୍ଡଳରେ ଯେଉଁ ଆନନ୍ଦ ଓ ଉଲ୍ଲାସ ପ୍ରକଟିତ ହେଲା, ତାହା ଆମକୁ ଖୁବ୍‌ ଉତ୍ସାହିତ କଲା। ସେ କହିଲେ, ‘‘ଓଡ଼ିଶାର ଚନ୍ଦ୍ରଗିରି ଆଜି ‘ମିନି ତିବ୍ବତ’ ଭାବେ ପରିଚିତ।’’ ଆମ ସହ ବାର୍ତ୍ତାଳାପ ଜାରି ରଖି ସେ ପୁଣି କହିଲେ, ‘‘୧୯୫୯ ମସିହାରେ ଯେଉଁଦିନ ଅରୁଣାଚଳର ତୱାଙ୍ଗ୍‌ ମାଟିରେ ମୁଁ ପ୍ରଥମଥର ପାଦ ରଖିଥିଲି ସେଦିନର ଅନୁଭୂତିକୁ ଭାଷାରେ ବର୍ଣ୍ଣନା କରିବା ଅସମ୍ଭବ। ଆଉ ଯେଉଁଦିନ ଚନ୍ଦ୍ରଗିରି ମାଟିରେ ମୋର ପାଦ ପ୍ରଥମେ ପଡ଼ିଥିଲା, ସେ ସମୟର ଆବେଗ ଓ ଆନନ୍ଦ ଏବେ ବି ମନରେ ଚିରଦିନ ପାଇଁ ସାଇତି ହୋଇ ରହିଯାଇଛି। ପୁଣି ଯେଉଁଦିନ ମୁଁ ପୁରୀର ପବିତ୍ର ମାଟିରେ ପ୍ରଥମଥର ପାଇଁ ପାଦ ରଖିଲି, ସେଦିନ ଅନୁଭବ ହେଲା ଜୀବନର ସମସ୍ତ ଈଶ୍ୱରୀୟ ଶକ୍ତି ଯେପରି ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ପ୍ରାପ୍ତହେଲି। ଅବଶ୍ୟ ସେଦିନ ମୁଁ ଶ୍ରୀମନ୍ଦିରକୁ ଯାଇ ପାରି ନଥିଲି। ଏହା ମୋ ଜୀବନର ସବୁଠାରୁ ବଡ଼ ଦୁଃଖ ହୋଇ ଆଜି ପର୍ଯ୍ୟନ୍ତ ରହିଯାଇଛି। ମୁଁ ଯେତେବେଳେ ତୱାଙ୍ଗ୍‌ ଅଞ୍ଚଳକୁ ପୁନର୍ବାର ଗଲି ପ୍ରଥମଥର ପାଇଁ ସେଠାରେ ଅନୁଭବ କରିଥିବା ସ୍ବାଧୀନତା ମନେପଡ଼ି ଯାଇଥିଲା। ଠିକ୍‌ ସେଇ ମୁହୂର୍ତ୍ତରେ ଚନ୍ଦ୍ରଗିରିରେ ଅତିବାହିତ ‌ହୋଇଥିବା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ବି ନାଚି ଉଠିଥିଲା।’’

ଓଡ଼ିଶା ଓ ଓଡ଼ିଆଙ୍କ ନିକଟରେ କୃତଜ୍ଞ
ଓଡ଼ିଶା ସହ ସେ ଭାବଗତ ଭାବେ ଏତେ ସଂଯୁକ୍ତ, ସେ କଥା ତାଙ୍କର କଥାରୁ ଅନୁଭବ କରିହେଉଥିଲା। ସେ କହିଲେ, ‘‘ଚନ୍ଦ୍ରଗିରିର ଜିରାଙ୍ଗରେ ଦକ୍ଷିଣ ଏସିଆର ସର୍ବବୃହତ୍‌ ବୌଦ୍ଧ ମନ୍ଦିର ଉଦ୍‌ଘାଟନ କରିବାର ମୁହୂର୍ତ୍ତ ସବୁ ମନରେ ଉଜ୍ଜୀବିତହୋଇ ରହିଛି। ଚନ୍ଦ୍ରଗିରି ଏକ ବୃହତ୍‌ ତିବ୍ବତୀୟ ବସତି ପାଲଟିଯାଇଛି। ଓଡ଼ିଆ ଜନସାଧାରଣଙ୍କ ସ୍ନେହ, ମମତା ବନ୍ଧନରେ ବାନ୍ଧିହୋଇ ରହିଛନ୍ତି ପ୍ରତିଟି ତିବ୍ବତୀୟ। ଚନ୍ଦ୍ରଗିରି ତିବ୍ବତୀୟଙ୍କ ପାଇଁ ମାତୃଭୂମି ପାଲଟିଯାଇଛି। ଓଡ଼ିଶାବାସୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ ସେମାନେ ଶାନ୍ତିରେ ବସବାସ କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ତି।
 ଏଥିପାଇଁ ଓଡ଼ିଶାବାସୀଙ୍କୁ ଓ ସରକାରଙ୍କୁ ମୁଁ ଅନ୍ତରରୁ କୃତଜ୍ଞତା ଜଣାଏ। ତିବ୍ବତର ଅଖଣ୍ଡତା ଏବଂ ବୌଦ୍ଧ ପରମ୍ପରାର ସଂରକ୍ଷଣ ତଥା ସୁରକ୍ଷା ପାଇଁ ପ୍ରତ୍ୟେକ ତିବ୍ବତୀୟ ଭାରତୀୟଙ୍କ ନିକଟରେ କୃତଜ୍ଞ। ଏ ଦିଗରେ ଓଡ଼ିଶାର ଭୂମିକା ମଧ୍ୟ ପ୍ରଶଂସନୀୟ। ନିଜ ଦେଶରୁ ବିତାଡ଼ିତ ତିବ୍ବତୀୟ ଶରଣାର୍ଥୀଙ୍କୁ ଓଡ଼ିଶାରେ ସ୍ଥାନ ଦେଇଥିବାରୁ ମୁଁ ସର୍ବଦା ପ୍ରତିଟି ଓଡ଼ିଆଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଥାଏ।’’
ଉଲ୍ଲେଖଯୋଗ୍ୟ, ୨୦୧୦ ମସିହା ଜାନୁଆରି ମାସରେ ଚତୁର୍ଦ୍ଦଶ ଦଲାଇ ଲାମା ଜିରାଙ୍ଗରେ ଦକ୍ଷିଣ ଏସିଆର ସର୍ବବୃହତ୍ ବୌଦ୍ଧ ମନ୍ଦିର ‘ପଦ୍ମସମ୍ଭବ ମହାବିହାର’ ଉଦ୍‌ଘାଟନ କରିଥିଲେ। ଏହା ଓଡ଼ିଶା ଓ ଦକ୍ଷିଣ ଏସୀୟ ତିବ୍ବତୀୟ ସଂପ୍ରଦାୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା। ଏହାଦ୍ୱାରା ଚନ୍ଦ୍ରଗିରି ବିଶ୍ୱରେ ଅନ୍ୟତମ ପ୍ରମୁଖ ବୌଦ୍ଧ କେନ୍ଦ୍ର ରୂପେ ମାନ୍ୟତା ହାସଲ କରିପାରିଛି। ଚୀନ୍ ତିବ୍ବତ ଦଖଲ କରିବା ପରେ ୧୯୬୩ ମସିହାରେ ଏହି ବସତି ସ୍ଥାପନ କରାଯାଇଥିଲା। ୧୯୫୯ ପରଠାରୁ ଭୂ-ରାଜନୈତିକ ପରିସ୍ଥିତିରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇଛି, କିନ୍ତୁ ତିବ୍ବତ ପ୍ରସଙ୍ଗରେ ବିଶେଷ କୌଣସି ପରିବର୍ତ୍ତନ ଘଟିନାହିଁ।

sfsfsfxcxcs

ଚନ୍ଦ୍ରଗିରିରେ ଜନ୍ମଦିନ
ପ୍ରତିବର୍ଷ ଚନ୍ଦ୍ରଗିରିର ତିବ୍ବତୀୟମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଉଲ୍ଲାସର ସହ ସେମାନଙ୍କ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମୋତ୍ସବ ପାଳନ କରନ୍ତି। ଏହା ଦଲାଇ ଲାମାଙ୍କୁ ଖୁବ୍‌ ଆନନ୍ଦିତ କରିଛି। ଏ କଥା ସେ ଆମକୁ ଜଣାଇବା ସହ କହିଥିଲେ,“ଚନ୍ଦ୍ରଗିରରେ ମୋ ଜନ୍ମଦିନକୁ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସ୍ଥାନୀୟ ଲୋକମାନେ ଯେପରି ପାଳନ କରୁଛନ୍ତି ତାହା ମୋତେ ଅଭିଭୂତ କରିଛି। ଆନନ୍ଦଉଲ୍ଲାସ ସତ୍ତ୍ବେ ସେମାନଙ୍କ ମଧ୍ୟରେ ସର୍ବଦା ଏହି ଦୁଃଖ ରହିଛି କି, ସେମାନଙ୍କ ଜନ୍ମଭୂମି ପରାଧୀନ। ଏତେ ବର୍ଷ ଅତିବାହିତ ହୋଇଥିଲେ ବି ତିବ୍ବତକୁ ଫେରିଯିବାର ସ୍ବପ୍ନ କିନ୍ତୁ ସେମାନେ ପରିତ୍ୟାଗ କରିନାହାନ୍ତି। ପ୍ରତିଟି ତିବ୍ବତୀୟଙ୍କ ମନରେ ଏହି ଆଶା ଜୀବନ୍ତ େହାଇରହିଛି। ସେମାନେ ଏବେ ମଧ୍ୟ ନିଜ ପୂର୍ବପୁରୁଷଙ୍କ ଭୂମିକୁ ଫେରିଯିବା ପାଇଁ କେତେ ଆଗ୍ରହୀ ତାହା ହିଁ ମୋ ଜନ୍ମଦିନ ପାଳନ ସୂଚାଇଦିଏ।’’ 

ତଥାପି ମଉଳିନି ଆଶା
ତିବ୍ବତରୁ ହଜାର ହଜାର ମାଇଲ ଦୂରରେ ଥିବା ଅଗଣିତ ତିବ୍ବତୀୟ ଭଗବାନ ବୁଦ୍ଧଙ୍କ ନିକଟରେ କେବଳ ଗୋଟିଏ ଇଚ୍ଛା ପୂରଣ ପାଇଁ ଅହରହ ପ୍ରାର୍ଥନା କରିଚାଲିଛନ୍ତି-‘‘ଆମ ଜୀବଦ୍ଦଶାରେ ଜନ୍ମଭୂମି ତିବ୍ବତକୁ ପରାଧୀନତାରୁ ମୁକ୍ତହେବା ଦେଖିବାକୁ ଚାହୁ।’’ ଚନ୍ଦ୍ରଗିରିର ବାସିନ୍ଦା ୭୦ ବର୍ଷୀୟ ଦାୱା ରିେଞ୍ଚନ୍‌ ଭାବବିହ୍ବଳ ହୋଇ କହନ୍ତି, ‘‘ଦିନେ ତିବ୍ବତ ସ୍ବାଧୀନ ହେବ ଏବଂ ଆମେ ସେଠାକୁ ଫେରିଯିବୁ। ଆମ ଦଲାଇ ଲାମା ସାରା ଜୀବନ ଏଥିପାଇଁ ଲଢ଼ିଛନ୍ତି। କିନ୍ତୁ, ଚୀନ୍ ବଳପୂର୍ବକ ଆମ ଜନ୍ମଭୂମିକୁ ଦଖଲ କରିଛି। ଆମେମାନେ ପ୍ରତିଦିନ ଦଲାଇଲାମାଙ୍କ ଦୀର୍ଘଜୀବନ ଓ ତିବ୍ବତର ସ୍ବାଧୀନତା ପାଇଁ ପ୍ରାର୍ଥନା କରୁଛୁ। ଆମେ ଏଠାରେ ପ୍ରାଣତ୍ୟାଗ କଲେ ମଧ୍ୟ ଦିନେ ନା ଦିନେ ଆମ ପିଲାମାନେ ମାତୃଭୂମି ତିବ୍ବତକୁ ମୁକ୍ତ ହୋଇଥିବା ଦେଖି‌େବ।’’ ‘‘ଦଲାଇ ଲାମା ଆହୁରି ୧୦୦ବର୍ଷ ବଞ୍ଚନ୍ତୁ। ଆମେମାନେ ଯଦି ଆଜି ବଞ୍ଚିରହିଛୁ କେବଳ ତାଙ୍କରି ପାଇଁ ଏବଂ ସେ ହେଉଛନ୍ତି ଆମ ଶରୀରର ଆତ୍ମା। ସେ ୨୦୧୦ ମସିହାରେ ଚନ୍ଦ୍ରଗିରି ଆସିଥିଲେ ଏବଂ ଆମ ଗହଣରେ ତିନିଦିନ ବିତାଇଥିଲେ,’’ ବୋଲି ରିଞ୍ଚେନ୍‌ କହନ୍ତି। ଇତିମଧ୍ୟରେ ମହାମାନ୍ୟ ଦଲାଇ ଲାମାଙ୍କ ସହ ଆମର ସାକ୍ଷାତ୍‌କାର ଶେଷ ହୋଇଥିଲା। ଓଡ଼ିଶା ଓ ଓଡ଼ିଆ ଲୋକଙ୍କ ପ୍ରତି ସ୍ନେହସିକ୍ତ କଥା ଓ ଭାବପୂର୍ଣ୍ଣ ଅଭିବ୍ୟକ୍ତି ଆମକୁ ଖୁବ୍‌ ପ୍ରଭାବିତ କରିଥିଲା। ନିଜ ଜନ୍ମମାଟିରୁ ନିର୍ବାସିତ ଏହି ଧର୍ମଗୁରୁଙ୍କ ବ୍ୟଥା ଓ ବେଦନା ବି ଆମେ ଅନୁଭବ କରିପାରୁଥିଲୁ।

ଚୀନ୍‌ ଫାଶରୁ ବର୍ତ୍ତିବା ପାଇଁ ଛଦ୍ମବେଶରେ ପଳାୟନ
୧୯୫୦ରେ ତିବ୍ବତ ଉପରେ ଆକ୍ରମଣର ୯ବର୍ଷ ପରେ ଯେତେବେଳେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ତିବ୍ବତ ଉପରେ ନିଜ ଅଧିକାର ଆହୁରି ଦୃଢ଼କଲା, ସେତେବେଳେ ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ ତଥା ରାଷ୍ଟ୍ରମୁଖ୍ୟ ଚତୁର୍ଦ୍ଦଶ ଦଲାଇ ଲାମାଙ୍କୁ ବାଧ୍ୟହୋଇ ଜନ୍ମଭୂମି ପରିତ୍ୟାଗ କରିବାକୁ ପଡ଼ିଥିଲା। ବର୍ତ୍ତମାନର ଦଲାଇ ଲାମାଙ୍କୁ ହତ୍ୟା କରିବା ପାଇଁ ଷଡ୍‌ଯନ୍ତ୍ର ରଚାଯାଇଥିଲା। ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେବାକୁ ଦଲାଇ ଲାମାଙ୍କ ସମେତ ଅନ୍ୟାନ୍ୟ ତିବ୍ବତୀୟ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ନିମନ୍ତ୍ରଣରେ କଠୋର ସର୍ତ୍ତ ଥିଲା ଯେ ସେମାନଙ୍କ ସହ କୌଣସି ଅଙ୍ଗରକ୍ଷୀ ରହିବେ ନାହିଁ। ବିଶ୍ୱସ୍ତ ଓ ଗୋପନ ସୂତ୍ରରୁ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହା ନିମନ୍ତ୍ରଣ ନୁହେଁ ବରଂ ମୃତ୍ୟୁଫାଶ। ତେଣୁ ୧୯୫୯ ମସିହା ମାର୍ଚ୍ଚ ୧୭ ତାରିଖ ରାତିରେ ତିବ୍ବତୀୟଙ୍କ ମଧ୍ୟରେ ଏକ ଜରୁରି ବାର୍ତ୍ତା ଗୋପନରେ ପ୍ରସାରିତ ହେଲା- ‘‘ଯାଅ, ଯାଅ, ଆଜି ରାତିରେ’’। ଏହାର ସାଙ୍କେତିକ ଅର୍ଥ ଥିଲା ଆଜି ରାତିରେ ତିବ୍ବତ ଛାଡ଼ି ଚାଲିଯାଅ। ସେଦିନ ରାତିରେ ୨୩ ବର୍ଷୀୟ ଦଲାଇ ଲାମା ତାଙ୍କ ଗ୍ରୀଷ୍ମ ପ୍ରାସାଦରୁ ଲୁଚି ଲୁଚି ବାହାରି ଆସିଲେ। ଖଇରିଆ ରଙ୍ଗର ପାରମ୍ପରିକ ପୋଷାକ ବଦଳରେ ସେ ଜଣେ ସାଧାରଣ ସୈନିକର ପୋଷାକ ପିନ୍ଧିଥିଲେ। ଚୀନ୍ ସେନାର ନଜର ଏଡ଼ାଇବାକୁ ରାଜଧାନୀ ଲାସାରୁ ବାହାରି ଦୁର୍ଗମ ବରଫାବୃତ ପାହାଡ଼ ଅତିକ୍ରମ କରିବାକୁ ଦଲାଇ ଲାମା ଓ ତାଙ୍କ ଘନିଷ୍ଠ ଅନୁଗତ ଦିନରେ ଗୁମ୍ଫାରେ ଲୁଚିରହି ରାତିରେ ଚାଲି ଚାଲି ଯାତ୍ରା କରିଥିଲେ। ପ୍ରାୟ ଦୁଇ ସପ୍ତାହ ପରେ ସେମାନେ ଭାରତ ମାଟିରେ ପାଦ ଦେଇଥିଲେ। ତିବ୍ବତରୁ ପଳାୟନ କରିବାର ୭୫ବର୍ଷ ହୋଇଗଲାଣି। ଦଲାଇଲାମା କହନ୍ତି, ‘‘ମୁଁ ଜଣେ ଶରଣାର୍ଥୀ, କିନ୍ତୁ ଭାରତରେ ସ୍ବାଧୀନତା ଉପଭୋଗ କରୁଛି।”

ସଂକ୍ଷେପରେ ଦଲାଇ ଲାମା
ବର୍ତ୍ତମାନର ଦଲାଇ ଲାମା ତେଞ୍ଜିନ୍ ଗ୍ୟାତ୍‌ସୋ, ୧୯୩୫ ମସିହା ଜୁଲାଇ ୬ ତାରିଖରେ ତିବ୍ବତର ହୋଙ୍ଗ୍‌ୟା ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ଲାମୋ ଥୋଣ୍ଡପୁ। ତେବେ ଦଲାଇ ଲାମା ଚୟନ ହେବା ପରେ ଆଧ୍ୟାତ୍ମିକ ପରମ୍ପରା ଅନୁସାରେ ତାଙ୍କ ନାମ ରଖାଯାଇଥିଲା ଜେତ୍ସୁନ୍ ଜାମ୍ପେଲ୍ ନଗ୍‌ୱାଙ୍ଗ୍ ଲୋବ୍‌ସଙ୍ଗ୍ ୟେଶ୍‌ ତେଞ୍ଜିନ୍ ଗ୍ୟାତ୍‌ସୋ। ମାତ୍ର ଦୁଇବର୍ଷ ବୟସରେ ସେ ତିବ୍ବତୀୟଙ୍କ ଧର୍ମଗୁରୁ ୧୪ଶ ଦଲାଇ ଲାମା ଭାବରେ ସ୍ୱୀକୃତି ଲାଭ କରିଥିଲେ। ଚତୁର୍ଦ୍ଦଶ ଦଲାଇ ଲାମା ‘ମୂଲ୍ୟବାନ୍‌ ରତ୍ନ ସଦୃଶ ବୁଦ୍ଧ-ଗୁରୁ’ (ଗ୍ୟାଲ୍‌ୱା ରିନ୍‌ପୋଚେ) ଏବଂ ଇଚ୍ଛା ପୂରଣ କରୁଥିବା ରତ୍ନ (ୟୀଝିନ୍ ନୋର୍ବୁ )ଭାବରେ ମଧ୍ୟ ଜଣାଶୁଣା। ୧୯୫୦ ମସିହାରେ ୧୫ବର୍ଷ ବୟସରେ ସେ ଆନୁଷ୍ଠାନିକ ଭାବେ ଦଲାଇ ଲାମା ଭାବେ ଅଭିଷିକ୍ତ ହୋଇଥିଲେ। ୧୯୫୯ ମସିହାରୁ ଭାରତର ହିମାଚଳପ୍ରଦେଶର ଧରମଶାଲାରେ ନିର୍ବାସିତ ଜୀବନ ଅତିବାହିତ କରୁଛନ୍ତି। ତାଙ୍କ ନେତୃତ୍ବରେ ତିବ୍ବତୀୟଙ୍କ ଛାୟା ସରକାର ଏହିଠାରୁ ପରିଚାଳିତ ହେବା ସହ ଅହିଂସ‌ା ସ୍ବାଧୀନତା ସଂଗ୍ରାମ ମଧ୍ୟ ଜାରି ରଖିଛି। ଦଲାଇ ଲାମା ଜଣେ ବ୍ରହ୍ମଚାରୀ ସନ୍ନ୍ୟାସୀ ଏବଂ ତିବ୍ବତୀୟ ବୌଦ୍ଧଧର୍ମର ଏକ ପ୍ରମୁଖ ଧାରା ଗେଲୁକପା ପରମ୍ପରାର ଆଧ୍ୟାତ୍ମିକ ମୁଖ୍ୟ। ଅନେକ ବୌଦ୍ଧଧର୍ମାବଲମ୍ବୀ ବିଶ୍ବାସ କରନ୍ତି ଯେ ଦଲାଇ ଲାମା ହେଉଛନ୍ତି ଅବଲୋକିତେଶ୍ବରଙ୍କର ମାନବୀୟ ଅବତାର। ୯୦ ବର୍ଷରେ ପଦାର୍ପଣ କରିଥିବା ଦଲାଇ ଲାମା ଏଯାବତ୍‌  ସବୁଠାରୁ ଦୀର୍ଘଜୀବୀ ତିବ୍ବତୀୟ ଧର୍ମଗୁରୁ।