ନବେ ଦଶକ ପ୍ରାରମ୍ଭରେ ଅକସ୍ମାତ୍‌ ଭାରତୀୟ ସେୟାର୍‌ ବଜାରରେ ବିଭିନ୍ନ କମ୍ପାନିର ସେୟାର୍‌ ଦର ହୁ ହୁ ହୋଇ ବଢ଼ିଚାଲିଲା। ଲାଭ ଆଶାରେ ଅସଂଖ୍ୟ ଲୋ‌କ ସେୟାର୍‌ ବଜାରରେ ଅର୍ଥ ଲଗାଇଲେ। କିନ୍ତୁ, ହଠାତ୍‌ ଦିନେ ସେୟାର୍‌ ମାର୍କେଟ୍‌ କ୍ରାସ୍‌ କରିଗଲା। ସୂଚକାଙ୍କ ୪୫୦୦ରୁ ୨୫୦୦କୁ ଖସି ଆସିଲା। ବାସ୍ତବରେ ଏସବୁ ଥିଲା ‘ଦଲାଲ୍‌ ଷ୍ଟ୍ରିଟ୍‌ର ବିଗ୍‌ ବୁଲ୍‌’ ବା ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚ୍‌ର ବିଗ୍‌ ବି’ କୁହାଯାଉଥିବା ‘ସେଲିବ୍ରିଟି ଷ୍ଟକ୍‌ ବ୍ରୋକର୍‌’ ହର୍ଷଦ ମେହେଟ୍ଟାଙ୍କ ତଞ୍ଚକତା। ଜାଲ୍‌ ରସିଦ୍‌ ଜରିଆରେ ବ୍ୟାଙ୍କ୍‌ରୁ ଅର୍ଥ ଋଣ କରି ହର୍ଷଦ ସେୟାର୍‌ କିଣୁଥିଲେ। ଏହି କାରଣରୁ କିଛି କମ୍ପାନିର ସେୟାର୍‌ ମୂଲ୍ୟ ୪,୪୦୦% ବୃଦ୍ଧି ପାଇଥିଲା। କିନ୍ତୁ, ପ୍ରକୃତରେ କୌଣସି ସେୟାର୍‌ ଦର ଏତେ ପ୍ରତିଶତ ବୃଦ୍ଧି ପାଇ ନ ଥିଲା। ସବୁ ଥିଲା କୃତ୍ରିମ ବା ଅଳିକ। ‌ଶେଷରେ ହର୍ଷଦଙ୍କ ଶହଶହ କୋଟି ଠକେଇର କଳା କାରନାମା ଧରାପଡ଼ିଥିଲା।

Advertisment

ସ୍ବକୀୟ ବ୍ୟବସାୟ କୌଶଳରେ ୧୯୮୦ ଦଶକ ଶେଷ ଓ ୧୯୯୦ ଦଶକ ପ୍ରାରମ୍ଭରେ ଦେଶରେ ଚହଳ ପକାଇଥିବା ହର୍ଷଦ ମେହେଟ୍ଟା ଥିଲେ ଜଣେ ଧୁରନ୍ଧର ଷ୍ଟକ୍‌ ବ୍ରୋକର୍‌ ବା ସେୟାର୍‌ ଦଲାଲ୍‌। କିନ୍ତୁ, ବ୍ୟାଙ୍କ୍‌ ଓ ସେୟାର୍‌ ବଜାରରେ ଜାଲିଆତି କରିଥିବା ଅପରାଧରେ ଧରାପଡ଼ି ୧୯୯୨ରେ ଦୋଷୀ ସାବ୍ୟସ୍ତ ହେବାରୁ ହର୍ଷଦଙ୍କ ସୁଖ୍ୟାତି ଅଚାନକ ଅପଖ୍ୟାତି ହୋଇଗଲା। ଚତୁର ହର୍ଷଦ ମେହେଟ୍ଟା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଥିବା ତ୍ରୁଟିବିଚ୍ୟୁତିର ସୁଯୋଗ ନେଇ ସେୟାର ବଜାରରେ ବିପୁଳ ଅର୍ଥ ବିନିଯୋଗ କରିଥିଲେ। ଫଳରେ ୧୯୯୧ ଏପ୍ରିଲ୍‌ରୁ ୧୯୯୨ ଏପ୍ରିଲ୍‌ ମଧ୍ୟରେ ମାତ୍ର ୧୦୦୦ ପଏଣ୍ଟ୍‌ ଥିବା ସେନ୍‌ସେକ୍ସ୍‌ ପ୍ରାୟ ୪,୫୦୦ ପଏଣ୍ଟ୍‌କୁ ଉଠିଗଲା।ହର୍ଷଦ ମେହେଟ୍ଟା ଅତ୍ୟନ୍ତ ତଞ୍ଚକତା କରି ବିଭିନ୍ନ ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କା ଉଠାଇ ନେଇଥିଲେ। ଏଥିଯୋଗୁଁ ଷ୍ଟକ୍‌ ମାର୍କେଟର ଅଭୂତପୂର୍ବ ଉନ୍ନତି ଘଟିଲା। କିନ୍ତୁ, ତାଙ୍କ ଦୁର୍ନୀତି ଧରାପଡ଼ିବା ପରେ ଷ୍ଟକ୍‌ ମାର୍କେଟ୍‌ରେ ଘୋର ଅବନତି ଘଟିଲା। ବିଭିନ୍ନ କମ୍ପାନିର ସେୟାର୍‌ କିଣିଥିବା ଲକ୍ଷ ଲକ୍ଷ ଲୋକଙ୍କର ନିବେଶ ବୁଡ଼ିଗଲା। ସେମାନେ ପ୍ରଭୂତ ଆର୍ଥିକ କ୍ଷତି ସହିଲେ।

ପ୍ରକୃତ କଥା ହେଲା, ରିଜର୍ଭ ବ୍ୟାଙ୍କ୍‌ର ପବ୍ଲିକ୍‌ ଡେଟ୍‌ ଅଫିସ୍‌ରେ ଥିବା ‘ସବ୍‌ସିଡିଆରି ଜେନେରାଲ୍‌ ଲେଜର୍‌’ ଭାବେ ‘ଏସ୍‌ବିଆଇ’ ତା’ ଖାତାରୁ ୫୦୦ କୋଟି ଟଙ୍କା ହରାଇଛି ବୋଲି ରିପୋର୍ଟ ବାହାରିବା ପରେ ଆର୍ଥିକ ଦୁର୍ନୀତି ହୋଇଥିବା ଜଣାପଡ଼ିଲା। ପ୍ରଖ୍ୟାତ ସାମ୍ବାଦିକା ସୁଚେତା ଦଲାଲ୍‌ ପ୍ରଥମେ ଏହି ଖବର ପ୍ରକାଶ କରି ହର୍ଷଦର କଳା କାରନାମା ଉପରୁ ପରଦା ହଟାଇଥିଲେ। ଏହି ଘଟଣା ପରେ ୧୯୯୨ ଜୁନ୍‌ ୪ରେ ସିବିଆଇ ମେହେଟ୍ଟାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ତଲାସ କଲା। ତା’ପରେ ୧୯୯୨-୯୩ ଆର୍ଥିକ ବର୍ଷ ପାଇଁ ହର୍ଷଦ ମେହେଟ୍ଟା ଫାଇଲ୍‌ କରିଥିବା ଟ୍ୟାକ୍ସ୍‌ ରିଟର୍ଣ୍ଣ ରଦ୍ଦ କରାଗଲା। ୨୫୦ କୋଟି ଟଙ୍କା ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଗଲା।

ସେଲ୍‌ସ୍‌ ମ୍ୟାନ୍‌ରୁ ସେୟାର୍‌ ବ୍ରୋକର:
ଗୁଜରାଟର ରାଜକୋଟ ଜିଲ୍ଲା ଅନ୍ତର୍ଗତ ପାନେଲି ମୋତିରେ ଗୁଜରାଟୀ ଜୈନ ପରିବା‌ରର ସନ୍ତାନ ଥିଲେ ହର୍ଷଦ ଶାନ୍ତିଲାଲ୍‌ ମେହେଟ୍ଟା। ୧୯୭୬ରେ ମୁମ୍ବାଇସ୍ଥିତ ଲାଲା ଲଜ୍‌ପତ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରି ୮ ବର୍ଷ ଧରି କେତେକ ପ୍ରତିଷ୍ଠାନରେ ସେଲ୍‌ସ୍‌ ବିଭାଗରେ ଚାକିରି କରୁଥିଲେ। ‘ନିୟୁ ଇଣ୍ଡିଆ ଆସ୍ୟୁରାନ୍‌ସ୍‌ କମ୍ପାନି’ରେ ସେଲ୍‌ସ୍‌ ପର୍ସନ୍‌ ଭାବେ ଚାକିରି କରିବା ବେଳେ ସେ ସେୟାର୍‌ ବଜାର ପ୍ରତି ଆଗ୍ରହୀ ହୋଇଥିଲେ। କିଛି ଦିନ ପରେ, ସେଠାରୁ ଚାକିରି ଛାଡ଼ି ମେହେଟ୍ଟା ଗୋଟାଏ ସେୟାର୍‌ ବ୍ରୋକେଜ୍‌ କମ୍ପାନିରେ ଯୋଗ ଦେଲେ। ପରବର୍ତ୍ତୀ ୧୦ ବର୍ଷ ଧରି କେତେକ ସେୟାର୍‌ ଦଲାଲି କମ୍ପାନିରେ ବିଭିନ୍ନ ପଦବଦବୀରେ କାର୍ଯ୍ୟ କରି ସେ ଭାରତୀୟ ସିକ୍ୟୁରିଟି ଶିଳ୍ପରେ ଜଣେ ଉ‌ଲ୍ଲେଖନୀୟ ବ୍ୟକ୍ତିତ୍ବ ଭାବେ ପରିଚିତ ହେଲେ।
‘ସର୍ଟକଟ୍‌’ରେ ବ୍ୟାଙ୍କ୍‌ ଠକେଇ:
ସେତେବେଳକୁ ହର୍ଷଦ ମେହେଟ୍ଟା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ସମ୍ପର୍କ ସୁଦୃଢ଼ କରିସାରିଥିଲେ। ସେ ସମୟର ସରକାରୀ ‘ସିକ୍ୟୁରିଟି’ ବା ‘ସେୟାର୍‌’ଦ୍ବାରା ଗୋଟିଏ ବ୍ୟାଙ୍କ୍‌ ଅନ୍ୟ ଏକ ବ୍ୟାଙ୍କ୍‌ରୁ ଅର୍ଥ ଋଣ ଉଠାଇପାରୁଥିଲା। ଏଥିପାଇଁ ବ୍ୟାଙ୍କ୍‌ ସବୁ ‘ସର୍ଟକଟ୍‌’ ବ୍ୟବସ୍ଥାରେ କାମ କରୁଥିଲେ। ଉଧାର ନେଉଥିବା ବ୍ୟାଙ୍କ୍‌ ଉଧାର ଦେଉଥିବା ବ୍ୟାଙ୍କ୍‌କୁ ‘ସରକାରୀ ସିକ୍ୟୁରିଟି’ ବିକ୍ରୟ କରେ। ଋଣ ପରିଶୋଧ ସମୟ ଶେଷ ହୋଇ ଆସିଲେ ସାମାନ୍ୟ ଅଧିକ ଅର୍ଥ ଦେଇ ପୁଣି ଉକ୍ତ ସିକ୍ୟୁରିଟିଗୁଡ଼ିକୁ ବିକ୍ରୟ କରିଥିବା ମୂଳ ବ୍ୟାଙ୍କ୍‌ ଖରିଦ କରି ଆଣେ। ତେଣୁ, ସରକାରୀ ସିକ୍ୟୁରିଟି କିଣାବିକା କରିବାକୁ ଆଗ୍ରହୀ ଥିବା ଅନେକ ବ୍ୟାଙ୍କ୍‌ ଲାଗି ହର୍ଷଦ ମେହେଟ୍ଟା ଦଲାଲ ବା ମଧ୍ୟସ୍ଥ କାର୍ଯ୍ୟ କଲେ। ଅର୍ଥାତ୍‌, ଯଦି ଗୋଟିଏ ବ୍ୟାଙ୍କ୍‌ ସିକ୍ୟୁରିଟି ବିକିବାକୁ ଚାହିଁଲା ଓ ଅନ୍ୟ ବ୍ୟାଙ୍କ୍‌ କିଣିବାକୁ ଚାହିଁଲା, ସେ କ୍ଷେତ୍ରରେ ଉଭୟ ବ୍ୟାଙ୍କ୍‌ ତରଫରୁ ଦଲାଲ୍ ହେଲେ ହର୍ଷଦ ମେହେଟ୍ଟା। ସେତେବେଳେ ସିକ୍ୟୁରିଟି ଖରିଦ କରିବା ଲାଗି ଇଚ୍ଛୁକ ବା ଋଣ ଦେବାକୁ ଆଗ୍ରହୀ ବ୍ୟାଙ୍କ୍‌ଗୁଡ଼ିକୁ ଋଣ ନେବାକୁ ଚାହୁଁଥିବା ବ୍ୟାଙ୍କ୍‌ ସବୁ ‘ବ୍ୟାଙ୍କ୍‌ ରସିଦ୍‌’ ଦେଉଥିଲେ। ଏହାର ଅର୍ଥ ହେଉଛି, ପ୍ରକୃତ ସିକ୍ୟୁରିଟି ଋଣ ନେବାକୁ ଚାହୁଁଥିବା ବ୍ୟାଙ୍କ୍‌ ପାଖରେ ଥିବ। କିନ୍ତୁ, ଋଣଦାତା ବ୍ୟାଙ୍କ୍‌ ସିକ୍ୟୁରିଟି ପରିବର୍ତ୍ତେ ଉକ୍ତ ରସିଦ ରଖି ଋଣ ଦେବେ। ଏହାହିଁ ‘ସର୍ଟକଟ୍‌’ ବ୍ୟବସ୍ଥା।
ଦଲାଲ୍‌ ଷ୍ଟ୍ରିଟ୍‌ର ବିଗ୍‌ ବୁଲ୍‌:
ଏହି ବ୍ୟବସ୍ଥାର ସୁଯୋଗ ନେଇ ମେହେଟ୍ଟା ଜାଲ୍‌ ରସିଦ ଜରିଆରେ ଅନେକ ବ୍ୟାଙ୍କ୍‌ ସହିତ ଜାଲିଆତି କାରବାର ସମ୍ପ୍ରସାରଣ କଲେ। କିନ୍ତୁ, ଏଥିପାଇଁ ହର୍ଷଦ ମେହେଟ୍ଟା ଉଭୟ ବ୍ୟାଙ୍କ୍‌ର ଅଧିକାରୀମାନଙ୍କ ସହିତ ଗୁପ୍ତ ବୁଝାମଣା କରୁଥିଲେ। ଭାରତୀୟ ସେୟାର୍‌ ବଜାରରେ ୫,୦୦୦ କୋଟି ଟଙ୍କାର ଦୁର୍ନୀତି କରିଥିବା ମେ‌େହଟ୍ଟା ଜାଲ୍‌ ରସିଦ ଜରିଆରେ ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ଦକ୍ଷତାର ସହିତ ସେୟାର୍‌ ବଜାର ନିୟନ୍ତ୍ରଣ କଲେ। ଲାଭ କରିବା ଲାଗି ସେ ବିଭିନ୍ନ କମ୍ପାନିର ଷ୍ଟକ୍‌ ବା ସେୟାର୍‌ଗୁଡ଼ିକୁ ଅତି କମ୍‌ ଦାମ୍‌ରେ କିଣି ଚଢ଼ା ଦାମ୍‌ରେ ବିକିଲେ। ଏଭଳି ଆକ୍ରମଣାତ୍ମକ ବ୍ୟବସାୟ ଲାଗି ତାଙ୍କୁ ‘ବିଗ୍‌ ବୁଲ୍‌’ କୁହାଯାଉଥିଲା। ସୁଚେତା ଦଲାଲ୍‌ଙ୍କ ରିପୋର୍ଟ ପ୍ରକାଶିତ ହେବା ପରେ ମେହେଟ୍ଟାଙ୍କ ନିବେଶକମାନେ ତାଙ୍କ ଉପରୁ ବିଶ୍ବାସ ହରାଇଲେ। ‘ସିବିଆଇ’ ସ‌େମତ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସି ଠକେଇ ମାମଲାର ତଦନ୍ତ ଚଳାଇଲେ। ହର୍ଷଦ ଓ ତାଙ୍କ ଭାଇ ଅଶ୍ବିନ୍‌ଙ୍କୁ ୩ ମାସ ଜେଲ୍‌ରେ ରଖାଗଲା। ତା’ପରେ ହର୍ଷଦ ମେହେଟ୍ଟା କହିଲେ କି, ସରକାରରେ ଥିବା ଅନେକ କ୍ଷମତାଶାଳୀ ବ୍ୟକ୍ତି ତାଙ୍କୁ ସମର୍ଥନ କରନ୍ତି। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହରାଓଙ୍କୁ ସେ କୋଟିଏ ଟଙ୍କା ଦେଇଛନ୍ତି ବୋଲି ଦାବି ମଧ୍ୟ କରିଥିଲେ। କିନ୍ତୁ, ତାଙ୍କର ଅଭିଯୋଗ ପ୍ରମାଣିତ ହୋଇ ପାରି ନ ଥିଲା।
ହୃଦ୍‌ଘାତରେ ମୃତ୍ୟୁ ପରେ ମାମଲାର ଅବସାନ:
ବିଭିନ୍ନ ଅଦାଲତରେ ୯ ବର୍ଷ ଧରି ବିଚାର ଚାଲିବା ପରେ ବମ୍ବେ ହାଇକୋର୍ଟ ଓ ସୁପ୍ରିମ୍‌ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।୨୦୦୧ ଡିସେମ୍ବର ୩୧ ତାରିଖରେ ମାତ୍ର ୪୭ ବର୍ଷ ବୟସରେ ତିହାର ଜେଲ୍‌ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଗଲା।ସେତେବେଳକୁ ମେହେଟ୍ଟାଙ୍କ ନାଁ’ରେ ଚାଲିଥିବା ୨୭ଟି ଅପରାଧିକ ମାମଲାରୁ ମାତ୍ର ୪ଟିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମୃତ୍ୟୁ ପରେ ତାଙ୍କ ନାମରେ ଥିବା ଅପରାଧଘଟିତ ମାମଲା ସବୁ ବନ୍ଦ ହୋଇଗଲା। କିନ୍ତୁ, ତାଙ୍କ ପରିବାରବର୍ଗଙ୍କଠାରୁ ଅର୍ଥ ଆଦାୟ ପାଇଁ ଅନେକ ଦେୱାନୀ ମାମଲା ଚାଲୁ ରହିଲା। ହର୍ଷଦ ମେହେଟ୍ଟା ଓ ତାଙ୍କ ପରିବାରବର୍ଗଙ୍କର ଅଧିକାଂଶ ସମ୍ପତ୍ତି ସରକାରୀ କର୍ତ୍ତୃପକ୍ଷ କୋରଖ କରିଥିଲେ। ବିପୁଳ ଆୟକର ଜରିମାନା ବି କରାଯାଇଥିଲା। ଭାରତୀୟ ଅର୍ଥନୈତିକ ଇତିହାସରେ ହର୍ଷଦ ମେହେଟ୍ଟାଙ୍କ ଦୁର୍ନୀତି ଥିଲା ଉଲ୍ଲେଖନୀୟ ଘଟଣା। ଏହା ଆମ ବ୍ୟାଙ୍କ୍‌ ଓ ସେୟାର୍‌ ବଜାରକୁ ଅବଗତ କରାଇ ଦେଲା ଯେ, ଠକେଇ ରୋକିବାକୁ ଅଧିକ କଟକଣା ଆବଶ୍ୟକ। ତା’ପରେ ଭାରତୀୟ ଆର୍ଥିକ ନିୟନ୍ତ୍ରଣ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଗଲା ଓ ‘ସିକ୍ୟୁରିଟିଜ୍‌ ଲ’ଜ୍‌ ଆକ୍ଟ୍‌ ୧୯୯୫ ଲାଗୁ ହେଲା। କିନ୍ତୁ, ୯୦ ଦଶକରେ ଭାରତୀୟ ସେୟାର୍‌ ବଜାରକୁ ଦୋହଲାଇ ଦେଇଥିବା ବହୁ-କୋଟି ଟଙ୍କାର ଦୁର୍ନୀତିକୁ ଏପର୍ଯ୍ୟନ୍ତ ଅନେକେ ଭଲ ଭାବେ ବୁଝିପାରି ନାହାନ୍ତି, ଅନେ‌େକ ମଧ୍ୟ ଭୁଲି ଗଲେଣି।