ଦାମୋଦର କୁଣ୍ଡ ବା ଦାମୋଦର ସରୋବର ନାମରେ ଦୁଇଟି ସରୋବର ଭାରତ ଓ ନେପାଳରେ ଅବସ୍ଥିତ। ଧର୍ମୀୟ ଦୃଷ୍ଟିରୁ ଦୁଇଟିଯାକ ସମପ୍ରସିଦ୍ଧି ସଂପନ୍ନ। ଏହାର କାରଣ, ଏକଦା ଭାରତ ଓ ନେପାଳ ଆର୍ଯ୍ୟାବର୍ତ୍ତର ଏକାଙ୍ଗ ଅଂଶ ଥିଲା। ହିନ୍ଦୁ ସଭ୍ୟତା ଓ ସଂସ୍କୃତିର ତାହ‌ା ମୂଳପିଣ୍ଡ ଥିଲା। ଯେଉଁ ଦାମୋଦର କୁଣ୍ଡଟି ନେପାଳରେ ଅବସ୍ଥିତ, ସମୁଦ୍ରପତ୍ତନଠାରୁ ତାହା ପ୍ରାୟ ୫୪୦୦ ମିଟର ଉଚ୍ଚରେ ନେପାଳର ମୁଷ୍ଟାଙ୍ଗ ଅଞ୍ଚଳରେ ଅବସ୍ଥିତ। ତାହା ନିକଟରେ ରହିଛି ବରାହ କୁଣ୍ଡ ନାମରେ ଅନ୍ୟ ଏକ କୁଣ୍ଡ। ମାନ୍ୟତା ରହିଛି ଯେ ସେହି କୁଣ୍ଡ ଶ୍ରୀକୃଷ୍ଣ ତାଙ୍କ ଗୋଧନଙ୍କର ଆନନ୍ଦ ନିମିତ୍ତ ନିର୍ମାଣ କରିଥିଲେ ଏବଂ ତାଙ୍କ ପିତାଙ୍କର ମୋକ୍ଷ ପ୍ରାପ୍ତି ନିମିତ୍ତ ସେଠାରେ ସ୍ନାନ କରିଥିଲେ। ନୀଳଗିରି, ଧଉଳି, ଟୁକୁଚି ଆଦି ବରଫାବୃତ ଶୃଙ୍ଗର ମଧ୍ୟସ୍ଥଳରେ ସେହି କୁଣ୍ଡ ବିଦ୍ୟମାନ। 

Advertisment

ଅନ୍ୟ ଏକ ଦାମୋଦର କୁଣ୍ଡ ଭାରତର ଗୁଜୁରାଟ ପ୍ରଦେଶର ଜୁନାଗଡ଼ ଜିଲାର ଗୀର୍ଣ୍ଣାର ପର୍ବତର ପାଦଦେଶରେ ରହିଛି। ହିନ୍ଦୁମାନଙ୍କର ବିଶ୍ବାସ ଯେ ଏହି କୁଣ୍ଡରେ ସ୍ନାନ କଲେ ମନୁଷ୍ୟର ସମସ୍ତ ପାପ ମୋଚନ ହୁଏ; ଏଠାରେ ଅସ୍ଥି ବିସର୍ଜନ କଲେ ଆତ୍ମା ମୋକ୍ଷପ୍ରାପ୍ତ ହୁଏ। ତ୍ରିବେଣୀ, ହରିଦ୍ବାର, ପ୍ରୟାଗ ଆଦି ସ୍ଥାନ ପରି ଏଠାରେ ମଧ୍ୟ ବହୁଳ ଭାବରେ ଅସ୍ଥି ବିସର୍ଜିତ ହୁଏ। ମାନ୍ୟତା ଅନୁସାରେ ଅସ୍ଥିମାନଙ୍କୁ ବିଲୀନ କରିବାର ଏକ ଆଶ୍ଚର୍ଯ୍ୟ କ୍ଷମତା ଏହି କୁଣ୍ଡର ଜଳ‌େର ରହିଛି। ଫଳରେ ଯେତେ ଅସ୍ଥି ବିସର୍ଜିତ ହେଲେ ମଧ୍ୟ ତାହାର ଅବଶେଷ ମିଳେ ନାହିଁ। 

ଦାମୋଦର ସରୋବର ନିକଟରେ ରୈବତଙ୍କ କନ୍ୟା ତଥା ବଳରାମଙ୍କ ପତ୍ନୀ ରେବତୀଙ୍କ ନାମାନୁସାରେ ଏକ କୁଣ୍ଡ ରହିଛି। ତାହାର ନାମ ରେବତୀ କୁଣ୍ଡ। ଏହି କୁଣ୍ଡ ନିକଟରେ ସନ୍ଥ ବଲ୍ଲଭାଚାର୍ଯ୍ୟ ବୈଠକୀ ରହିଛି।

ଦାମୋଦର ସରୋବରର ଦୈର୍ଘ୍ୟ ପ୍ରାୟ ୨୫୭ ଫୁଟ, ପ୍ରସ୍ଥ ୫୦ଫୁଟ ଏବଂ ଗଭୀରତା ୫ ଫୁଟ। ଏହାର ଚତୁଃପାର୍ଶ୍ବ ସୁନ୍ଦର ପାବଚ୍ଛ‌େଶ୍ରଣୀ ଓ ସ୍ନାନଘାଟମାନଙ୍କ ଦ୍ବାରା ସୁସଜ୍ଜିତ। ଏଠାରୁ ଗୀର୍ଣ୍ଣାର ପର୍ବତ ଉପରକୁ ପାବଚ୍ଛ ଶ୍ରେଣୀ ଲମ୍ବିଯାଇଛି। ଏହି କୁଣ୍ଡର ଦକ୍ଷିଣ ଦିଗରେ ରହିଛି ଦାମୋଦର ହରି ମନ୍ଦିର। ବିଶ୍ବାସ ରହିଛି, ଯେ ଏହି ମନ୍ଦିର ଶ୍ରୀକୃଷ୍ଣଙ୍କର ପୌତ୍ର ତଥା ଅନିରୁଦ୍ଧଙ୍କର ପୁତ୍ର ବ୍ରଜନାରଙ୍କ ଦ୍ବାରା ନିର୍ମିତ ହୋଇଥିଲା। ପରବର୍ତ୍ତୀ କାଳରେ ସୂର୍ଯ୍ୟବଂଶୀ ରାଜାମାନେ ଏହାର ପୁନଃନିର୍ମାଣ କରିଥିଲେ। ଏଠାରେ ଭବନାଥଙ୍କର ଏକ ମନ୍ଦିର ମଧ୍ୟ ରହିଛି। ଗୋଲାପୀ ପଥରରେ ନିର୍ମିତ ଏହି ମନ୍ଦିର ମଧ୍ୟରେ ରାଧା ଓ ଦାମୋଦରଙ୍କର ଯୁଗଳ ମୂର୍ତ୍ତି ବିଦ୍ୟମାନ। କିନ୍ତୁ ଏହି ଦାମୋଦର, ବଂଶୀଧାରୀ ଦାମୋଦର ନୁହନ୍ତି; ବରଂ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ନାରାୟଣଙ୍କ ସଂଗରେ ରାଧା। ଏହା କଳା ମୁଗୁନି ପଥରର ମୂର୍ତ୍ତି। ପାଖରେ କ୍ଷୁଦ୍ର ମନ୍ଦିରମାନଙ୍କରେ ବଳରାମ, ରେବତୀ ଓ ଗଣେଶଙ୍କ ମୂର୍ତ୍ତି ପୂଜିିତ। ଏହି କ୍ଷେତ୍ର ନିକଟରେ ଥିବା ହରିନାରାୟଣ ବ୍ରାହ୍ମଣ ସଂପ୍ରଦାୟର ଇଷ୍ଟ। କଥିତ ଅଛି, ଏହି ବ୍ରାହ୍ମଣ ସଂପ୍ରଦାୟ  ଏଠାରେ  ପ୍ରାୟ ୧୨୦୦୦ ବର୍ଷ ଧରି ରହିଆସୁଛନ୍ତି।

ଏହି କୁଣ୍ଡ ବା ସରୋବରର ଅନ୍ୟ ଏକ ବିଶେଷତ୍ବ ମଧ୍ୟ ଅଛି। ପଞ୍ଚଦଶ ଶତାବ୍ଦୀର ଗୁଜୁରାଟି କବି ନରସିଂହ ମେହେଟା ଥିଲେ କୃଷ୍ଣଙ୍କର ଅନନ୍ୟ ଭକ୍ତ। ପ୍ରତ୍ୟହ ଦାମୋଦର ସରୋବରକୁ ସ୍ନାନ କରିବାକୁ ଆସି ଗୀର୍ଣ୍ଣାର ପାଦଦେଶରେ ବସି ସେ ଶ୍ରୀକୃଷ୍ଣଙ୍କ ନିମିତ୍ତ ପ୍ରଭାତୀ ସଂଗୀତ ଗାନ କରୁଥିଲେ। ଏଠାରେ ଏକ ପ୍ରାଚୀନ ମନ୍ଦିର ଅଛି, ଯେଉଁଠାରେ ସନ୍ଥକବି ନରସିଂହ ମେହେଟାଙ୍କର ଏକ ମୂର୍ତ୍ତି ରହିଛି। ତାଙ୍କର ସମସ୍ତ ରଚନା  ବିଭିନ୍ନ ମନ୍ଦିରରେ ଗାୟନ କରାଯାଏ। ୧୮୯୦ ମସିହାରେ ନବାବ ମହମ୍ମଦ ବାହାଦୁର ଖାନ୍‌ଙ୍କର ଦେୱାନ ହରିଦାସ ବିହାରୀ ଦାସ ଦେଶାଇ ସାଧାରଣ ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରି ଏହି ମନ୍ଦିର ନିର୍ମାଣ କରିଥିଲେ। ଦାମୋଦର ସରୋବର ନିକଟରେ ରୈବତଙ୍କ କନ୍ୟା ତଥା ବଳରାମଙ୍କ ପତ୍ନୀ ରେବତୀଙ୍କ ନାମାନୁସାରେ ଏକ କୁଣ୍ଡ ରହିଛି। ତାହାର ନାମ ରେବତୀ କୁଣ୍ଡ। ଏହି କୁଣ୍ଡ ନିକଟରେ ସନ୍ଥ ବଲ୍ଲଭାଚାର୍ଯ୍ୟ ବୈଠକୀ ରହିଛି। ନିକଟରେ ଅଛି ପ୍ରସିଦ୍ଧ ମୁଚୁକୁନ୍ଦ ଗୁମ୍ଫା। ଦାମୋଦର କୁଣ୍ଡକୁ ସର୍ବଦା ଜଳପୂର୍ଣ୍ଣ କରି ରଖିବାପାଇଁ ବ୍ୟବସ୍ଥା କରାଯାଇଛି।