ଭାରତର ସ୍ବାଧୀନତା ହାସଲ କ୍ଷେତ୍ରରେ ଗାନ୍ଧୀଜିଙ୍କ ଲବଣ ସତ୍ୟାଗ୍ରହ ପରିକଳ୍ପନା ଥିଲା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ସାରା ଭାରତବର୍ଷର ସବୁ ଶ୍ରେଣୀର ଲୋକଙ୍କୁ ଉଦବୁଦ୍ଧ କରାଇବା ଲକ୍ଷ୍ୟରେ ସମୁଦ୍ର ଜଳରୁ ଲୁଣ ମାରିବାକୁ ସେ ଆଇନ ଅମାନ୍ୟ ଆନ୍ଦୋଳନ ଭାବେ ବାଛି ନେଇଥିଲେ। ସମୁଦ୍ର କୂଳବର୍ତ୍ତୀ ଲୋକଙ୍କର ଲୁଣ ମାରିବା ଅଧିକାରକୁ ପ୍ରଥମେ ବ୍ରିଟସ୍ ସରକାର ୧୮୯୧ରେ ଏକ ଆଇନ୍ କରି ଛଡ଼ାଇ ନେଇଥିଲେ ଏବଂ ଲୁଣ ଉପରେ ଟିକସ ଧାର୍ଯ୍ୟ କରିଥିଲେ। ଲୁଣର ମୂଲ୍ୟ ବୃଦ୍ଧି ଘଟିବା ସହିତ ଲୁଣ ବ୍ରିଟିସ୍ ସରକାରଙ୍କ ଏକଚାଟିଆ ବ୍ୟବସାୟ ହୋଇଯାଇଥିଲା।
ଗାନ୍ଧୀଜି ସ୍ଥିର କଲେ- ଅହମ୍ମଦାବାଦର ପଶ୍ଚିମରେ ଦୁଇ ଶହ ମାଇଲ୍ ଦୂର ଆରବ ସାଗର ଉପକୂଳ ଦାଣ୍ଡୀ ନାମକ ସ୍ଥାନରେ ଲବଣ ଆଇନ ଅମାନ୍ୟ କରିବେ। ଯୋଜନା ଅନୁସାରେ ୧୯୩୦ ମାର୍ଚ୍ଚ ୧୨ ତରିଖ ପ୍ରତ୍ୟୁଷରୁ ସାବରମତୀ ଆଶ୍ରମରୁ ଆରମ୍ଭ ହେଲା ଐତିହାସିକ ଦାଣ୍ଡୀ ଯାତ୍ରା। ଗାନ୍ଧୀଜିଙ୍କ ସହଯାତ୍ରୀ ଥିଲେ ମୋଟ ୭୮ ଜଣ। ଗାନ୍ଧୀଜିଙ୍କ ହାତରେ ଥିଲା ଏକ ଇଞ୍ଚ୍ ଗୋଲେଇ ଓ ଚଉବନ ଇଞ୍ଚ୍ ଲମ୍ବର ଏକ ବାଉଁଶ ଠେଙ୍ଗା, ଆଉ ଅଣ୍ଟାରେ ଝୁଲୁଥିଲା ଗୋଟିଏ ରୁପାର ଘଡ଼ି। ଚବିଶ ଦିନର ଯାତ୍ରା ପରେ ଦାଣ୍ଡୀରେ ପହଞ୍ଚି, ଗାନ୍ଧୀ ଲୁଣ ମାରିବା ଆରମ୍ଭ କରିଥିଲେ।