ଇତିମଧ୍ୟରେ ଆମ ଜୀବନ ଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ‘ମୋବାଇଲ୍ ଫୋନ୍’ ହିଁ ଆଣିଛି ଏଭଳି ପରିବର୍ତ୍ତନ। ଏହାକୁ ଆୟୁଧ କରି ସମସ୍ତେ ସବୁକିଛି ନିଜ ହାତମୁଠାରେ ରଖିବାକୁ ଚାହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ, ସାମାଜିକ ଜୀବନ ସବୁଠାରେ ଏହା ଯୋଡ଼ି ହୋଇଗଲାଣି। ନିଜ ସଂପର୍କୀୟଙ୍କଠାରୁ ବି ଏବେ ସେ ଆହୁରି ନିଜର। ମନେହେଉଛି, ‘ମୋବାଇଲ୍ ଫୋନ୍’ ବିନା ଯେଭଳି ସବୁକିଛି ଅସମ୍ଭବ! କଥାବାର୍ତ୍ତା ହେବା ପ୍ରାଥମିକ ଆବଶ୍ୟକତା ଥିଲା। ଏବେ ଏହାକୁ ଟପି ଘରର ବିଦ୍ୟୁତ୍ ବିଲ୍ ପଇଠ, ରାସନ କିଣିବା, ବ୍ୟାଙ୍କ ଆକାଉଣ୍ଟ ପରିଚାଳନା, ଖବର, ମନୋରଂଜନ- ସବୁଥିରେ ଏହାର ନିର୍ଭରଶୀଳତା ବଢ଼ିଛି। ତା’ ମାୟାଜାଲରେ ବୟସ୍କଙ୍କ ଠୁ ଯୁବକ, ଯୁବତୀ, ଛୋଟପିଲା ସମସ୍ତେ ଛନ୍ଦି ହୋଇଯାଇଛନ୍ତି। ମାତ୍ରାଧିକ ନିର୍ଭରଶୀଳତା ଏବେ ଲାଭ ଅପେକ୍ଷା କ୍ଷତିକୁ ବହୁଗୁଣିତ କରିସାରିଲାଣି। ‘ହାତ ମୁଠାରେ ଦୁନିଆ’ ବୋଲି ଏକଦା ସ୍ଲୋଗାନ ଦିଆଯାଇଥିଲା। ଏବେ କିନ୍ତୁ ‘ହାତମୁଠାରେ ପୁଳାପୁଳା ବିପଦ; ମୃତ୍ୟୁ ବି’। ଏମିତି କିଛି ବୟାନ କରେ ବର୍ଷ ୨୦୨୩ର ଘଟଣା, ଦୁର୍ଘଟଣା ...
ପିଲା ବି ମୋବାଇଲ୍ ଫୋନ୍ ମାୟାରେ ବାୟା
ମୋବାଇଲ୍ ଫୋନ୍ ମାୟାରେ ଛୋଟ ଛୁଆ ବି ବାୟା। ନାନା ବାୟା ଗପ ଶୁଣାଇ ପାରୁନଥିବା ମାଆ ଏବେ ଅଝଟ ପିଲାଙ୍କୁ ବୁଝାଇବା ଲାଗି ମୋବାଇଲ୍ ଫୋନ୍ ଧରାଇ ଦେଉଛନ୍ତି। ଏହି ମାୟା ତାଙ୍କୁ ପରବର୍ତ୍ତୀ ସମୟରେ ଏମିତି ବାୟା କରୁଛି ଯେ ନିଜ ଅଜାଣତରେ ସେମାନେ ଅପରାଧୀଙ୍କ ହାତ ମୁଠାକୁ ଚାଲି ଆସୁଛନ୍ତି। ଛୋଟପିଲା ଏହାର ବିଭିନ୍ନ ଗେମିଂ ଆପ୍ ବ୍ୟବହାର କରି ଲୁଟ୍ର ଶିକାର ହେବା ଜଣାପଡ଼ିବା ପରେ ନେଇ ଚିନ୍ତା ବଢ଼ିଛି। ଗୋଟିଏ ସମୟରେ ବ୍ଲୁ-ହ୍ବେଲ୍, ମୋମୋ ଗେମ୍, ପବ୍ଜି, ଫ୍ରିଫାୟାର୍ ଗେମ୍ସକୁ ନେଇ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ମୋମୋ ଗେମ୍ ଯୋଗୁଁ ଭୁବନେଶ୍ବରର ଇଞ୍ଜିନିୟରିଂ ଛାତ୍ର ଉମାକାନ୍ତ ବେହେରା (୨୫) ଆତ୍ମହତ୍ୟା କରିବା ଏହାର ଗୋଟିଏ ଉଦାହରଣ। ଅନ୍ଲାଇନ୍ ଗେମ୍ ଖେଳି ଟଙ୍କା ହରାଇବା ଏବଂ ପରେ ପରିବାର ଲୋକଙ୍କ ତାଗିଦ୍ ପାଇଁ ଯୋଡ଼ା ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ର ଅମିତାଂଶୁ ଆପଟ ଆତ୍ମହତ୍ୟା କରିବା ଆଉ ଗୋଟିଏ ଘଟଣା।
ଖୋର୍ଧାରେ ଜଣେ ଶିକ୍ଷକ ମୋବାଇଲ୍ ଫୋନ୍ ଧରି ପକାଇବାରୁ ସଂପୃକ୍ତ ଛାତ୍ର ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ନେଇଥିଲା।
ଆତଙ୍କବାଦର ଅସ୍ତ୍ର
ବିସ୍ଫୋରଣ ଘଟାଇ ଲୋକଙ୍କ ମନରେ ଆତଙ୍କ ବୁଣୁଥିବା ଦୁର୍ଦାନ୍ତ ଅପରାଧୀ ଏବେ ଆତଙ୍କବାଦର ନୂଆ ପରିଭାଷା ଉନ୍ମୋଚନ କଲେଣି। ମୋବାଇଲ୍ ଫୋନ୍ ଜରିଆରେ ସାରାଦେଶର ତଥ୍ୟକୁ ହାତେଇବା ସହିତ ଯେ କୌଣସି ସ୍ଥାନରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି ଓ ପରିଚାଳନା ବି। ଗତ ଫେବ୍ରୁଆରିରେ ହନିଟ୍ରାପ୍ର ଶିକାର ହୋଇ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାବୁରାମ ନାମକ ଜଣେ ଯୁବକ ମୋବାଇଲ୍ ଜରିଆରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରେରଣ ଘଟଣା ସାମ୍ନାକୁ ଆସିଥିଲା। ବର୍ଷଶେଷ ବେଳକୁ ଯାଜପୁର ଜିଲ୍ଲା ଧର୍ମଶାଳାରୁ ସନ୍ଦିଗ୍ଧ ଈଶାନ ବୁଖାରୀକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗିରଫ କରି ଜେରା କରୁଛି। ମୋବାଇଲ୍କୁ ଅସ୍ତ୍ର କରି ଜଣେ ପରେ ଜଣେ ଝିଅକୁ ଫସାଇବା, ସେ ଅଞ୍ଚଳରେ ଆଡ୍ଡା ଜମାଇ ଲୋକଙ୍କ ବିଶ୍ବାସଭାଜନ ହେବା ଥିଲା ତାର କାମ। ସେ କେତେ ତଥ୍ୟ ଦେଇଛି, ସେ ରହସ୍ୟ ଉନ୍ମୋଚନ ହୋଇନି, ମାତ୍ର ଏକାଧିକ ରାଜ୍ୟର ପୁଲିସକୁ ଈଶାନ ଚକ୍ମା ଦେଇ ଛଦ୍ମବେଶରେ ବୁଲୁଥିଲା।
କେବଳ ସେତିକି ନୁହେଁ, ପାକିସ୍ତାନୀ ଗୁଇନ୍ଦା ଓ ଆତଙ୍କୀ ଏଜେଣ୍ଟ ଓଡ଼ିଶାରେ ଜାଲ ବିଛାଇବା କ୍ଷେତ୍ରରେ ମୋବାଇଲ୍ ଫୋନ୍କୁ ଭରପୂର ବ୍ୟବହାର କରୁଛନ୍ତି। ହଜାର ହଜାର ବେନାମୀ ସିମ୍ ବ୍ୟବହାର କରି ହ୍ବାଟ୍ସଆପ୍ ଆକାଉଣ୍ଟ୍ର ଓଟିପି, ଟ୍ବିଟର(ଏକ୍ସ), ଫେସ୍ବୁକ, ଇନ୍ଷ୍ଚା, ଟେଲିଗ୍ରାମ ଆକାଉଣ୍ଟ୍ ଓଟିପି ହାତେଇ ଅପରାଧର ନୂଆ ଫର୍ଦ ଯୋଡ଼ିଛନ୍ତି। ରୢାକେଟ୍ର ମୁଖ୍ୟ ନୟାଗଡ଼ ଇଟାମାଟିର ପଠାଣୀ ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ, ପ୍ରଦ୍ୟୁମ୍ନ ସାହୁ, ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ, ବରି ଅଞ୍ଚଳର ପ୍ରୀତମ କର, ମହାରାଷ୍ଟ୍ରରୁ ଅଭିଜିତ୍ ସଞ୍ଜୟ ଜାମ୍ବୁରେ ଓ ମହମ୍ମଦ ଇକବାଲ୍ ହୁସେନ୍କୁ ଗିରଫ କରିବା ପରେ ଆତଙ୍କୀ ଲିଙ୍କ୍ କଥା ପଦାକୁ ଆସିଥିଲା। ଏବେ ବି ମାମଲାର ତଦନ୍ତ ଜାରି ରହିଛି।
୧୧% ଦୁର୍ଘଟଣାର କାରଣ
ପ୍ରାଥମିକତା କ’ଣ? ଗାଡ଼ି ଚାଳନା ନା କଥାବାର୍ତ୍ତା? ଏହି ନିଷ୍ପତ୍ତି ଅଭାବରେ ରାଜ୍ୟରେ ଅପରାଧର ଯେଉଁ ନୂଆ ଦିଗ ଉନ୍ମୋଚିତ ହୋଇଛି, ତାହା ଛାତି ଥରାଇଦେବା ଭଳି। ରାସ୍ତାରେ ଗା଼ଡି ଚଳାଇବା ସମୟରେ ଚାଳକ କାନରେ ମୋବାଇଲ୍ ଫୋନ୍ ଦେଇ କଥା ହେବା ସଡ଼କ ଦୁର୍ଘଟଣାର ଅନେକ କାରଣ ମଧ୍ୟରୁ ଏକ ପ୍ରମୁଖ କାରଣ ଭାବେ ଉଭା ହେଲାଣି। ରାଜ୍ୟରେ ହେଇଥିବା ସଡ଼କ ଦୁର୍ଘଟଣାର ୧୧% ମୋବାଇଲ୍ ଫୋନ୍ ଜନିତ ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ। କଥାବାର୍ତ୍ତାରେ ଚାଳକ ଏତେ ମଜ୍ଜି ଯାଉଛନ୍ତି ଯେ ଗାଡ଼ି ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। କାହାର ଜୀବନ ଯାଉଛି ତ, ଆଉ କିଏ ପଙ୍ଗୁ ହୋଇଯାଉଛି। ଦୁର୍ଘଟଣା କାରଣରୁ ବ୍ୟକ୍ତି ଅପେକ୍ଷା ପରିବାର ସର୍ବାଦୌ କ୍ଷତି ସହିଥାଏ। ମୋବାଇଲ୍ ଫୋନ୍ ଜନିତ ଅସାବଧାନତା କାରଣରୁ ରୋଷେଇ ଘରେ ବିସ୍ଫୋରଣ ବା ଅଗ୍ନିକାଣ୍ଡ ଘଟିବାର ନଜିର ମଧ୍ୟ େଦଖାଗଲାଣି।
ଏଆଇ ଚ୍ୟାଲେଞ୍ଜ
ପିକ୍ନିକ୍ ଯାନ୍ତୁ କି କୌଣସି ଉତ୍ସବ। ମୋବାଇଲ୍ ଫୋନ୍ରେ ଫଟୋ ଉଠାଇବା ଓ ଏହାକୁ ତୁରନ୍ତ ଯେ କୌଣସି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଖାଲି ଫେସନ୍ ନୁହେଁ, ଏନେଇ ପ୍ରତିଯୋଗିତା ଚାଲିଛି। କିନ୍ତୁ ଆମ ଅଜାଣତରେ ସେହି ପୋଷ୍ଟ୍ କାଳ ସାଜୁଛି। ତା’ରି ମାଧ୍ୟମରେ ଆମ ଚିତ୍ର, ଚରିତ୍ରକୁ କଳଙ୍କିତ କରାଯାଉଛି। ଏହାର ବଡ଼ ଅସ୍ତ୍ର ସାଜିଛି ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି)। ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଶିକାର ହୋଇଛନ୍ତି। ଓଡ଼ିଶାରେ ଏଯାଏ ଠୋସ୍ ଭାବେ ଏଆଇ ପ୍ରଭାବ ଠାବ ହୋଇଥିବା ପୁଲିସ କହିନାହିଁ। କିନ୍ତୁ ନିକଟରେ କଟକରେ ଏକ ମାମଲାର ତଦନ୍ତ ବେଳେ ଏହି ପ୍ରସଙ୍ଗଟି ଆଲୋଚନାକୁ ଆସିଥିଲା। ଆଗକୁ ଏଆଇ ଭୟ ଜଳଜଳ।
ଆତ୍ମହତ୍ୟା, ଯୌନ ଶୋଷଣ
ମୋବାଇଲ୍ ଫୋନ୍ର ପ୍ରବେଶ ଏବେ କଲେଜ ସୀମା ଡ଼େଇଁ କ୍ଲାସ୍ରୁମ୍ରେ ବି ପଶିଲାଣି। ପିଲାଙ୍କ ପାଠପଢ଼ା ବ୍ୟାଗ୍, ବସ୍ତାନିରେ ବି ତାର ଆଡ୍ଡା। ମୋବାଇଲ୍ ଫୋନ୍ ଜରିଆରେ ଫେସବୁକ୍, ଇନ୍ଷ୍ଟା ଓ ଅନ୍ୟ ଡେଟିଂ ସାଇଟ୍ରେ ଯୋଡ଼ି େହାଇ କିଏ କେତେବେଳେ ବିପଦକୁ ଚାଲିଆସୁଛନ୍ତି, ତାହା ଜାଣିବା ମୁସ୍କିଲ୍। ଏହା ଧୀରେଧୀରେ ଶୋଷଣ ଓ ଆତ୍ମହତ୍ୟା ଆଡ଼କୁ ବି ଟାଣିନେଉଛି। ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ଲିଭ୍ ଇନ୍। ମିଛ ବିଶ୍ବାସ ବେଳେ ବେଳେ ସତ ମନେକରି ମୋବାଇଲ୍ ଜରିଆରେ ସବୁ କଥାବାର୍ତ୍ତା ଚାଲୁଛି। ସେଥିରୁ ବ୍ଲାକ୍ମେଲିଂ ବି ଜନ୍ମନେଉଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ନେଣଦେଣ ଯାଏ ସବୁକିଛି ଚାଲୁଛି। ପରେ ଏହା ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି ଖଳନାୟକମାନେ। ଏ ସଂକ୍ରାନ୍ତ ଅପରାଧ ଏବେ ଉପରମୁହାଁ ପାଲଟିଛି। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ, ମାନସ ସ୍ବାଇଁ ଆଦି ମାମଲା ଏହାର ଉଦାହରଣ। ଏନ୍ସିଆର୍ବି ରିପୋର୍ଟ ଅନୁସାରେ ପାଖାପାଖି ୭୩୦୦ରୁ ଅଧିକ ମାମଲା ଏ ସଂକ୍ରାନ୍ତରେ ରୁଜୁ ହୋଇଛି। ଚଳିତବର୍ଷ କମିସନରେଟ୍ ପୁଲିସ ରାଜସ୍ଥାନରୁ ମହମ୍ମଦ ଆଝାରୁଦ୍ଦିନ୍ ଅନସାରୀ ଓ ସକିର୍ ଖାନ୍କୁ ଗିରଫ କରିଥିଲା।
ଠକଙ୍କ କବ୍ଜାରେ ...
ସାଇବର ଠକ ଏବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ବିଶ୍ବକୁ କବ୍ଜା କରିବାକୁ ବସିଲେଣି। ମୋବାଇଲ୍ ଫୋନ୍ ସେମାନଙ୍କ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଛି। କେତେବେଳେ କ୍ରେଡିଟ କାର୍ଡ ତ ପୁଣି କେତେବେଳେ ଲୋନ୍ ଆପ୍, ନ୍ୟୁଡ୍ କଲ, ଫେକ୍ କଲ୍ ମାଧ୍ୟମରେ ସେମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି। ସେହିପରି ପୁଞ୍ଜି ନିବେଶ, କ୍ରେଡିଟ୍ କାର୍ଡ, ବୀମା, ବିଦ୍ୟୁତ୍ ବିଲ୍ ପୈଠ, ଅନ୍ଲାଇନ୍ ସପିଙ୍ଗ୍, ଟ୍ରାଭେଲ ଟିକେଟ୍ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଗତ ୫ ବର୍ଷରେ ରାଜ୍ୟରେ ପାଖାପାଖି ୫୫,୫୦୦ ସାଇବର ଠକେଇ ଅଭିଯୋଗ ହୋଇଛି। ଏହି ସମୟରେ ବିଭିନ୍ନ ଥାନା ଓ ସାଇବର ଥାନାରେ ୯୫୮୦ଟି ମାମଲା ରୁଜୁ ହୋଇଛି। ଏହାଛଡ଼ା ଅନେକ ଘଟଣା ମଧ୍ୟ ପୁଲିସ ପାଖରେ ପହଞ୍ଚିପାରୁ ନାହିଁ। ୨୦୧୮ରୁ ୨୦୨୩ ମଧ୍ୟରେ ସାଇବର ଅପରାଧୀ ରାଜ୍ୟରୁ ୧୪୦ କୋଟିରୁ ଊର୍ଧ୍ବ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସେହିପରି ୨୦୨୦ରୁ ୨୦୨୩ (ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ) ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି) ମାଧ୍ୟମରେ ୨୨,୪୦୮ ଅଭିଯୋଗ ଆସିଛି। ସାଇବର ହେଲ୍ପ ଡେସ୍କ ଜରିଆରେ ୨୦୨୧(ଫେବ୍ରୁଆରି ୨୮ରୁ) ୨୦୨୩ (ଜାନୁଆରି) ପର୍ଯ୍ୟନ୍ତ ସାଇବର ଠକେଇ ସଂକ୍ରାନ୍ତରେ ୧୯,୫୦୮ଟି ଅଭିଯୋଗ ଆସିଛି। ସେଥିରୁ ଠକେଇର ଶିକାର ବିଭିନ୍ନ ବ୍ୟକ୍ତିଙ୍କୁ ୩ କୋଟି ୬୦ ଲକ୍ଷ ୭୦ ହଜାର ୬୪୨ ଟଙ୍କା ଫେରସ୍ତ କରାଯାଇଛି। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୧ କୋଟି ୨୮ ଲକ୍ଷ ଟଙ୍କା ଫ୍ରିଜ୍ କରା ଯାଇଛି। ଠକେଇର ମୋଟ୍ ପରିମାଣ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଥ୍ୟ ଦିଆଯାଇ ନ ଥିବାବେଳେ ଏହା ୧୦୦ କୋଟିକୁ ଟପିଯିବ ବୋଲି କୁହାଯାଉଛି।
ଅପରାଧୀର ପ୍ରମୁଖ ଅସ୍ତ୍ର, ମୋବାଇଲ୍ରେ ୯୦% ବ୍ଲୁ-ପ୍ରିଣ୍ଟ୍
ଅପରାଧ ଘଟାଇ କିଭଳି ପୁଲିସ ଓ ଗୁଇନ୍ଦାକୁ ଚକ୍ମା ଦେବେ, ଯେଭଳି ସେମାନଙ୍କ ଅପରେସନର ବିନ୍ଦୁ ବିସର୍ଗ ତଦନ୍ତ ବେଳେ ମିଳିବ ନାହିଁ, ସେଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଆପଣାଇ ଅପରାଧର ନକ୍ସା ପ୍ରସ୍ତୁତ କରୁଛନ୍ତି ଅପରାଧୀ। ମୁଖ୍ୟ ମାଧ୍ୟମ ସାଜିଛି ମୋବାଇଲ୍। ହତ୍ୟା, ନିଶା କାରବାର, ବନ୍ଧୁକ ଚୋରା ଚାଲାଣ, ସିନ୍ଧିଚୋରି ଠୁ ଡକାୟତି ଘଟାଇବା ପୂର୍ବରୁ ହ୍ବାଟସ୍ଆପ୍ ବା ବିଭିନ୍ନ ଚାଟିଂ ଆପ୍ରେ ନିଜର ଗ୍ରୁପ୍ କରି ଅପରାଧ ଘଟାଉଥିବା ପ୍ରମାଣମିଳିଛି ଏବର୍ଷ। ଏପରିକି କୋଡ୍ରେ ଅପରାଧର ଡିଲ୍ ହେଉଛି। ଏକଥା ଲେଖିବା ବେଳେ ମନେପଡ଼େ ମୋବାଇଲ୍ରେ ଅନ୍ତରଙ୍ଗ ମୁହୂର୍ତ୍ତର ରେକଡିଂରୁ ଘଟିଥିଲା ମାନସ ସ୍ବାଇଁ ହତ୍ୟାକାଣ୍ଡ। ଚିପ୍ ହାତେଇବା ପାଇଁ ହତ୍ୟାକାଣ୍ଡ ରଚନା ହୋଇଥିଲା। ସେହିଭଳି ମୋବାଇଲ୍ କୋଡ୍ ବ୍ୟବହାର କରି କନ୍ଧମାଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ୬ଜଣିଆ ଗ୍ୟାଙ୍ଗ୍। ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଏମାନଙ୍କୁ ଗିରଫ କରିଥିଲା। ଏପଟେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ହେରୋଇନ୍ ଓ ଏହି କାରବାରକୁ ବି ନିୟନ୍ତ୍ରଣ କରୁଥିଲା ମୋବାଇଲ୍, ଯାହା ଏସ୍ଟିଏଫ୍ ଧରିବା ପରେ ସାମ୍ନାକୁ ଆସିଥିଲା। ଏ ତାଲିକା ବେଶ୍ ଲମ୍ବା। ଏପରିକି ବଜ୍ରକାପ୍ତା କାରବାରରେ ମଧ୍ୟ ମୋବାଇଲ୍ ଫୋନ୍କୁ ଅସ୍ତ୍ର କରାଯାଉଛି। ଏବର୍ଷ ଘଟିଥିବା ପ୍ରତି ଶହେ ଅପରାଧ ମଧ୍ୟରୁ ୯୦ରୁ ଅଧିକ ମାମଲାରେ ମୋବାଇଲ୍ ଫୋନ୍କୁ ପ୍ରମୁଖ ଉପକରଣ ଭାବେ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଛି। ଅନ୍ୟପକ୍ଷରେ ପୁଲିସ ଅପରାଧର ଖିଅ ଧରିବାରେ ବି ମୋବାଇଲ୍ ଫୋନ୍କୁ ବ୍ୟବହାର କରୁଛନ୍ତି।