ଭାରତ ଆକାଶରେ ଅଙ୍ଗାରକାମ୍ଳ ବାଷ୍ପର ସାନ୍ଦ୍ରତା ଚିନ୍ତାରେ ପକାଇଛି। ସଂପ୍ରତି ଏହାର ମାତ୍ରା ନିୟୁତ ପିଛା ୪୨୦-୪୬୦ କଣିକା (ପିପିଏମ୍‌) ରହିଛି। ଏହି ଉଦ୍‌ବେଗଜନକ ବୃଦ୍ଧି ଲାଗି ମୁଖ୍ୟତଃ କଳକାରଖାନା, ବନାଗ୍ନି ଓ ସହରୀ ନିର୍ଗମନ ଦାୟୀ

Advertisment

ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ନିୟମିତ ଭାବରେ ଚକିତ କଲା ଭଳି ଫଟୋଚିତ୍ର ସଂଗ୍ରହ କରିବାରେ ଲାଗିଛି, ଯାହା ଅନ୍ତରୀକ୍ଷ ପ୍ରେମୀଙ୍କୁ ମୁଗ୍‌ଧ କରି ଆସିଛି। ସମ୍ପ୍ରତି ୟୁଟ୍ୟୁବ୍‌ରେ ‘ନାସା’ ଏକ ଅଭୂତପୂର୍ବ ଦୃଶ୍ୟାୟନ ଟୁଲ୍‌ ଉନ୍ମୋଚନ କରିଛି ଯେଉଁଥିରେ ଆମ ଗ୍ରହରେ ଅଙ୍ଗାରକାମ୍ଳ ବାଷ୍ପ କିପରି ଗତି କରେ, ତାହାର ଏକ ଉଦ୍‌ବେଗଜନକ ଦୃଶ୍ୟ ଉପସ୍ଥାପନ କରାଯାଇଛି। ଏହି ଆନିମେଟେଡ୍‌ ମାନଚିତ୍ରରେ ବିଶ୍ବର ଅଙ୍ଗାରକାମ୍ଳ ବ୍ୟାପ୍ତି ପ୍ରଦର୍ଶିତ ହୋଇଛି।

ସୁପରକମ୍ପ୍ୟୁଟର ସାହାଯ୍ୟରେ ‘ଗୋଡାର୍ଡ ଆର୍ଥ ଅବ୍‌ଜର୍ଭି ସିଷ୍ଟମ୍’ (ଜିଓସ୍‌) ନାମକ ଏକ ଉଚ୍ଚ ରିଜୋଲୁସନ୍‌ ବିଶିଷ୍ଟ ପାଣିପାଗ ବିଶ୍ଳେଷଣ ପଦ୍ଧତିରେ ଆମ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ଅବସ୍ଥିତି ସମ୍ପର୍କରେ ଉକ୍ତ ମାନଚିତ୍ର ସୃଷ୍ଟି କରାଯାଇଛି। ଏଥିରେ ମେଘ ଓ ଝଡ଼ ସୃଷ୍ଟିଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରାକୃତିକ ଘଟଣାବଳୀ ମଧ୍ୟ ସ୍ଥାନିତ ହୋଇଛି। ଏହି ଭିଡିଓରେ ଭୂପୃଷ୍ଠରୁ ଏକ କମଳା ରଙ୍ଗର ଧୂମ୍ର କୁଣ୍ଡଳୀ (ଅଙ୍ଗାରକାମ୍ଳ ବାଷ୍ପ) ପୃଥିବୀ ଚାରିପଟେ ଘୂରୁଥିବା ଦେଖାଯାଇଛି। ଭାରତ ଉପରେ ଏକ ଅଙ୍ଗାରକାମ୍ଳ ଚାଦର ସୃଷ୍ଟି ହେବା ସହ ପଡ଼ୋଶୀ ମହାଦେଶମାନଙ୍କରୁ ମାଡ଼ି ଆସି ସେଥିରେ ମିଶୁଥିବା ଦେଖାଯାଇଛି। ‘ନାସା’ର ଆକଳନ ଅନୁଯାୟୀ, ଭାରତ ଆକାଶରେ ଅଙ୍ଗାରକାମ୍ଳ ବାଷ୍ପର ସାନ୍ଦ୍ରତା ନିୟୁତ ପିଛା ୪୨୦ରୁ ୪୬୦ କଣିକା (ପିପିଏମ୍‌) ପରି ଉଚ୍ଚ ରହିଛି। ଏତେ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ମୁଖ୍ୟତଃ କଳକାରଖାନା, ବନାଗ୍ନି ଓ ସହରାଞ୍ଚଳରୁ ଆସୁଥିବା ଜଣାଯାଇଛି। ଏହି ଅଙ୍ଗାରକାମ୍ଳ ନିର୍ଗମନର ସିଂହଭାଗ ମୁଖ୍ୟତଃ ଚୀନ୍‌, ଆମେରିକା ଓ ଦକ୍ଷିଣ ଏସିଆର ଶକ୍ତି ଉତ୍ପାଦନ କେନ୍ଦ୍ର, କଳକାରଖାନା ଓ ଗାଡ଼ିମୋଟରରୁ ନିର୍ଗତ ହେଉଛି। ଅପରପକ୍ଷେ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଅଙ୍ଗାରକାମ୍ଳ ବାଷ୍ପ ମୁଖ୍ୟତଃ ବନାଗ୍ନି ଓ କ୍ଷେତ ନିଆଁରୁ ଆସୁଛି। ଉଲ୍ଲେଖଯୋଗ୍ୟ, ଅଙ୍ଗାରକାମ୍ଳ ହେଉଛି ଅନ୍ୟତମ ତାପ ଗ୍ରହଣକାରୀ ସବୁଜଗୃହ ବାଷ୍ପ ଯାହା ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ମୁଖ୍ୟତଃ ଦାୟୀ।