ଦରଭଙ୍ଗା: ଉଭୟ ନିଟ୍ ଓ ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳ ହୋଇ ଏବେ ଚର୍ଚ୍ଚାରେ ଅକ୍ଷରା। ବିହାରର ଦରଭଙ୍ଗାରେ ରହୁଥିବା ଅକ୍ଷରାଙ୍କୁ ଏହି ଅପୂର୍ବ ସଫଳତା ମିଳିଛି। ସବୁଠାରୁ ବଡ଼ କଥା ହେଲା ପ୍ରଥମ ଥରରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅକ୍ଷରା ପାଠ ପଢ଼ିବା ସହ ନିଟ୍ ଓ ଜେଇଇ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ। କିଛି ସମୟ ପାଇଁ ଅକ୍ଷରା ଏକ କୋଚିଂ ସେଣ୍ଟର ସହ ଯୋଡି ହୋଇ ଅନଲାଇନରେ ପାଠ ପଢ଼ୁଥିଲେ ବୋଲି ଜଣାପଡ଼ିଛି। ତେବେ ଉଭୟ ନିଟ୍ ଓ ଜେଇଇ ଆଡଭାନ୍ସ ପରୀକ୍ଷାରେ ସଫଳ ହେବା ପରେ ଅକ୍ଷରାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ଡାକ୍ତର ହେବେ ନା ଇଞ୍ଜିନିୟର? ଏହାର ଉତ୍ତରରେ ସେ କହିଥିଲେ ଯେ ପାଠ ପଢ଼ା ଶେଷ ହେବା ପରେ ଦେଶର ସେବା କରିବା ତାଙ୍କର ଲକ୍ଷ୍ୟ।
ସେ କହିଥିଲେ ଯେ ନିଟ୍ ପରେ ସେ ନିଜେ ପ୍ରଥମ ପ୍ରୟାସରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି। ଏହି ସଫଳତା ପରେ ଅକ୍ଷରା ଆଇଆଇଟି ଦିଲ୍ଲୀ କିମ୍ବା ମୁମ୍ବାଇରେ ଅଧ୍ୟୟନ ସମାପ୍ତ କରି ଦେଶ ସେବା କରିବାକୁ ଚାହୁଛନ୍ତି। ଏଭଳି କରି ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିବାକୁ ଚାହୁଥିବା କହିଛନ୍ତି।
ଏହା ସହ ସେ କହିଛନ୍ତି ଯେ ସେ ସମୟକୁ ଦେଖି କେବେବି ପାଠ ପଢ଼ୁନଥିଲେ। ବରଂ ନିଜର ସନ୍ତୁଷ୍ଟି ପାଇଁ ପାଠ ପଢ଼ୁଥିଲେ। ବିଦ୍ୟାଳୟରୁ ପରିବାର ପର୍ଯ୍ୟନ୍ତ, ସମସ୍ତେ ତାଙ୍କୁ ପାଠ ପଢ଼ାରେ ସାହାଯ୍ୟ କରୁଥିଲେ ବୋଲି ସେ ଜଣାଇଛନ୍ତି।