ଭୁବନେଶ୍ବର: ଗାଁ ଗଣ୍ଡାରେ ଆଗରୁ ପିଲା ପାଠ ନପଢିଲେ ବାପାମାଆ କିମ୍ବା ଗୁରୁଜନମାନେ ତାଗିଦ କଲା ପରି କୁହନ୍ତି- ପଢିଲେ ଚାକିରି କରିବୁ, ନପଢିଲେ ଚାଷ କରିବୁ ନହେଲେ ଗୋରୁ ମୁଣିବୁ.. ଯଦିଓ ଚାଷକଲେ ଆମ ପେଟ ପୂରେ, ଆମ ଚୁଲି ଜଳେ, ଆମ ଘର ଚଳେ .. ତଥାପି ଚାଷକୁ ଏକ ଭ୍ରୁକୁଞ୍ଜନ ଆଖିରେ ଏ ଦୁନିଆ ଦେଖି ଆସୁଥିବା ବେଳେ ଏବେ କିନ୍ତୁ ବଦଳିଗଲାଣି ପରିସ୍ଥିତି ଓ ସମୟ । ବଦଳିଲାଣି ଚିନ୍ତାଧାରା.. ଦିନେ ଚାଷକୁ ନିମ୍ନ କହି ଯେଉଁ ବାପାମାଆ ପିଲାଙ୍କୁ ନାଲି ଆଖି ଦେଖାଉଥିଲେ ଏବେ ଚାଷକୁ ପାଠ୍ୟକ୍ରମରେ ଯୋଡ଼ିବାକୁ ପ୍ରୟାସ ଆରମ୍ଭ ହେଲାଣି ।

Advertisment

WhatsApp Image 2025-07-21 at 13.33.34

ପିଲାଙ୍କୁ 'ଚାଷ ଅଛି ଯାହାର, କେଡେ ସୁଖ ତାହାର' କଥାକୁ ମର୍ମେମର୍ମେ ଭେଦେଇବାକୁ ବାପାମାଆ ବି କହିବା ଆରମ୍ଭ କଲେଣି । ଉନ୍ନତ ଜ୍ଞାନ କୌଶଳରେ ଏବେ ଅନେକ ଯୁବପିଢି ଚାକିରି ଛାଡି ଚାଷ କରି କୋଟିପତି ହେବାର ଖବର ଆମେ ବିଭିନ୍ନ ସମୟରେ ଖବରକାଗଜ ଏବଂ ଟିଭିରେ ଦେଖୁଛୁ । ଓଡିଆ ଲୋକ, ଚାଷ ପ୍ରିୟ । ଚାଷ ଆମ ମାଆ, ଚାଷ ଆମ ସାହା.. ଚାଷ ବିନା ସବୁ ଖାଁ ଖାଁ.. ତେଣୁ ଖାଲି ଚାଷ ବାବଦରେ ନୁହେଁ ବରଂ ଚାଷୀର କଥା-ବ୍ୟଥା ଜଣାଇ ଜୈବିକ ପଦ୍ଧତିରେ କେମିତି ପିଲାଏ ସ୍କୁଲ ସମୟରୁ ଚାଷ ପ୍ରତି ଏକ ସୁବିଚାର, ସୁ-ଚିନ୍ତନ ରଖିପାରିବେ ସେନେଇ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କୃଷି ଉପରେ କଲମ ଚାଳନା କରୁଥିବା ଯୁବ ଲେଖକ ଡି ଶୁଭମ୍ । ଯିଏ ବର୍ତ୍ତମାନ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାରେ ଜୈବ ନିରୀକ୍ଷକ ଭାବେ କାର୍ଯ୍ୟରତ ।

511189903_3362161223926042_5472074003300007125_n

ବିଦ୍ୟାଳୟରେ କୃଷି, ପିଲା ଜାଣିବେ ଜୈବିକ କୃଷିର କଥା.. ଏମିତି ଏକ ଚିନ୍ତା ନେଇ ଓଡ଼ିଶାର ବିଭିନ୍ନ ସ୍କୁଲରେ ପହଞ୍ଚି ଏହି ବାର୍ତ୍ତା ଦେବାକୁ ଉଦ୍ୟମ କରୁଛନ୍ତି ଶୁଭମ୍ ଏବଂ ତାଙ୍କ ଟିମ୍ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ହେଉଛି ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନକାରୀ । ‘ସ୍କୁଲ ମେଁ ଖେତି’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜୈବିକ କୃଷି ପ୍ରତି ସଶକ୍ତ କରିବା ପାଇଁ ଶୁଭମ୍ କାମ କରୁଛନ୍ତି । ଏପର୍ଯ୍ୟନ୍ତ ୫ଟି ଜିଲ୍ଲାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଜୈବିକ କୃଷି ପ୍ରତି ସଶକ୍ତ ହୋଇଛନ୍ତି । ଗାଁରେ ପିଲା ବି ଚାଷ ବିଷୟରେ ଜାଣୁଛନ୍ତି । ସେମାନଙ୍କ ଅଞ୍ଚଳର କେଉଁ ଫସଲ ଅଧିକ ପରିମାଣରେ ଚାଷ କରାଯାଏ ତାଙ୍କ ଅଞ୍ଚଳର ମୃତ୍ତିକା କଣ ରହିଛି, ସେଠାକାର ଜଳବାୟୁ କେଉଁ ଚାଷ ପାଇଁ ଉପଯୋଗୀ ଏ ଦିଗରେ କାମ କରୁଛନ୍ତି ଶୁଭମ୍ । କିଏ ଚାଷ କରିବ ନ କରିବ ଅଲଗା କଥା କିନ୍ତୁ ଚାଷକୁ ନେଇ ପିଲାଙ୍କ ମନରେ ମନୋବଳ ବଢାଇବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି ସେ । ଏ ଦିଗରେ ୩୦ଟି ଜିଲ୍ଲାର ୩୦ଟି ସ୍କୁଲରେ ଏହାକୁ କରାଇବାକୁ ଲକ୍ଷ୍ୟ  ରଖିଛନ୍ତି । 

d3f

କୃଷିରେ ସ୍ନାତକୋତ୍ତର କରିଥିବା ଶୁଭମ୍ ବେଶ ଚାଷ ମନସ୍କ । ନିଜେ ପଢିଥିବା ପାଠ ପିଲାଙ୍କ ମନରେ ପିଲାବେଳୁ ଜଣାଇବା ଲକ୍ଷ୍ୟ ରଖିଛନ୍ତି । ସେ କୁହନ୍ତି- ଚାଷ ବି ଚାକିରିଠୁ କମ ନୁହେଁ.. ଏ କଥା ପିଲା ବି ଜାଣିବା ଦରକାର । ତେବେ ପିଲାଙ୍କୁ କେବଳ ପୁସ୍ତକ ନୁହେଁ ବରଂ ଆମ କୃଷି ଆଉ କୃଷକର ମର୍ମ ବେଦନା ବିଷୟରେ ବୁଝାଇବାର ଏ ପ୍ରୟାସ ନିଆରା ବୋଲି ସେ କହୁଥିବା ବେଳେ ଅନ୍ତତଃ ପିଲାଟିଏ ତା ବାପା କରୁଥିବା, ତା ଜେଜେବାପା କରୁଥିବା ଚାଷକୁ ବୁଝିପାରୁ ଯେ- ଚାଷର ଅର୍ଥ କଣ ? ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ କୃଷି ଶିକ୍ଷାକୁ ବିକାଶ କରିବା ସହ ପିଲା ପ୍ରଥମରୁ ଜାଣିବା ଆବଶ୍ୟକ ଯେ କୃଷି ଏକ ନିମ୍ନ କାମ ନୁହେଁ ବୋଲି । 

ପାଠ ନ ପଢ଼ିଲେ ଚାଷ କରିବୁ ଏ ମାନସିକତା ପରିବର୍ତ୍ତନ ହେଉ.. ଯାହା ଧିରେଧିରେ ପରିବର୍ତ୍ତନ ହେଲାଣି ମଧ୍ୟ । ଆମ ସମାଜ କୃଷିକୁ ନେଇ ଆଗକୁ ବଢ଼ୁ ବୋଲି ଆଶା ରଖିଛନ୍ତି ଶୁଭମ୍ । ଗଜପତି ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରୁ କୃଷି ସ୍ନାତକ ପରେ ଭୁବନେଶ୍ଵର ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରୁ କୃଷିରେ ସ୍ନାତକୋତ୍ତର କରିଛନ୍ତି ଶୁଭମ୍ । ଏହାପରେ ସେ ଜୈବିକ କୃଷି ଏବଂ ରସାୟନ ମୁକ୍ତ ଓଡ଼ିଶା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାକୁ ଜୈବିକ ଚାଷରେ ସମୃଦ୍ଧ କରିବାକୁ ଅଭିଯାନ ଆରମ୍ଭ କରିଥିବା ଶୁଭମ୍ ଇତିମଧ୍ୟରେ ଓଡ଼ିଶାର ୧୦ ହଜାରରୁ ଅଧିକ ଚାଷୀଙ୍କୁ ଜୈବିକ କୃଷି ପ୍ରତି ଆକର୍ଷିତ କରିସାରିଛନ୍ତି । ସମସ୍ତଙ୍କ ଶେଷ ବିକଳ୍ପ ଚାଷ । ଅବସର ପରେ ଚାଷ, ରାଜନୀତି ସରିଗଲେ ଚାଷ.. କୋଠା ଘର କରିଥିଲେ ବି ଛାତରେ ହେଉଛି ଚାଷ.. ଯଦି ଚାଷ ଦେଉଛି ମୁହଁରେ ହସ ତାହାଲେ ଚାଷ ପ୍ରତି ପିଲାବେଳୁ କାହିଁକି ଏକ ଆକର୍ଷଣ ନରହିବ, ତାହା ହିଁ ସ୍କୁଲ ସ୍କୁଲ ବୁଲି କରୁଛନ୍ତି ଶୁଭମ୍ । 

45

ଖାଲି ସେତିକି ନୁହେଁ କୃଷି ସ୍ନାତକ ପଢ଼ିବା ସମୟରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ କୃଷି ପତ୍ରିକା ୨୦୧୮ରେ ଆରମ୍ଭ କରିଥିବା ଶୁଭମ୍ ଏବେ ଚାଷ ଉପରେ ଲେଖା ଲେଖା ଜାରି ରଖିଛନ୍ତି । ତାଙ୍କର ଅନେକ ଉପଯୋଗୀ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଛି । ଚାଷ ପ୍ରତି ତାଙ୍କର ଏକ ଭିନ୍ନ ଭଲପାଇବା ଥିବାରୁ ଚାଷ ଓ ଚାଷୀଙ୍କ ପାଇଁ ସେ କରୁଥିବା ପ୍ରୟାସକୁ ବିଭିନ୍ନ ସମୟରେ ଅନେକ ସ୍ଥାନରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କୁ ଅନେକ ସମ୍ମାନ ବି ମିଳିଛି ।