ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ ନାମ- ‘ଦଶାବତାର ଯାତ୍ରା’। ଏପରି ନାମ କାହିଁକି ହୋଇଛି- ସେ ନେଇ ଅଛି ଭିନ୍ନ ଭିନ୍ନ ମତ।
ଏହି ରଥଯାତ୍ରାର ତିନିରଥ ହେଉଛନ୍ତି- ‘ତାଳଧ୍ୱଜ’, ‘ନନ୍ଦିଘୋଷ’ ଓ ‘ଦେବଦଳନ’। ଏହି ତିନିରଥ ଯଥାକ୍ରମେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର। ଦେବୀ ସୁଭଦ୍ରାଙ୍କ ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି। ଏଣୁ ଶ୍ରୀସୁଦର୍ଶନଙ୍କୁ ମିଶାଇ ଦେବତାଙ୍କ ସଂଖ୍ୟା ଚାରି। ଏମାନଙ୍କ ସହିତ, ଶ୍ରୀବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣ ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଯାତ୍ରା କରିଥାନ୍ତି। ଏଣୁ ଚାରି ଦାରୁପ୍ରତିମା ବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସହିତ, ଏହି ତିନି ଧାତୁ ପ୍ରତିମାଙ୍କୁ ମିଶାଇ ରଥର ଦେବତାଙ୍କ ସଂଖ୍ୟା ସାତ।

Advertisment

କିନ୍ତୁ ‘ଦଶାବତାର’ର ଆଉ ତିନି ଦେବତା କିଏ?
ଏ ନେଇ ଭିନ୍ନ ଭିନ୍ନ ମତ ରହିଛି। ଗୋଟିଏ ମତ ହେଉଛି- ଚାରି ଦାରୁବିଗ୍ରହ ଓ ତିନି ଧାତୁପ୍ରତିମାଙ୍କ ସହିତ, ତିନିରଥରେ ତିନି ଧ୍ୱଜଦେବତା ମଧ୍ୟ ଥାଆନ୍ତି। ରଥଯାତ୍ରା ଦିନ, ଦେଉଳ ପୁରୋହିତ ଓ ଅନ୍ୟ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଶ୍ରୀମନ୍ଦିର ପରିସରର ଚାହାଣି ମଣ୍ଡପଠାରେ ଏକ ପ୍ରତିଷ୍ଠାଯଜ୍ଞ କରି ଏହି ତିନି ଧ୍ୱଜଦେବତାଙ୍କର ପୂଜା କରନ୍ତି। ତା’ପରେ ସେମାନଙ୍କୁ ତିନିରଥର ପାରାଭାଡ଼ି ଓ ଖପୁରି ମଧ୍ୟରେ ଅବସ୍ଥାପିତ କରାଯାଏ। ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଧ୍ୱଜଦେବତା ହେଉଛନ୍ତି- ଶ୍ରୀନୃସିଂହ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଧ୍ୱଜଦେବତା ହେଉଛନ୍ତି- ଶ୍ରୀହନୁମାନ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଧ୍ୱଜଦେବୀ ହେଉଛନ୍ତି- ଶ୍ରୀଭୁବନେଶ୍ୱରୀ। ଏଣୁ, ଚାରି ଦାରୁବିଗ୍ରହ, ତିନି ଧାତୁ ପ୍ରତିମା ଓ ତିନି ଧ୍ୱଜଦେବତାଙ୍କୁ ମିଶାଇ ଏହି ‘ଦଶାବତାର’ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। କିନ୍ତୁ ଏ ସଂପର୍କରେ ଆଉ ଗୋଟିଏ ତାତ୍ତ୍ୱିକ ପ୍ରସଙ୍ଗ ଅଛି ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ। ତାହା ଅନୁସାରେ, ତିନିରଥ ହେଉଛନ୍ତି ତିନି ଆସନ-ଦେବତା। ଏଣୁ ଅନ୍ୟ ମତ ଅନୁସାରେ- ଚାରି ଦାରୁଦେବତା, ତିନି ଧାତୁ ବିଗ୍ରହ ଏବଂ ତିନି ଆସନ-ଦେବତା, ଏହିପରି ଦଶଦେବଦେବୀଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ‘ଦଶାବତାର ଯାତ୍ରା’।