ପ୍ରେମ ପାଇଁ ପାହାଡ଼କୁ କାଟି ରାସ୍ତା କରିଥିବା ମାଉଣ୍ଟନ୍‌ ମ୍ୟାନଙ୍କ ପରିବାରରେ ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ: ବଲିଉଡ୍‌ ଚଳଚ୍ଚିତ୍ର ‘ମାଞ୍ଝି ଦ ମାଉଣ୍ଟନ୍‌ ମ୍ୟାନ୍‌’ ରେ ନୱାଜୁଦ୍ଦିନ୍‌ ସିଦ୍ଦକିଙ୍କ ଦମଦାର୍‌ ଅଭିନୟକୁ ଦର୍ଶକ ଏଯାଏଁ ଭୁଲି ପାରିନାହାନ୍ତି । ଏହି ଚଳଚ୍ଚିତ୍ରରେ ଦଶରଥ୍‌ ମାଞ୍ଝିଙ୍କ ଭୂମିକାରେ ନଜର ଆସିଥିଲେ ନୱାଜୁଦ୍ଦିନ୍‌। ସେତେବେଳେ ଚର୍ଚ୍ଚା ସାଉଁଟିଥିଲେ ଗୟାର ମାଉଣ୍ଟେନ୍‌ ମ୍ୟାନ୍‌ ଦଶରଥ୍‌ ମାଞ୍ଝି । ତାଙ୍କର ସଂଘର୍ଷଭରା ଜୀବନକୁ ସମସ୍ତଙ୍କ ଆଗକୁ ଆଣିଥିଲା ଏହି ସିନେମା । ପ୍ରେମ ପାଇଁ ପାହାଡ଼କୁ କାଟି ରାସ୍ତା କରିଥିବା ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରସ୍ତୁତ ହେଲା ସିନେମା , ହସ୍ପିଟାଲ୍‌ ଏବଂ ସଡ଼କ। ହେଲେ ଆଜି ତାଙ୍କ ପରିବାରରେ ଆର୍ଥିକ ସଂକଟ ଦେଖାଦେଇଛି । ମାଉଣ୍ଟେନ୍‌ ମ୍ୟାନଙ୍କ ପରିବାର ଲୋକ ଆଜିବି ଭଙ୍ଗାଦଦରା ଘରେ ରହୁଛନ୍ତି ।

ମାଞ୍ଝିଙ୍କ ନାତି ଚେନ୍ନାଇରେ ରହି କାମ କରୁଥିଲେ କିନ୍ତୁ ଦେଶରେ ତାଲାବନ୍ଦ କାରଣରୁ ଗାଁକୁ ଫେରି ଆସିଛନ୍ତି। ହେଲେ ଏବେ ସେ ବେରୋଜଗାର, ନା ମିଳୁଛି ତାଙ୍କୁ କାମ ନା ପାଖରେ ଅଛି ପରିବାର ଚଳାଇଲା ଭଳି ଟଙ୍କା। ବୋଝ ଉପରେ ନଳିତା ବିଡ଼ା ପରି ମାଞ୍ଝିଙ୍କ ନାତୁଣୀର ସ୍ୱାସ୍ଥ୍ୟ ପାଇଁ ବି ଖର୍ଚ୍ଚ ହେଉଛି ଟଙ୍କା । ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପିଙ୍କିଙ୍କ ଗୋଟିଏ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିଲା। ପାଖରେ କାଣିକଉଡିଟିଏ ନଥିବାରୁ ଧାରକରଜ କରି ପରିବାର ଲୋକ କୁନିଝିଅର ଚିକିତ୍ସା କରାଇଥିଲେ। ଏବେ ପିଙ୍କିର ଚିକିତ୍ସା ପାଇଁ ପରିବାର ପାଖରେ ଆଉ ସମ୍ବଳ ନାହିଁ । ତେଣୁ ସହାୟତା ପାଇଁ ମାଉଣ୍ଟେନ୍‌ ମ୍ୟାନଙ୍କ ପରିବାର ସରକାରଙ୍କ କବାଟ ବାଡ଼େଇଛନ୍ତି ।

ଏପଟେ ଦଶରଥଙ୍କ ପୁଅ ଭାଗୀରଥି ମାଞ୍ଝି କହନ୍ତି , ମୋତେ ବୃଦ୍ଧ ପେନସନ୍‌ ମିଳୁଥିଲା ହେଲେ ଏବେ ଏହାକୁ ବନ୍ଦ କରିଦିଆଯାଇଛି । ସିନେମା ନିର୍ଦ୍ଦେଶକ ସୁଟିଂ ସମୟରେ କଥା ଦେଇଥିଲେ ଯେ , ସିନେମାର ରୟାଲଟି ମିଳିବ କିନ୍ତୁ ଏବେ ଯାଏଁ ଆମକୁ କିଛି ମିଳିଲାନାହିଁ ।

ସମ୍ବନ୍ଧିତ ଖବର