ଦେବାସୁର ସଂଗ୍ରାମ ସମୟରେ ମହାରାଜା ଦଶରଥଙ୍କୁ ଦେବରାଜ ଇନ୍ଦ୍ର ନିଜର ସହାୟତା କରିବା ପାଇଁ ଆମନ୍ତ୍ରିତ କରିଲେ। ମହାରାଣୀ କୈକେୟୀ ମଧ୍ୟ ଯୁଦ୍ଧ ଭୂମିକୁ ଗଲେ। ଦଶରଥଙ୍କ ସହିତ ସେ ବି ଯୁଦ୍ଧ କରିଥିଲେ।ମହାରାଜା ଦଶରଥ ଓ କୈକେୟୀ ଯୁଦ୍ଧ ସମାପ୍ତି ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଘରେ ପହଞ୍ଚବାପରେ ନିଜର ପ୍ରାଣ ରକ୍ଷା କରିଥିବା ଯୋଗୁଁ କୈକେୟୀଙ୍କ ଉପରେ ପ୍ରସନ୍ନ ହୋଇ ଦଶରଥ ଦୁଇଟି ବର ଦେବାକୁ ଇଛା ପ୍ରକାଶ କରିଲେ। କୈକେୟୀ କହିଲେ ,‘ରାଜା ଯେତେବେଳେ ଏହାର ଆବଶ୍ୟକତା ପଡ଼ିବ, ସେତେବେଳେ ମୁଁ ବର ମାଗି ନେବି।’
ଦିନେ ମହାରାଣୀ କୈକେୟୀଙ୍କ ଦାସୀ ମନ୍ଥରା ତାଙ୍କ ନିକଟକୁ ଦୌଡ଼ି ଦୌଡ଼ି ଆସି କହିଲା ଯେ ମହାରାଜା ଶ୍ରୀରାମଙ୍କୁ ଯୁବରାଜ ଘୋଷଣା କରିବାକୁ ଯାଉଛନ୍ତି।ଏକଥା ଶୁଣି କୈକେୟୀ ବି ବେଶ୍ ଆନନ୍ଦିତ ହୋଇଥିଲେ ଓ ଦାସୀକୁ ଏକ ସୁବର୍ଣ୍ଣମାଳା ପୁରସ୍କାର ଦେବାକୁ ଚାହିଁଥିଲେ। କିନ୍ତୁ ମନ୍ଥରା କୁଟିଳତା ପୂର୍ବକ କହିଲା,‘ମହାରାଣୀ ସେ ସୁନା ହାର ଆପଣ ନିଜ ପାଖରେ ରଖନ୍ତୁ। ହଁ ଯଦି ଆପଣଙ୍କ ପୁଅ ଭରତ ଯୁବରାଜ ହେଉଥା’ନ୍ତେ, ତେବେ ମୁଁ ଖୁସିରେ ଏ’ ଉପହାର ଗ୍ରହଣ କରିଥା’ନ୍ତି। ମହାରାଜ ଆପଣଙ୍କୁ ବେଶି ଭଲ ପାଆନ୍ତି ବୋଲି କୌଶଲ୍ୟା ଇର୍ଷା ପରାୟଣ ହୋଇ ତାଙ୍କ ପୁତ୍ର ଶ୍ରୀରାମଙ୍କୁ ଯୁବରାଜ କରିବାର ଷଡ଼ଯନ୍ତ୍ର ଚଳାଇଛନ୍ତି। ଯଦି ରାମଚନ୍ଦ୍ର ରାଜା ହେବେ, ତେବେ ଆପଣଙ୍କୁ ଦାସୀ ହୋଇ ରହିବାକୁ ପଡ଼ିବ। ମୋ’ର କ’ଣ ଅଛି, ମୁଁ ତ ଦାସୀ ଥିଲି,ଦାସୀ ରହିବି’।
କୈକେୟୀ ମନ୍ଥରାର କୁଟିଳତାକୁ ନ ବୁଝି ପାରି ତା’ର ବଶବର୍ତ୍ତୀ ହୋଇଗଲେ। ମନ୍ଥରାର ପ୍ରରୋଚନାରେ ସେ ତତ୍କ୍ଷଣାତ୍ ମହାରାଜା ଦଶରଥଙ୍କ ପାଖକୁ ଯାଇ ଦୁଇଟି ବର ମାଗିଲେ।ପ୍ରଥମଟି ହେଲା ଯେ ଶ୍ରୀରାମଙ୍କ ଚଉଦବର୍ଷ ବନବାସ ଗମନ ଓ ଦ୍ୱିତୀୟଟି ହେଲା ତାଙ୍କ ପୁତ୍ର ଭରତର ରାଜ୍ୟାଭିଷେକ । ଦଶରଥଙ୍କ ମଧ୍ୟ ‘ଜୁ’ ନ ଥିଲା।ସେ ବାଧ୍ୟ ହୋଇ କୈକେୟୀଙ୍କୁ ବର ଦେଲେ।