ଏବର ଡିଜିଟାଲ୍‌ ଯୁଗରେ ଅଜଣା ବ୍ୟକ୍ତିଙ୍କ ସହ ନୂଆ ସମ୍ପର୍କ ସ୍ଥାପନରେ ଡେଟିଂ ଆପ୍‌ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏଭଳି ସାମାଜିକ ମଞ୍ଚରେ ସହଜ ଓ ସୁବିଧାରେ ସାଥୀ ମିଳୁଛନ୍ତି ସତ, ହେଲେ ତାହା ବ୍ୟବହାରକାରୀର ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। 

Advertisment

ଏହି ଡେଟିଂ ଆପ୍‌ଗୁଡ଼ିକର ଗୋଟିଏ ବଡ଼ ଦୁର୍ଗୁଣ ହେଲା ସେଥିରେ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହେବାର ଆଶଙ୍କା ଅଧିକ ରହିଥାଏ। ଏହାଦ୍ବାରା ଜଣକ ମନରେ ହୀନମନ୍ୟତା ସୃଷ୍ଟି ହେବା ସହ ସେ ଆତ୍ମବିଶ୍ବାସ ହରାଇବସେ। ଅନେକ ବ୍ୟବହାରକାରୀଙ୍କ ପାଇଁ ବାରମ୍ବାର ଅଣଦେଖା ହେବା ବା ପ୍ରତ୍ୟାଖ୍ୟାତ ହେବା ଘଟଣା ସ୍ବାଭିମାନରେ ଆଘାତ ପହଞ୍ଚାଇବା ସହ ନିଜର ସକାରାତ୍ମକ ଭାବମୂର୍ତ୍ତି ବଜାୟ ରଖିବା ମଧ୍ୟ କଷ୍ଟକର ହୋଇପଡ଼େ।

ଅନ୍‌ଲାଇନ୍‌ ଡେଟିଂ ମଞ୍ଚରେ ଅନ୍ୟ ସହିତ ନିଜ ରୂପ, ଆର୍ଥିକ ଓ ସାମାଜିକ ସ୍ଥିତିର ତୁଳନା ମନରେ ଈର୍ଷା, ଅସୁରକ୍ଷା ବଢ଼ାଏ ଓ ଆତ୍ମସମ୍ମାନରେ ହାନି ଘଟାଇଥାଏ। ଏହା ବିଷାଦ ଓ ଉଦ୍‌ବେଗ ଭଳି ମାନସିକ ରୋଗ ସୃଷ୍ଟି କରିପାରେ।

ଏଥି ସହିତ ଡେଟିଂ ଆପ୍‌ରେ ଜଣେ ନିଜ ବିଷୟରେ ଏକ ପରିମାର୍ଜିତ ବିବରଣୀ ଉପସ୍ଥାପନା କରିଥାଏ, ଯାହାକୁ ଭିତ୍ତି କରି ସାଥୀ ମନରେ ଆଶାତୀତ ଆକାଂକ୍ଷା ବସା ବାନ୍ଧିବାକୁ ଲାଗେ। ଶେଷରେ ଯେତେବେଳେ ବାସ୍ତବ ଜୀବନରେ ଏସବୁ ଅସତ୍ୟ ପ୍ରମାଣିତ ହୁଏ, ତାହା ମନରେ ହତାଶା ସୃଷ୍ଟି କରେ। ବିଭିନ୍ନ ଲୋକ ନିଜ ବିଷୟରେ ଦେଉଥିବା ଛଦ୍ମ ବ୍ୟାଖ୍ୟାନ ଦେଖି ଦେଖି କାହାକୁ ସହଜରେ ଭରସା କରିବା ମଧ୍ୟ କଷ୍ଟକର ହୋଇପଡ଼େ। ସେହିପରି ଜଣେ ବ୍ୟକ୍ତିକୁ କେବଳ ଗୋଟିଏ ପ୍ରୋଫାଇଲ୍‌ ଓ ଫଟୋଚିତ୍ରରେ ସୀମିତ କରିଦେବା ଦ୍ବାରା ମଣିଷଙ୍କୁ ବସ୍ତୁ ଭଳି ଦେଖିବାର ସଂସ୍କୃତି ପ୍ରୋତ୍ସାହିତ ହୋଇଥାଏ। 

   ସୁତରାଂ ଅନ୍‌ଲାଇନ୍‌ ଡେଟିଂ ପ୍ରକ୍ରିୟାର ଫଳାଫଳ ହେଉଛି ସହାନୁଭୂତି ଓ ବୁଝାମଣାରେ ହ୍ରାସ। ନିଜର ଏକ ନିଖୁଣ ବ୍ୟକ୍ତିତ୍ବ ଉପସ୍ଥାପନା କରିବାର ଚାପ ଓ ଅନେକଙ୍କ ଗହଣରେ ହଜିଯିବାର ଭୟ ଡେଟିଂ ଆପ୍‌କୁ କ୍ରମାଗତ ଯାଞ୍ଚ କରିବାର ପ୍ରବଣତା ଜାତ କରାଏ। ଏହି ପ୍ରବଣତା ବ୍ୟବହାରକାରୀ ମନରେ ଉତ୍କଣ୍ଠା ଓ ଚାପ ସୃଷ୍ଟି କରେ। ବ୍ୟବହାରକାରୀମାନେ ଯେହେତୁ ଏହି ମଞ୍ଚରେ ଅନ୍ୟମାନଙ୍କ ତୁଳନାରେ ନିଜର ରୂପ, ସାମର୍ଥ୍ୟ, ଆର୍ଥିକ ଓ ସାମାଜିକ ସ୍ଥିତି ମାପିଥା’ନ୍ତି ଏହା ଈର୍ଷା, ଅସୁରକ୍ଷା ଭାବ ବଢ଼ାଇବା ସହ ଆତ୍ମସମ୍ମାନରେ ହାନି ଘଟାଇଥାଏ। ଅନ୍‌ଲାଇନ୍‌ ଡେଟିଂର ଆଉ ଏକ ବିପଦ ହେଉଛି ‘ଘୋଷ୍ଟିଂ’ ବା ହଠାତ୍‌ ଜଣେ ସାଥୀ ବିନା କୌଣସି କାରଣ ଦର୍ଶାଇ ହଠାତ୍‌ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦେବା। ଏହା ମନରେ ଭାବପ୍ରବଣତା ଓ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ ଏବଂ ଭବିଷ୍ୟତର ସମ୍ପର୍କ ବାବଦରେ ଅନିଶ୍ଚିତତା ଅନୁଭବ କରି କାହିଁକି ଏପରି ହେଲା ବୋଲି ନିଜକୁ ପ୍ରଶ୍ନ କରିବାକୁ ବାଧ୍ୟ କରିଥାଏ। ଏହିସବୁ ମିଶି ବିଷାଦ ଓ ଉଦ୍‌ବେଗ ପରି ମାନସିକ ରୋଗ ସୃଷ୍ଟି କରିପାରେ। ତେଣୁ ଡେଟିଂ ଆପ୍‌ ବ୍ୟବହାର ବେଳେ ଉପରୋକ୍ତ ଦିଗଗୁଡ଼ିକୁ ମନେ ରଖିବା ଉଚିତ, ଯାହା ଫଳରେ ନିଜର ମାନସିକ ସ୍ବାସ୍ଥ୍ୟ ସୁରକ୍ଷିତ ରହିପାରିବ।