ଗୟା: ଅନେକ ସିନେମାରେ ହିରୋ ହିରୋଇନଙ୍କୁ ହସ୍ପିଟାଲରେ ବିବାହ କରୁଥିବା ଘଟଣା ଦେଖିବାକୁ ମିଳିଥିବା ବେଳେ ନିକଟରେ ବାସ୍ତବରେ ଏମିତି ଏକ ଘଟଣା ଘଟିଛି। ପୁଅ ଓ ଝିଅଙ୍କ ବିବାହ ହସ୍ପିଟାଲର ଆଇସିୟୁରେ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯାହାକୁ ଲୋକେ ବେଶ ପସନ୍ଦ ବି କରୁଛନ୍ତି।
ଏଭଳି ଏକ ଘଟଣା ଗୟା ଜିଲ୍ଲାର ଗୁରାରୁ ପ୍ରଖଣ୍ଡର ବାଲି ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ବସବାସ କରୁଥିବା ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ହୃଦଘାତରେ ପୀଡ଼ିତ ହୋଇ ମାଜିଷ୍ଟ୍ରେଟ କଲୋନୀ ସ୍ଥିତ ଏକ ଘରୋଇ ଅର୍ଶ ହସ୍ପିଟାଲର ଆଇସିୟୁ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା। ଏହାରି ଭିତରେ ପୁନମ ଆଉ ବେଶୀ ଦିନ ବଞ୍ଚି ପାରିବେ ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ତେଣୁ ପୁନମ କ’ଣ କ’ଣ ଇଚ୍ଛା କରୁଛନ୍ତି ତାହାକୁ ପୁରଣ କରିବାକୁ ଚେଷ୍ଟା କରାଯାଉ ବୋଲି ଡାକ୍ତର ପରିବାରଲୋକଙ୍କୁ ସୂଚିତ କରିଥିଲେ।
ଡାକ୍ତରଙ୍କ ଠାରୁ ଏଭଳି କଥା ଶୁଣି ପୁନମଙ୍କ ପରିବାରଲୋକେ ତାଙ୍କୁ ଶେଷ ଇଚ୍ଛା ପଚାରିଥିଲେ। ପୁନମ କହିଲେ, ‘ମୋ ଝିଅକୁ ମୁଁ ବୋଧୂ ବେଶରେ ଦେଖିବାକୁ ଚାହେଁ। ଏହାଛଡ଼ା ମୋତେ ଆଉ କିଛି ଆବଶ୍ୟକ ନାହିଁ। କାରଣ ରୋଗ ଯନ୍ତ୍ରଣା ସହିସହି ମୁଁ ଥକି ପଡ଼ିଲିଣି। ଝିଅର ବାହାଘର ହୋଇଯାଉ। ମୁଁ ତାର ବାହାଘର ଦେଖି ଶାନ୍ତିରେ ଶେଷନିଶ୍ବାସ ତ୍ୟାଗ କରିବି।’
ପୁନମଙ୍କ ଝିଅ ଚାନ୍ଦିନୀଙ୍କର ଗୁରୁଆ ପ୍ରଖଣ୍ଡର ସଲେମପୁର ଗ୍ରାମର ସୁମିତ ଗୌରବଙ୍କ ସହ ବିବାହ ସ୍ଥିର ହୋଇଥିଲା। ତେବେ ମା’ଙ୍କ ଏଭଳି ଇଚ୍ଛା ପାଇଁ ହସ୍ପିଟାଲର ଆଇସିୟୁ ରୁମ୍ ବାହାରେ ଚାନ୍ଦିନୀ ଓ ସୁମିତଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।
ଆଖି ସାମ୍ନାରେ ଝିଅକୁ ବଧୂ ବେଶରେ ସଜେଇ ହୋଇଥିବା ଦେଖି ଖୁସି ହୋଇଯାଇଥିଲେ ପୁନମ। ଶେଷରେ ଝିଅ ଓ ଜ୍ବାଇଁଙ୍କୁ ଏକାଠି ଦେଖି ବିବାହର ମାତ୍ର ୨ଘଣ୍ଟା ପରେ ମା’ ପୁନମ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ।