ମହିଳାଙ୍କ ପାଇଁ ଦିନଟିଏ…

ନାରୀ ସର୍ବଦା ପୂଜନୀୟା। ଏକଧାରରେ ସେ ଜନନୀ, ଜାୟା ଓ ଭଗିନୀ। ମାଆ ହିସାବରେ ସେ ଜନ୍ମଦାତ୍ରୀ। ତା’ ବିନା ସୃଷ୍ଟି ନାହିଁ। ଜାୟା ଭାବେ ସେ ପୁରୁଷର ସହଧର୍ମିଣୀ; ଦାମ୍ପତ୍ୟ ଜୀବନର ସାଥୀ। ଭଗିନୀ ଭାବେ ସ୍ନେହ-ଶ୍ରଦ୍ଧାର ଅଧିକାରିଣୀ। ତଥାପି ମହିଳାମାନଙ୍କୁ ଅନେକ ସମୟରେ ଉପେକ୍ଷିତ ହେବାକୁ ପଡୁଛି। ପରିବାର ଠାରୁ ଆରମ୍ଭ କରି ସମାଜ ବ୍ୟବସ୍ଥାରେ ସେ ହିଂସା ଓ ବୈଷମ୍ୟର ଶିକାର ହେଉଛି। ମହିଳାମାନଙ୍କୁ ଯେତେ ସ୍ୱାଧୀନତା ମିଳିଛି, ତାହା କେବଳ ମହିଳାମାନଙ୍କର ଦୀର୍ଘ ଦିନର ସଂଗ୍ରାମ ଓ ବଳିଦାନର ଫଳ। ଇତିହାସକୁ ନିରୀକ୍ଷଣ କଲେ ଅନେକ କଥା ଆଖି ସାମ୍ନାକୁ ଆସେ। ସର୍ବପ୍ରଥମେ ୧୯୧୧ ମସିହାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହା ପୂର୍ବରୁ ୧୮୮୭, ମାଚ୍ଚ୍‌ର୍ ୮ ତାରିଖରେ ଆମେରିକାରେ ଏକ ବସ୍ତ୍ରଶିଳ୍ପର ମହିଳାମାନେ ତାଙ୍କ ଶ୍ରମ ଷୋହଳ ଘଣ୍ଟାରୁ ଦଶ ଘଣ୍ଟା କରିବା ପାଇଁ ଆନ୍ଦୋଳନ କରି ରାସ୍ତାକୁ ଓହ୍ଲାଇ ଆସିଥିଲେ। ୧୯୦୯ରେ ମଧ୍ୟ ମହିଳାମାନେ ନିଜ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ୧୯୧୦ରେ ଅନ୍ତରାଷ୍ଟ୍ରୀୟ ସମାଜବାଦୀ ମହିଳା ଅଧିବେଶନରେ ଋଷର କ୍ରାନ୍ତିକାରୀ ମହିଳା କ୍ଲାରା ଜେଟ୍‌କିନ୍‌ ମାର୍ଚ୍ଚ ୮ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ମହିଳାମାନଙ୍କ ଆନ୍ଦୋଳନ ଫଳରେ ସାରା ବିଶ୍ୱରେ ତଥା ଆମ ଦେଶରେ ମହିଳାମାନଙ୍କୁ ଅଭୂତପୂର୍ବ ସଫଳତା ମିଳିଛି। ଏ ଭଳି କାମ ନାହିଁ, ଯେଉଁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ପ୍ରତିପାଦନ କରିନାହାନ୍ତି। ଆନି କୋହେନ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା, ଯିଏ ସଫଳତାର ସହ ସାଇକେଲରେ ବିଶ୍ୱ ଭ୍ରମଣ କରିବାର ଗୌରବ ଅର୍ଜନ କରିଥିଲେ। ଆଉ ଜଣେ ମହିଳା ହେଲେ ଏଲିନା ଲୁକ୍ରେଜିଆ, ଯିଏ ସର୍ବପ୍ରଥମେ ଦର୍ଶନଶାସ୍ତ୍ରରେ ଡକ୍ଟରେଟ୍‌ ଉପାଧି ଲାଭ କରିଥିଲେ। ସାରାହ୍‌ ଡିଲିସ୍‌ ଆଉଟେନ୍‌ ସମୁଦ୍ର ଭିତରେ ଏକୁଟିଆ ଡଙ୍ଗାକୁ ଆହୁଲାମାରି ଜାପାନରୁ ଆଲାସ୍କା ଯାତ୍ରା କରିବାରେ ସଫଳ ହୋଇଥିବା ବିଶ୍ୱର ପ୍ରଥମ ମହିଳା। ଉାଲେଣ୍ଟିନା ତେରେସ୍କୋଭା ବିଶ୍ୱର ପ୍ରଥମ ମହାକାଶଚାରୀ। ଆମ ଦେଶ ତଥା ରାଜ୍ୟରେ ମହିଳାମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ବୈଦିକ ଯୁଗରେ ବିଶ୍ୱବାରା, ଲୋପାମୁଦ୍ରା, ଗାର୍ଗୀ, ପୁରାଣ ଯୁଗରେ ସୀତା, ସାବିତ୍ରୀ, ଅନସୂୟା ପ୍ରମୁଖ ନାରୀମାନେ ସମାଜରେ ଉଚ୍ଚସ୍ଥାନର ଅଧିକାରିଣୀ ହୋଇପାରିଥିଲେ। ବର୍ତ୍ତମାନର ନାରୀ ମଧ୍ୟ କୌଣସି ଗୁଣରେ କମ୍‌ ନୁହନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲଙ୍କଠାରୁ ଆରମ୍ଭ କରି ମୀରା କୁମାର, ପି.ଟି ଉଷା, ପି.ଭି. ସିନ୍ଧୁ, ସାକ୍ଷୀ ମଲ୍ଲିକ, ସାଇନା ନେହେୱାଲ, କିରନ ବେଦୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପଦ୍ମିନୀ ରାଉତ ଦୂତି ଚାନ୍ଦଙ୍କ ପର୍ଯ୍ୟନ୍ତ ସବୁଠି ନାରୀର ଜୟଯାତ୍ରା। ଖାଲି ସେତିକି ନୁହେଁ, ପୁରୁଷ ପ୍ରାଧାନ୍ୟ କାମକୁ ଆଦରି ସେମାନେ ସଫଳତା ମଧ୍ୟ ପାଇଛନ୍ତି। ଏମାନେ ପ୍ରମାଣ କରିଛନ୍ତି ଯେ ନାରୀ କେବେ ଦୁର୍ବଳା ନୁହେଁ, ସେ ସବଳା ଓ ସମର୍ଥା।

ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ସତ୍ତ୍ୱେ ଘରେ, ବାହାରେ, କର୍ମକ୍ଷେତ୍ରରେ, କେଉଁଠି ବି ଆଜି ନାରୀ ନିଜକୁ ସୁରକ୍ଷିତ ମଣୁନାହିଁ। ସମାଜିକ ହିଂସା, ବଳାତ୍କାର, ଯୌତୁକ ହତ୍ୟା, ଘରୋଇ ହିଂସା ଓ କନ୍ୟାଭ୍ରୂଣ ହତ୍ୟା କ୍ରମେ ବଢ଼ୁଛି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ, ଭାରତରେ ପ୍ରତି ୭୮ମିନିଟ୍‌ରେ ଗୋଟିଏ ଯୌତୁକ ପାଇଁ ବଧୂହତ୍ୟା, ପ୍ରତି ୫୯ମିନିଟ୍‌ରେ ଜଣେ ମହିଳା ଯୌନ ଶୋଷଣର ଶିକାର ହେଉଥିବା ବେଳେ ପ୍ରତି ୩୪ମିନିଟ୍‌ରେ ଜଣେ ମହିଳା ନିର୍ଯାତନା ଏବଂ ପ୍ରତି ପାଞ୍ଚଜଣ ବିବାହିତାଙ୍କ ମଧ୍ୟରୁ ତିନିଜଣ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। କୋଡ଼ିଏ ପ୍ରତିଶତରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୧୯୭୮ରେ ଗୀତା ଚୋପ୍ରା, ୧୮୮୮ରେ ରୂପମ୍‌ ବଜାଜ, ୧୯୯୩ରେ ରୁଚିକା, ୧୯୯୭ରେ ପ୍ରିୟଦର୍ଶିନୀ ମାଟ୍ଟୁ, ୧୯୯୯ରେ ଜେସିକା, ୨୦୧୩ରେ ବହୁ ଚର୍ଚ୍ଚିତ ନିର୍ଭୟା ଘଟଣା ଏହାର ଦୃଷ୍ଟାନ୍ତ। ପରବର୍ତ୍ତୀ ସମୟରେ ଇତିଶ୍ରୀ, ବେବିନାଙ୍କ ପରି ଅନେକ ମହିଳା ନିର୍ଯାତନାର ଶିକାର ହେବା ଘଟଣା ଆମ ବିକୃତ ମାନସିକତାର ପରିଚୟ। ଏହା ପରେ ବି ଆମେ କ’ଣ କହିପାରିବା ଯେ ଏ ଦେଶରେ ନାରୀକୁ ମା’ ରୂପରେ ପୂଜା କରାଯାଏ!

ଆଜିର ଦିନଟି ମହିଳାଙ୍କ ପାଇଁ ସମର୍ପିତ। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଏବେ ସେମାନଙ୍କ ପାଇଁ ଚିନ୍ତା କରିବାର ବେଳ ଆସିଛି। ପଞ୍ଚାୟତ ସ୍ତରରେ ବହୁ ସଂଖ୍ୟାରେ ମହିଳା ଭାଗ ନେଉଥିଲେ ମଧ୍ୟ ପ୍ରକୃତରେ ନେତୃତ୍ୱ ନେବାରେ ସେମାନେ ବହୁ ପଛରେ ଅଛନ୍ତି। ସେହି ପରି କନ୍ୟା ସନ୍ତାନ ପ୍ରତି ବିମୁଖତା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ରୋକିବା ପାଇଁ କଡ଼ାକଡ଼ି ଭାବେ ଆଇନ ପାଳନ କରାଯିବା ଉଚିତ। ଆଜି ମହିଳାମାନଙ୍କ ପାଇଁ ଜନନୀ ସୁରକ୍ଷା ଯୋଜନା, ସମନ୍ଵିତ ଶିଶୁ ବିକାଶ ଯୋଜନା, ସ୍ୱର୍ଣ୍ଣଜୟନ୍ତୀ ସ୍ୱରୋଜଗାର ଯୋଜନା ପ୍ରଣୟନ କରାଯାଇଛି। ଜାତୀୟ ତଥା ରାଜ୍ୟ ସ୍ତରରେ ମହିଳା ଆୟୋଗ କାର୍ଯ୍ୟ କରୁଛି। କେତେକ ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସଂଗଠନ ମଧ୍ୟ ନାରୀସୁରକ୍ଷା ପାଇଁ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏ ଦିଗରେ ଆଶାନୁରୂପ ଫଳ ମିଳିନାହିଁ। ତେଣୁ, ମହିଳାମାନେ ସଚେତନ ହେବା ନିତାନ୍ତ ଆବଶ୍ୟକ। ନିଜ ହକ୍‌ ପାଇଁ ନାରୀକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ତା’ହେଲେ ନାରୀ ନିଜକୁ ସୁରକ୍ଷିତ ରଖିପାରିବ।

-ହିମାଂଶୁ ଶେଖର ଆଚାର୍ଯ୍ୟ, ମୋ : ୯୪୩୮୧୭୭୯୧୨

ସମ୍ବନ୍ଧିତ ଖବର