ଅଠର ବର୍ଷ ପରେ ମୃତ ଜଙ୍ଗଲ ପାଇଲା ପୁନର୍ଜୀବନ

ବ୍ରାଜିଲ୍‌ର ଆଟ୍‌ଲାଣ୍ଟିକ୍‌ ଉପକୂଳଠାରୁ ସତୁରି ମାଇଲ୍‌ ଭିତରେ ମିନାସ୍‌ ଗେରିସ୍‌ ଅବସ୍ଥିତ। ଏହି ଅଞ୍ଚଳର ରିଓ ଡୋସ୍‌ ଉପତ୍ୟକା ଏକଦା ସବୁଜିମାମୟ ଥିଲା; ବହୁ ପ୍ରଜାତିର ବୃକ୍ଷ ଓ ପ୍ରାଣୀଙ୍କ ବାସସ୍ଥାନ। କାଳକ୍ରମେ ମଣିଷ ହାତରେ ଉଜୁଡ଼ିଯାଇଥିଲା ସବୁଜିମା। ୨୦୦୧ ବେଳକୁ ଗୋଟିଏ-ଅଧେ ବୃକ୍ଷ ଛଡ଼ା ଆଉ କିଛି ନ ଥିଲା। ଏବେ ଅଠର ବର୍ଷ ପରେ ମୃତ ଜଙ୍ଗଲ ପାଇଛି ପୁନର୍ଜୀବନ। ପରିବର୍ତ୍ତନ ଦେଖିପାରନ୍ତି ଫଟୋରେ। ଆଉ ଏହା ସ˚ଭବ ହୋଇପାରିଛି ବିଶ୍ବ ସ୍ତରରେ ପ୍ରତିଷ୍ଠିତ ଫଟୋଗ୍ରାଫର‌୍‌ ସେବାସ୍‌ଟିଓ ରିବିଏରୋ ସାଲ୍‌ଗାଡୋ ଏବ˚ ତାଙ୍କ ପତ୍ନୀ ଲିଲିଆ ଡିଲ୍ୟୁଇଜ୍‌ ଵାନିକ୍‌ ସାଲ୍‌ଗାଡୋଙ୍କ ଅନବରତ ଉଦ୍ୟମରୁ। ସେବାସ୍‌ଟିଓଙ୍କ ଜନ୍ମ ହୋଇଥିଲା ରିଓ ଡୋସ୍‌ରେ। ସେ ବଢ଼ିଥିଲେ ମଧ୍ୟ ସେହିଠାରେ। ତାଙ୍କ ପରିବାରର ମାଲିକାନାରେ ଥିଲା ୧୭୫୦ ଏକର‌୍‌ର ଫାର୍ମ‌୍‌। ତେବେ, ଫାର୍ମ‌୍‌ରେ ତାଙ୍କର କୌଣସି ରୁଚି ନ ଥିଲା। ପେସାଦାର ଫଟୋଗ୍ରାଫର‌୍‌ ବନିବା ପାଇଁ ସେ ସହରାଞ୍ଚଳକୁ ଆସିବା ପରେ ବହୁ ବର୍ଷ ଯାଏ ଗ୍ରାମଠାରୁ ଦୂରେଇରହିଥିଲେ। ଘଟନାକ୍ରମେ ଯାଇଥିଲେ ରୁଆଣ୍ତା। ସେଠାରେ ଯୁଦ୍ଧର ବିଭୀଷିକା ଏବ˚ ଗଣହତ୍ୟା ଦ୍ବାରା ବ୍ୟଥିତ ହୋଇ ଶେଷରେ ଫେରିଥିଲେ ଗ୍ରାମକୁ। ସେତେ ବେଳକୁ ସବୁଜିମା ସ˚ପୂର୍ଣ୍ଣ ଭାବେ ଉଜୁଡ଼ିସାରିଥିଲା। ତାଙ୍କ ପିତାଙ୍କ ସମେତ ଅନ୍ୟମାନେ ଗଛ କାଟି ମନୋରମ ପରିବେଶକୁ ନଷ୍ଟ କରିସାରିଥିଲେ। ଜୀବନରେ ଦ୍ବିତୀୟ ଥର ପାଇଁ ବ୍ୟଥିତ ହୋଇଥିଲେ ସେବାସ୍‌ଟିଓ। ତେବେ, କାହାକୁ ଦୋଷ ନ ଦେଇ ଚାରା ରୋପଣ ଦ୍ବାରା ଜଙ୍ଗଲ ସୃଷ୍ଟି ଉଦ୍ୟମ ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଦଶନ୍ଧିର ଅହରହ ଉଦ୍ୟମ, ତାଙ୍କ ଗ୍ରାମର ସବୁଜିମା ଫେରାଇଆଣିଛି।

ସମ୍ବନ୍ଧିତ ଖବର