ନୂଆଦିଲ୍ଳୀ: ଆପଣ କେବେ କେଉଁ ମୃତ ବ୍ୟକ୍ତିଙ୍କୁ ଅଦାଲତରେ ଛିଡ଼ା ହୋଇ ସାକ୍ଷୀ ହେଉଥିବାର ଦେଖିଛନ୍ତି କି ? ଏକ ହତ୍ୟା ଘଟଣାର ତଦନ୍ତ ଓ ଅଦାଲତରେ ସେହି ମାମଲାର ଶୁଣାଣି ଚାଲିଥିବା ବେ‌ଳେ ଏକ ଅଜବ କଥା ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ପତି ହତ୍ୟା ମାମଲାରେ ଅଭିଯୁକ୍ତା ପତ୍ନୀଙ୍କ ଶୁଣାଣି ହେଉଥିବା ବେଳେ ଅଦାଲତରେ ଅଚାନକ ଆବିର୍ଭାବ ହୋଇଥିଲା ପତିଙ୍କ ଆତ୍ମା! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଏକ ଘଟଣା ଦେଖିବାକୁ ମିଳିଛି।

Advertisment

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୋହ ସଙ୍ଗ୍‌ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ତାଙ୍କ ଅଭିଯୁକ୍ତ ପତ୍ନୀଙ୍କର ଅଦାଲତରେ ଶୁଣାଣି ‌ହେଉଥାଏ। ସେହି ସମୟରେ ତାଙ୍କ ପତ୍ନୀ ଏପରି ଆଚରଣ ଦେଖାଇଲେ ଯେପରି ତାଙ୍କ ଶରୀରରେ ତାଙ୍କ ସ୍ବାମୀଙ୍କ ଆତ୍ମା ଆସିଯାଇଛି। ସେ ନିଜେ ନିଜେ କହିବା ଆରମ୍ଭ କଲେ, ‘ମୁଁ ପୋହ ସଙ୍ଗ୍‌, ଯାହାର ମୃତ୍ୟୁ ହୋଇଛି। ମୋ ମୃତ୍ୟୁ ପାଇଁ ମୋ ପତ୍ନୀ ଦାୟୀ ନୁହେଁ, ମୋ ପତ୍ନୀ ନି‌ର୍ଦୋଷ। ମୁଁ ନିଜେ ଅଦାଲତରେ କହୁଛି ଯେ ମୋ ପତ୍ନୀ ମୋତେ ମାରିନାହିଁ।’ ଏକଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଜାଣିଥାନ୍ତୁ ଯେ ଏପରି ଏକ ଘଟଣା ହେଉଛି ମାଲେସିଆର। ଅଦାଲତରେ ମହିଳା ଜଣକ ଏପରି ଚିତ୍କାର କରିବା ପରେ କୌଣସି ମତେ ବୁଝେଇ ସୁଝେଇ ତାଙ୍କୁ ଚୁପ୍‌ କରାଗଲା। ତେବେ ପୋହ ସଙ୍ଗ୍‌ଙ୍କ ହତ୍ୟା ତାଙ୍କ ପତ୍ନୀ କରିଛନ୍ତି ବୋଲି ପୋହ ସଙ୍ଗ୍‌ଙ୍କ ଝିଅ ଅଭିଯୋଗ ଆଣିବା ପରେ ଯାଇ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।