ନୂଆଦିଲ୍ଲୀ: କୋଲଡ ଡ୍ରିଙ୍କସରୁ ବାହାରିଲା ମଲା ଝିଟିପିଟି। ଅହମଦାବାଦର ସାଇନ୍ସ ସିଟି ରୋଡରେ ଅବସ୍ଥିତ ମାକଡୋନାଲଡକୁ ଯାଇ ଦୁଇ ଜଣ ବନ୍ଧୁ କୋଲଡ ଡ୍ରିଙ୍କସ ଅର୍ଡର କରିଥିଲେ। କୋଲଡ ଡ୍ରିଙ୍କସ ମିଳିବା ପରେ ପିଇବାକୁ ଯିବା ସମୟର ଭିତରେ ପଡ଼ିଥିବା ମଲା ଝିଟିପିଟି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦୁଇ ବନ୍ଧୁ। ଏନେଇ ଅଭିଯୋଗ ହେବା ପରେ ଏବେ ଅହମଦାବାଦର ସାଇନ୍ସ ସିଟି ରୋଡରେ ଥିବା ମାକଡୋନାଲଡକୁ ସିଲ୍ କରାଯାଇଛି।
ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଅନୁଯାୟୀ, ଦୁଇ ବନ୍ଧୁ ଭାର୍ଗବ ଯୋଶୀ ଏବଂ ମେହୁଲ ହିଙ୍ଗୁ ଦିନ ୧୨.୩୦ରେ ମାକଡୋନାଲଡରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଦୁହେଁ କୋଲଡ ଡ୍ରିଙ୍କସ ଓ ଆଲୁ ଟିକି ଅର୍ଡର କରିଥିଲେ। ଅର୍ଡର ଟେବୁଲ ଉପରକୁ ଆସିବା ପରେ କୋଲଡ ଡ୍ରିଙ୍କସ ଗ୍ଲାସ ଦେଖି ଚମକି ପଡ଼ିଥିଲେ ଭାର୍ଗବ ଓ ମେହୁଲ । କୋଲଡ ଡ୍ରିଙ୍କସରେ ମଲା ଝିଟିପିଟି ଦେଖି ମାକଡୋନାଲଡରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। ଉଭୟ ଯୁବକ ଏହି ଘଟଣାର ଅଭିଯୋଗ ମାକଡୋନାଲଡର ମ୍ୟାନେଜରଙ୍କ ଆଗରେ କରିଥିଲେ। ହେଲେ କ୍ଷମା ପ୍ରାର୍ଥନା ବା ଯାଞ୍ଚ କରିବା ପରିବର୍ତ୍ତେ ମାକଡୋନାଲଡର ମ୍ୟାନେଜର ଦୁହିଁଙ୍କ ଉପରେ ହସିଥିଲେ। ଏସବୁ ବେଳେ ବେଳେ ହୁଏ। ଯେତିକି ଟଙ୍କା ଦେଇ କିଣିଥିଲ ଆମେ ସେ ଟଙ୍କା ଫେରାଇ ଦେବୁ ବୋଲି କହିଥିଲେ ମାକଡୋନାଲଡର ମ୍ୟାନେଜର। ଏହା ସହ ଚୁପଚାପ ଚାଲିଯିବାକୁ କହିଥିଲେ।
/sambad/media/post_attachments/a91b35dbb060eb0e4f082af85fccf4361b2047576008c71abd7cf9fa9829f98c.jpg)
ଏହା ଶୁଣି ଭାର୍ଗବ ଓ ମେହୁଲ ଏହି ଘଟଣା ବିଷୟରେ ଅହମଦାବାଦ ନଗର ନିଗମକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅହମଦାବାଦ ନଗର ନିଗମ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋଲଡ ଡ୍ରିଙ୍କସର ନମୁନା ଯାଞ୍ଚ କରିବା ପାଇଁ ନେଇଛନ୍ତି। ନମୁନାଟି ଯାଞ୍ଚ ପାଇଁ ଜନସ୍ୱାସ୍ଥ୍ୟ ଲାବୋରେଟୋରୀକୁ ପଠାଯାଇଥିବା ସହିତ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳିଥିବାରୁ ଅଭିଯୋଗରେ ମାକଡୋନାଲଡକୁ ନୋଟିସ୍ ଦିଆଯାଇ ସିଲ୍ କରାଯାଇଛି।