ଇସ୍ରାଏଲ୍-ହମାସ୍ ଯୁଦ୍ଧ ଏକ ବର୍ଷରେ ପହଞ୍ଚିଛି। ୨୦୨୩ ଅକ୍ଟୋବର୍ ୭ରେ ଇସ୍ରାଏଲ୍ ଉପରେ ଇସ୍ଲାମୀୟ ଆତଙ୍କବାଦୀ ସଂଗଠନ ହମାସ୍ ଆକ୍ରମଣ କରିବାରୁ ତାହାକୁ ମୂଳପୋଛ କରବା ଲାଗି ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ କରିଥିଲା। ତା’ପରେ ଅପ୍ରତ୍ୟାଶିତ ଭାବେ ୟେମେନ୍ର ହାଉଥି ସଂଗଠନ ହମାସ୍ ସପକ୍ଷରେ ବାହାରି ଲୋହିତ ସାଗରରେ ଇସ୍ରାଏଲ୍କୁ ଆସୁଥିବା କେତେକ ଜାହାଜ ଉପରେ ଆକ୍ରମଣ କଲା। ପୁଣି ଲେବାନନ୍ ସୀମା ଆଡୁ ଇସ୍ରାଏଲ୍ ବିରୋଧୀ ଯୁଦ୍ଧରେ ସାମିଲ ହେଲା ଇସ୍ଲାମୀୟ ସଂଗଠନ ହେଜ୍ବୋଲ୍ଲା। ସମ୍ପ୍ରତି ଯୁଦ୍ଧ ତ୍ରିମୁଖୀ ଲଢ଼େଇ ପାଲଟି ଅଧିକ ଦୀର୍ଘ ହେବାର ଆଶଙ୍କା ସ୍ପଷ୍ଟ ହୋଇଛି। ଇସ୍ରାଏଲ୍ ଗୋଟିଏ ପଟେ ହାଉଥିଙ୍କ ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ହମାସ୍ ଓ ହେଜ୍ବୋଲ୍ଲାଙ୍କ ସହ ବିଭିନ୍ନ ଉପାୟରେ ଲଢୁଛି। ନୂଆ ନୂଆ ସାମରିକ କୌଶଳ ବ୍ୟବହାର କରି ଇସ୍ରାଏଲ୍ ତା’ର ଶତ୍ରୁଙ୍କୁ ନିପାତ କରିବାକୁ ପଣକରିଛି।
ଚର୍ଚ୍ଚାରେ ପେଜର୍ ବିସ୍ଫୋରଣ
ଗତ ମଙ୍ଗଳବାର ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ଥରହର ହୋଇଗଲା ଲେବାନନ୍। ଏସବୁ ଥିଲା ବାର୍ତ୍ତା ବିନିମୟ ଲାଗି ବ୍ୟବହୃତ ହଜାର ହଜାର ରେଡିଓ ‘ପେଜର୍’ ବିସ୍ଫୋରଣର ପରିଣାମ। ହେଜ୍ବୋଲ୍ଲା ପାଇଁ ଉଦ୍ଦିଷ୍ଟ ଯୋଗାଯୋଗ ଉପକରଣ ‘ପେଜର୍’ଗୁଡ଼ିକୁ ଇସ୍ରାଏଲୀୟ ଇଞ୍ଜିନିୟର୍ମାନେ ମାରାତ୍ମକ ଅସ୍ତ୍ରରେ ରୂପାନ୍ତରିତ କରିପକାଇଥିଲେ। ତେଣୁ, ମେସେଜ୍ ବା ବାର୍ତ୍ତାଟିଏ ପଠାଯିବାରୁ ସେ ‘ପେଜର୍’ ସବୁ ବିେସ୍ଫାରିତ ହୋଇଥିଲା। ଏହି ପେଜର୍ ବିସ୍ଫୋରଣ ସମଗ୍ର ବିଶ୍ବର ରଣନୀତିକାରଙ୍କୁ ଚକିତ କରିଛି। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ଘଟିବା ସହ ୨୮୦୦ରୁ ଅଧିକ ଆହତ ହୋଇଛନ୍ତି।
କିନ୍ତୁ, ଇସ୍ରାଏଲ୍ କ୍ଷେତ୍ରରେ ଏହା କିଛି ନୂଆ କଥା ନୁହେଁ। ତା’ର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’ ଓ ‘ସିନ୍ ବେଟ୍’ ପୂର୍ବରୁ ମଧ୍ୟ ଏ ଧରଣର ଅନେକ ଗୁପ୍ତ ଅଭିଯାନ କରି ସଫଳ ହୋଇଥିଲେ।
ଫୋନ୍ରେ ହମାସ୍ ବୋମା ନିର୍ମାତାଙ୍କୁ ହତ୍ୟା
‘ଦି ଇଞ୍ଜିନିୟର୍’ ନାମରେ ସୁପରିଚିତ ହମାସ୍ ବୋମା ନିର୍ମାତା ୟାହ୍ୟା ଆୟାସ୍ଙ୍କୁ ହତ୍ୟା କରିବା ଲାଗି ୧୯୯୬ରେ ‘ସିନ୍ ବେଟ୍’ ବିସ୍ଫୋରକ ଭରା ଫୋନ୍ ବ୍ୟବହାର କରି ସଫଳ ହୋଇଥିଲା। ବାପାଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଜଣେ ପାଲେଷ୍ଟାଇନୀୟ ମଧ୍ୟସ୍ଥ ଆୟାସ୍ଙ୍କ ହାତକୁ ଉକ୍ତ ବିସ୍ଫୋରକ ଭରା ଫୋନ୍ ଦେଇଥିଲେ। ସେତିକି ବେଳେ ରିମୋଟ୍ କଣ୍ଟ୍ରୋଲ୍ ଯୋଗେ ବିସ୍ଫୋରଣ କରାଇ ‘ସିନ୍ ବେଟ୍’ ଆୟାସ୍ଙ୍କୁ ହତ୍ୟା କରିଥିଲା। ଫୋନ୍କୁ ବି ବୋମା ଭାବେ ବ୍ୟବହାର କରାଯିବାର କୌଶଳ ସେ ସମୟରେ ଚର୍ଚ୍ଚିତ ହୋଇଥିଲା।
ବିଷ ଅସ୍ତ୍ର ସାଜିଲା ଟୁଥ୍ପେଷ୍ଟ୍
ଏୟାର୍ ଫ୍ରାନ୍ସ୍ ଫ୍ଲାଇଟ୍ ୧୩୯ ହାଇଜାକ୍ ସମେତ ଅନେକ ନାରକୀୟ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ‘ପିଏଫ୍ଏଲ୍ପି’ ମୁଖ୍ୟ ହାଦାଦ୍ଙ୍କୁ ହତ୍ୟା କରିବା ଲାଗି ଟୁଥ୍ପେଷ୍ଟ୍ ମାଧ୍ୟମରେ ବିଷ ବ୍ୟବହାର କରାଯାଇଥିଲା। ‘ସ୍ୟାଡ୍ନେସ୍’ ନାମକ ଜଣେ ଗୁପ୍ତଚର ହାଦାଦ୍ ବ୍ୟବହାର କରୁଥିବା ଟୁଥ୍ପେଷ୍ଟ୍ ସ୍ଥାନରେ ‘ଇସ୍ରାଏଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ରିସର୍ଚ’ ଦ୍ବାରା ପ୍ରସ୍ତୁତ ବିଷାକ୍ତ ପଦାର୍ଥ ମିଶ୍ରିତ ଟୁଥ୍ପେଷ୍ଟ୍ ରଖି ଦେଇଥିଲେ। ସେଥିରେ ଦାନ୍ତ ଘଷିବା ମାତ୍ରେ ପାଟିରେ ବିଷାକ୍ତ ପଦାର୍ଥ ବିଶୋଷିତ ହୋଇ ହାଦାଦ୍ର ରକ୍ତରେ ମିଶିବାରୁ ତାର ମୃତ୍ୟୁ ଘଟିଥିଲା। ବିଷକ୍ରିୟା ଏତେ ତୀବ୍ର ଓ ବ୍ୟାପକ ଥିଲା ଯେ ସେ ନିଜକୁ ବଞ୍ଚାଇବାକୁ ଅକ୍ଷମ ହୋଇଥିଲା।
ଆମନ୍ରେ ବିଷାକ୍ତ ଆକ୍ରମଣ
୧୯୯୭ରେ ହମାସ୍ ନେତୃତ୍ବରେ ସିରିଜ୍ ବୋମା ବିସ୍ଫୋରଣ ଘଟିବାରୁ ତା’ର ରାଜନୈତିକ ଶାଖାର ମୁଖ୍ୟ ଖାଲେଦ୍ ମସାଲ୍ଙ୍କୁ ହତ୍ୟା କରିବା ଲାଗି ଇସ୍ରାଏଲ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସେନାକୁ ଆଦେଶ ଦେଇଥିଲେ। ମସାଲ୍ ଗାଡ଼ିରୁ ଓହ୍ଲାଇ ଯାଉଥିବା ବେଳେ ‘ମୋସାଦ୍’ ଗୁପ୍ତଚରମାନେ ତାଙ୍କ ବେକ ପଛରେ ବିଷ ସ୍ପ୍ରେ କଲେ। ଘଟଣା ଲୁଚାଇବାକୁ ଜଣେ ଗୁପ୍ତଚର ସୋଡ଼ା ଢାଳି ହୋଇଯିବାର ବାହାନା କଲେ, କିନ୍ତୁ ମସାଲ୍ଙ୍କ ଝିଅ ଗୁପ୍ତଚରମାନଙ୍କୁ ଚିହ୍ନି ପକାଇଲେ। ତୁରନ୍ତ ସେମାନଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବିଷ ପ୍ରୟୋଗ ହେତୁ ମସାଲ୍ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ମୂଲଚାଲ ହେବା ପରେ ତାଙ୍କ ଜୀବନ ବଞ୍ଚାଇବାକୁ ଇସ୍ରାଏଲ୍ ଔଷଧ ଯୋଗାଇଲା ଏବଂ ‘ମୋସାଦ୍’ ଗୁପ୍ତଚରଙ୍କୁ ହମାସ୍ ମୁକ୍ତକଲା।
ଇରାନ୍ ପରମାଣୁ ବୈଜ୍ଞାନିକଙ୍କ କାର୍ରେ ବୋମା
୨୦୧୦ରୁ ୨୦୨୦ ମଧ୍ୟରେ କାର୍ରେ ଲଗାଯାଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟି ବେଶ୍ କେତେଜଣ ଇରାନୀ ପରମାଣୁ ବୈଜ୍ଞାନିକଙ୍କର ମୃତ୍ୟୁ ଘଟିଥିଲା। ମୋଟର୍ସାଇକେଲ୍ ଆରୋହୀ ଗୁପ୍ତଚର ବୈଜ୍ଞାନିକଙ୍କୁ ନେଇ ଯାଉଥିବା ଚଳନ୍ତା କାର୍ରେ ବୋମା ଖଞ୍ଜି ଦେଉଥିବାରୁ ସେଭଳି ଘଟୁଥିଲା। ଏଥିପାଇଁ ଇରାନ୍ ଗଣମାଧ୍ୟମ ଇସ୍ରାଏଲ୍କୁ ଦୋଷ ଦେଇଥିଲା ସତ, କିନ୍ତୁ ଇସ୍ରାଏଲ୍ ପ୍ରକାଶ୍ୟରେ ନିଜକୁ ଦାୟୀ କରି ନ ଥିଲା। କୁହାଯାଏ, ଏହାଥିଲା ଇରାନ୍ର ଆଣବିକ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ
ଇସ୍ରାଏଲ୍ ଚଳାଇଥିବା ଗୁପ୍ତଯୁଦ୍ଧର ଅଂଶବିଶେଷ।