ସମ୍ପ୍ରତି ଆମ ଦେଶରେ ବଢ଼ିଚାଲିଥିବା ତାପମାତ୍ରା ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପାଇଁ ବିପଦ ସୃଷ୍ଟି କରୁଛି। ପ୍ରତିବର୍ଷ ଗ୍ରୀଷ୍ମଲହରି ଦୀର୍ଘ ସମୟ ତିଷ୍ଠି ରହିବା ସହ ବାରମ୍ବାର ଅତିମାତ୍ରାରେ ଅନୁଭୂତ ହେଉଛି। ଏହି ଧାରା ନିୟମିତ ଘଟୁଥିବାରୁ ଏହାର ସମୟୋଚିତ ମୁକାବିଲା ପାଇଁ ଏକ ଜାତୀୟ ପଦକ୍ଷେପ ଖସଡ଼ା ଅତ୍ୟାବଶ୍ୟକ ହୋଇପଡ଼ିଛି। ଏକ ଆକଳନ ଅନୁଯାୟୀ, ୨୦୦୦ରୁ ୨୦୧୯ ମଧ୍ୟରେ ବିଶ୍ୱରେ ପ୍ରତିବର୍ଷ ଉତ୍ତାପ ଯୋଗୁଁ ହାରାହାରି ୪,୮୯,୦୦୦ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ଅଧା ହେଉଛନ୍ତି ଏସିଆ ଅଧିବାସୀ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ମାସ ଓ ଜୁନ୍ ମାସରେ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଆଦି ରାଜ୍ୟରେ ୧୦ରୁ ୧୧ ଦିନର ଗ୍ରୀଷ୍ମଲହରି ହୋଇପାରେ। ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରି ସେଲସିଅସ୍‌ ପର୍ଯ୍ୟନ୍ତ ପହଞ୍ଚିପାରେ। ସହରାଞ୍ଚଳ ଗ୍ରୀଷ୍ମଲହରିର ପ୍ରଭାବ ଦିଲ୍ଲୀ ଭଳି ସହରରେ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ହୋଇପାରେ।

Advertisment

ଏଥି ପାଇଁ ଏକ ଆନୁଷ୍ଠାନିକ ସ୍ଥିତିସ୍ଥାପକ ନୀତି ଆବଶ୍ୟକ, ଯାହା ସାମୟିକ ଜରୁରିକାଳୀନ ପରିସ୍ଥିତି ଓ ଦୀର୍ଘକାଳୀନ ସହର ଯୋଜନାକୁ ତାପମାତ୍ରା ହ୍ରାସ ଦିଗରେ ଅନୁକୂଳ କରିପାରିବ। ଘରର ଛାତ ଓ ପିଚୁ ରାସ୍ତା ଭଳି ସହରାଞ୍ଚଳ ପୃଷ୍ଠ ଦିନ ସାରା ତାପ ଶୋଷଣ କରେ। ଏହା ଉଷ୍ମତା ଧରି ରଖି ସହରଗୁଡ଼ିକୁ ରାତିରେ ଅଧିକ ଗରମ କରିଥାଏ। ଏହାର ସମାଧାନ ଲାଗି ଥଣ୍ଡା ଛାତ ଏବଂ ପ୍ରତିଫଳନଯୋଗ୍ୟ ଚଲାରାସ୍ତାର ବ୍ୟବହାର ଜରୁରି। ସରକାରୀ ଗୃହର ଛାତକୁ ପ୍ରତିଫଳିତ ଆବରଣ ସହିତ ଫୁଟପାଥ୍ ରଙ୍ଗ କରିବା ଏକ ସ୍ବଳ୍ପ ଖର୍ଚ୍ଚ ତଥା ଉଚ୍ଚ ପ୍ରଭାବଶାଳୀ ପଦକ୍ଷେପ। ଏଥି ସହିତ ଛାତ ଉଦ୍ୟାନ ମଧ୍ୟ ଘର ଭିତରର ତାପମାତ୍ରା ତଥା ବିଦ୍ୟୁତ୍ ବ୍ୟବହାର କମାଇପାରିବ। ସେହିପରି ନଗର ଯୋଜନାକାରୀମାନେ ସବୁଜ କ୍ଷେତ୍ରଗୁଡ଼ିକର ସୁରକ୍ଷା ଓ ବିସ୍ତାର କରିବା ଉଚିତ। କୋଠାର ଗଢ଼ଣ ବା ଢାଞ୍ଚା ମଧ୍ୟ  ଘର ଭିତରର ତାପମାତ୍ରାକୁ ପ୍ରଭାବିତ କରେ। ଉପଯୁକ୍ତ ବାୟୁଚଳନ, ଛାଇଯୁକ୍ତ ଝରକା ଏବଂ ତାପ ପ୍ରତିରୋଧୀ ଗଠନ ଘର ଭିତରର ତାପକୁ କମାଇପାରିବ।

ନିର୍ମାଣ ଶ୍ରମିକ, ରାସ୍ତା ବିକ୍ରେତା, ପରିମଳ କର୍ମଚାରୀ ଏବଂ କୃଷି ଶ୍ରମିକମାନେ ପ୍ରଚଣ୍ଡ ଗରମ ସମୟରେ ବାହାରେ କାମ କରନ୍ତି ଏବଂ ପ୍ରାୟତଃ ମୌଳିକ ସୁରକ୍ଷା ସୁବିଧା ପାଇ ନଥା’ନ୍ତି। ତେଣୁ ନିଯୁକ୍ତିଦାତା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଅଧିକ ଗରମ ଦିନଗୁଡ଼ିକରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ନ ୪ଟା ଯାଏ ବାହାର କାମ ବନ୍ଦ ରଖିବା ଉଚିତ। ଛାଇ ଥିବା ଅଞ୍ଚଳରେ ପ୍ରତି ଘଣ୍ଟାରେ ୧୦ ମିନିଟ୍ ବିରତି ଏବଂ ପ୍ରତି ୩୦ ମିନିଟ୍‌ରେ ପାଣି କିମ୍ବା ଇଲେକ୍ଟ୍ରୋଲାଇଟ୍ ପିଇବା ଜରୁରି। ହାଲୁକା ରଙ୍ଗର ଢିଲା ପୋଷାକ ଓ ଟୋପି ପିନ୍ଧନ୍ତୁ। କାର୍ଯ୍ୟସ୍ଥଳରେ ଛାଇ ସ୍ଥାନରେ ବିଶ୍ରାମ କ୍ଷେତ୍ର ନିର୍ମାଣ କରନ୍ତୁ। ମନ୍ଦିର, ସ୍କୁଲ ଓ ହଲ୍‌ରେ ସାମୂହିକ ଶୀତଳୀକୃତ ଆଶ୍ରୟସ୍ଥଳ ଖୋଲନ୍ତୁ।