ନୂଆଦିଲ୍ଲୀ: ବାରବାଟୀରେ ରୋହିତଙ୍କ ରନ୍ ବର୍ଷା ସମସ୍ତଙ୍କୁ ଖୁସି କରିଦେଇଛି । ଦୀର୍ଘ ଦିନ ଧରି ଫର୍ମରେ ନଥିବା ରୋହିତ ବାରବାଟୀରେ ଟିମ୍ ଇଣ୍ଡିଆ ବିଜୟର ବିରାଟ ଭୂମିକା ଗ୍ରହଣ କରିଛନ୍ତି । ଗତ କିଛି ଦିନ ହେବ ରୋହିତଙ୍କ ଅନେକ ପ୍ରଶଂସକ ତାଙ୍କ ଖେଳକୁ ନେଇ ଟିକେ ନିରାଶ ଥିବା ବେଳେ ସେ ଫର୍ମରେ ନଥିବା ତାଙ୍କ ସମାଲୋଚକମାନେ କହୁଥିଲେ । ହେଲେ କଟକରେ ରନ କୁଢେଇ ସେମାନଙ୍କ ପାଟିକୁ ଚୁପ୍ କରେଇ ଦେଇଛନ୍ତି । ବାରବାଟୀ ଦିନିକିଆରେ ଗର୍ଜିଛି ରୋହିତଙ୍କ ବ୍ୟାଟ୍ ଆଉ ସେଥିରୁ ବର୍ଷିଛି ରନ୍ । 

Advertisment

ବାରବାଟୀରେ ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ସମସ୍ତଙ୍କ ମନ ଜିଣିଛି । ୭୬ଟି ବଲରେ ୭ଟି ଛକା ଓ ୯ଟି ଚୌକା ମାରି ଧୂଆଁଧାର ଶତକ ହାସଲ କରିଛନ୍ତି ହିଟ୍ ମ୍ୟାନ୍ ରୋହିତ । ଛକା ମାରି ଶତକ ବି ହାସଲ କରିଛନ୍ତି । ଆଉ ୯୦ଟି ବଲରୁ ୭ଟି ଛକା ଓ ୧୨ଟି ଚୌକା ସହ ୧୧୯ ରନର ଇନିଙ୍ଗସ୍ ଖେଳିଛନ୍ତି ରୋହିତ ଶର୍ମା । ଏହାସହ ଦିନିକିଆରେ ୩୨ତମ ଶତକ କରି ପୁଣିଥରେ ଫର୍ମ ଫେରି ପାଇଛନ୍ତି ।

delhi tweet
Photograph: (SAMBAD.IN)

 

ସେପଟେ ରୋହିତଙ୍କ ଏପରି ଚିତାକର୍ଷକ ପାଳି ଦେଖି ଦର୍ଶକ ଖୁସ୍ । ଖାଲି ତାଙ୍କ ପ୍ରଶଂସକ ନୁହେଁ ବରଂ ଦିଲ୍ଲୀ ପୋଲିସ କ୍ୟାପଟେନଙ୍କୁ ଶୁଭେଚ୍ଛା ଜଣାଇ ଏକ ନିଆରା ପୋଷ୍ଟ କରିଛି । ସୋସିଆଲ ମିଡିଆ ଏକ୍ସରେ ଦିଲ୍ଲୀ ପୋଲିସ ଓଡିଶା ପୋଲିସକୁ ଟ୍ୟାଗ୍ କରି ଏମିତି ଢଙ୍ଗରେ ମଜା କରିଛି ଯାହା ଯିଏ ପଢୁଛି ସିଏ ସହୁଛି ଆଉ ଦିଲ୍ଲୀ ପୋଲିସର ଏ ବୁଦ୍ଧିକୁ ତାରିଫ କରୁଛି ।

ତେବେ ଦିଲ୍ଲୀ ପୋଲିସ ଓଡିଶା ପୋଲିସକୁ ଟ୍ୟାଗ କରି ଲେଖିଛି- ପ୍ରିୟ ! ଓଡିଶା ପୋଲିସ, ଏହି ହିଟ୍ ଆଣ୍ଡ ରନ୍ ମାମଲାଟି ଆଦୌ ଦଣ୍ଡନୀୟ ଅପରାଧ ନୁହେଁ... ରୋହିତ ଶର୍ମାଙ୍କ ଫଟୋ ସହ ଏହି ପୋଷ୍ଟଟି କରିଛି ଦିଲ୍ଲୀ ପୋଲିସ । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ କ୍ରିକେଟ୍ ପ୍ରେମୀ ଏହି ପୋଷ୍ଟଟିକୁ ସେୟାର ସହ ରି-ପୋଷ୍ଟ ମଧ୍ୟ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ଅର୍ଥାତ, ସୋମବାର ଦିନ ଅଢେଇଟା ବେଳକୁ ଦିଲ୍ଲୀ ପୋଲିସ ହ୍ୟାଣ୍ଡେଲରୁ ୯୦୦ ପାଖାପାଖି ରି-ପୋଷ୍ଟ ଏବଂ ୬ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ୧୦୦ ପାଖାପାଖି ରିପ୍ଲାଏ ମିଳିଛି ।