ଆଜି ଶ୍ରାଦ୍ଧ ବାର୍ଷିକୀ: ଗୋଦାବରୀଶ ମହାପାତ୍ର

ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ସାହିତ୍ୟିକ ଗୋଦାବରୀଶ ମହାପାତ୍ର ୧୮୯୮ ମସିହା ଅକ୍‍ଟୋବର ୧ ତାରିଖରେ ପୁରୀ ଜିଲ୍ଲାର କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ମାତ୍ର ଦୁଇ ବର୍ଷର ହୋଇଥିବା ବେଳେ ପିତା ଦୟାନିଧିଙ୍କର ପରଲୋକ ଘଟିଥିଲା। ମାଆ ଗେହ୍ଲୀ ଦେବୀ ଏକାକୀ ତାଙ୍କର ଲାଳନପାଳନ କରିଥିଲେ। ସତ୍ୟବାଦୀ ବନବିଦ୍ୟାଳୟରେ ଗୋଦାବରୀଶଙ୍କ ବାଲ୍ୟକାଳ କଟିଥିଲା। ସେଠାରେ ସେ ଜାତୀୟତାବାଦ ଭାବନାରେ ଉଦ୍‍ବୁଦ୍ଧ ହୋଇଥିଲେ ଏବଂ କବିତା ରଚନା ଆରମ୍ଭ କରିଥିଲେ। କବିବର ରାଧାନାଥଙ୍କ ଚିଲିକା କାବ୍ୟ ଦ୍ବାରା ପ୍ରଭାବିତ ହୋଇ ୧୯୧୪ରେ ଲେଖିଥିଲେ ପ୍ରଥମ କବିତା ‘ବାଣପୁର’।

ପ୍ରାୟ ପଚାଶ ବର୍ଷର ସାହିତ୍ୟ ସାଧନା ବଳରେ ସେ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ଶିଶୁ-ସାହିତ୍ୟ, ସାମ୍ବାଦିକତା, ବ୍ୟଙ୍ଗାତ୍ମକ ସମାଲୋଚନା ଆଦି ବିଭିନ୍ନ କ୍ଷେତ୍ରକୁ ଋଦ୍ଧିମନ୍ତ କରିଛନ୍ତି। ସମାଲୋଚନାମୂଳକ ପତ୍ରିକା ‘ନିଆଁଖୁଣ୍ଟା’ ମାଧ୍ୟମରେ ସେ ସମସାମୟିକ ସମାଜ, ରାଜନୀତି, ସାହିତ୍ୟ ଓ ସଂସ୍କୃତିକୁ ଜାଗ୍ରତ କରିବାର ଆପ୍ରାଣ ଚେଷ୍ଟା କରୁଥିଲେ। ସେହିପରି ‘ଟୁଆଁଟୁଇଁ’ ପତ୍ରିକାର ସମ୍ପାଦକ ଭାବେ ସେ ଓଡ଼ିଶା ଶିଶୁ-ସାହିତ୍ୟ ବିଭାଗକୁ ବଳିଷ୍ଠ ଅବଦାନ ଦେଇଛନ୍ତି। ତାଙ୍କର ମନସ୍ତାତ୍ତ୍ବିକ ବିଶ୍ଳେଷଣାତ୍ମକ ଗଦ୍ୟ ସମେତ ବିପ୍ଳବୀ କବିତାଗୁଡ଼ିକ ତାଙ୍କ ଉଗ୍ର ଜାତୀୟତାବାଦର ପରିଚାୟକ। ସେ ‘ଉଠ କଙ୍କାଳ’ ଓ ‘କଣ୍ଟା ଓ ଫୁଲ’ ପୁସ୍ତକ ପାଇଁ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ‘ବଙ୍କା ଓ ସିଧା’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୧୯୬୫ ନଭେମ୍ବର ଆଜି ଦିନରେ ଗୋଦାବରୀଶ ମହାପାତ୍ରଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର