ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏଭଳି ଜଣେ ନେତା ଯିଏ ଦୀର୍ଘ କାଳ ସଂଘର୍ଷ କରି ଦେଶକୁ କେବଳ ସ୍ବାଧୀନ କରାଇନଥିଲେ, ସ୍ବାଧୀନତା ପରେ ଗାନ୍ଧୀ ନୀତି ଅନୁଯାୟୀ ଦେଶ ଗଢ଼ିବାକୁ ମଧ୍ୟ ଆପ୍ରାଣ ଉଦ୍ୟମ କରିଥିଲେ। ଜଗତ୍ସିଂହପୁର ଜିଲ୍ଲାର ଖେରସ ଗ୍ରାମରେ ୧୯୦୧ ନଭେମ୍ବର ୨୩ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ପ୍ୟାରୀମୋହନ ଏକାଡେମିରୁ ସ୍କୁଲ୍ ଶିକ୍ଷା ସମାପ୍ତ କରିବା ପରେ ସେ ରେଭେନ୍ସା କଲେଜରେ ଭର୍ତ୍ତି ହୋଇଥିଲେ। ତେବେ ସରକାରୀ ଚାକିରି ଛାଡ଼ିଥିବା ବଡ଼ଭାଇ ଗୋପବନ୍ଧୁଙ୍କୁ ଅନୁସରଣ କରି ନବକୃଷ୍ଣ ପଢ଼ା ଛାଡ଼ି ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିଲେ। ସେ ଗାନ୍ଧୀଙ୍କ ସାବରମତୀ ଆଶ୍ରମ ଯାଇ ଖଦି ବସ୍ତ୍ର ପ୍ରସ୍ତୁତି ଶିଖିଥିଲେ। ୧୯୨୫ରେ ଗାନ୍ଧୀଙ୍କ ଉପଦେଶକ୍ରମେ ସେ ଶାନ୍ତି ନିକେତନରେ ଭର୍ତ୍ତି ହୋଇଥିଲେ।
ସେଠାରେ ସେ ମାଳତୀ ଦେବୀଙ୍କୁ ଭେଟିଥିଲେ ଏବଂ ପରେ ଉଭୟଙ୍କର ବିବାହ ହୋଇଥିଲା। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ପରେ ନବକୃଷ୍ଣ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେଇଥିଲେ। ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ୧୯୪୫ ଯାଏ ଜେଲ୍ରେ ରହିଥିଲେ। ୧୯୪୬ ମସିହାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିମଣ୍ଡଳରେ ସେ ରାଜସ୍ବ ମନ୍ତ୍ରୀ ହୋଇଥିଲେ। ୧୯୫୦ ମସିହାରେ ମୁଖ୍ୟମନ୍ତ୍ରୀ ମହତାବ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେବାରୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପ୍ରସ୍ତାବକ୍ରମେ ନବକୃଷ୍ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଜମିଦାରି ପ୍ରଥା ଉଚ୍ଛେଦ, ଭାଗଚାଷୀ ଆଇନ ପ୍ରଣୟନ, ଓଡ଼ିଆକୁ ସରକାରୀ ଭାଷା କରିବା, କୃଷି ମହାବିଦ୍ୟାଳୟ ସ୍ଥାପନ ଆଦି ତାଙ୍କ କାର୍ଯ୍ୟକାଳରେ ସମ୍ଭବ ହୋଇପାରିଥିଲା।
ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଓ ଜେଲଦଣ୍ଡ ଭୋଗିଥିବା ସଂଗ୍ରାମୀଙ୍କ ସନ୍ତାନମାନଙ୍କ ଥଇଥାନ ଉଦ୍ଦେଶ୍ୟରେ ‘ବାଜିରାଉତ ଛାତ୍ରାବାସ’ ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ସେହିପରି ଓଡ଼ିଶାର ଦଳିତ, ଆଦିବାସୀ ଓ ଶ୍ରମିକଙ୍କ କଲ୍ୟାଣ ପାଇଁ ‘ଜୀବନ ବିଦ୍ୟାଳୟ’ ଓ ‘ନବଜୀବନ ମଣ୍ଡଳ’ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ ଜେଲ୍ ଯାଇଥିଲେ। ଜେଲରେ ଅସୁସ୍ଥ ହେବାରୁ ତାଙ୍କୁ ମୁକ୍ତ କରାଯାଇଥିଲା। ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନ ଥିଲେ। ୧୯୮୪ ଜୁନ୍ ଆଜି ଦିନରେ ଅନୁଗୁଳର ବାଜି ରାଉତ ଆଶ୍ରମରେ ତାଙ୍କର ପରଲୋକ ଘଟିଥିଲା।