ଭୁବନେଶ୍ବର/ମାଲକାନଗିରି : ଦୀର୍ଘ ୨୪ ଦିନ ଧରି ଆଇସିୟୁ ଭିତରେ କଷ୍ଟ ପାଇବା ପରେ ଶେଷରେ ଆଖି ବୁଜିଛନ୍ତି ଆଉ ଜଣେ ବେବିନା। ଗଣଦୁଷ୍କର୍ମର ଶିକାର ହେବା ପରେ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମାଲ୍କାନାଗିରି ଗୋବିନ୍ଦପାଲିର ପୀଡ଼ିତାଙ୍କର ଆଜି ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଏଥିସହ ସମାଧି ନେଇଛି ଏକ ସ୍ବପ୍ନଭୁକ ମେଧାବୀ ଛାତ୍ରୀର ଆଇଏଏସ୍ ହେବା ସ୍ବପ୍ନ। ସ୍ବପ୍ନକୁ ସାକାର କରିବା ଲାଗି ସହଯୋଗର ହାତ ବଢ଼ାଇ ଥିବା ମଣିଷଙ୍କୁ ବିଶ୍ବାସ କରି ସେ ଖାଇଲା ଧୋକା। ସେମାନଙ୍କ କାମ ବାସନାର ଶିକାର ହେଲା। ଶେଷକୁ ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ମଧ୍ୟ ନ୍ୟାୟ ପାଇଲା ନାହିଁ। ଏକ ଲଜ୍ଜାଜନକ ଜୀବନ ଜିଇବା ଅପେକ୍ଷା ଆତ୍ମହତ୍ୟାର ପଥ ବାଛିବାକୁ ଉଚିତ ମଣିଲା।
ମାଲକାନଗିରି ଗୋବିନ୍ଦପାଲିର ଏହି ମେଧାବୀ ଛାତ୍ରୀଜଣଙ୍କ ଆଇଏଏସ୍ ହେବା ଲକ୍ଷ୍ୟରେ ପାଠ ପଢ଼ୁଥିଲେ। ପ୍ରାୟ ସବୁ ବିଷୟରେ ଭଲ ମାର୍କ ରହୁଥିବା ବେଳେ ଗୋଟିଏରେ ମାର୍କ କମ୍ ରହୁଥିଲା। ସେହି ବିଷୟରେ ମାର୍କ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇ ଜଣେ ଅଧ୍ୟାପକ ତାଙ୍କ ଏକାନ୍ତର ସୁଯୋଗ ନେଇ ଦୁଷ୍କର୍ମ କଲେ। ଗୋଟିଏ ଥର ଦୁଷ୍କର୍ମର ପରିଣାମ ଅନେକ ଥର ଦୁଷ୍କର୍ମ ପାଇଁ ବାଟ ଫିଟାଇଲା। ପରେ ଅଧ୍ୟାପକଙ୍କ ସହ ଜଣେ ସାମ୍ବାଦିକ ମିଶିଥିଲେ। ଉଭୟ ମିଶି ଦୁଷ୍କର୍ମ କଲେ। ମାନସିକ ଯନ୍ତ୍ରଣାରେ ଆଉଟୁପାଉଟୁ ହୋଇ ଛାତ୍ରୀଜଣଙ୍କ ଥାନାର ଦ୍ବାରସ୍ଥ ହେଲେ। ହେଲେ ଥାନା ମଧ୍ୟ କୋହଳ ଦଫା ଲଗାଇବାରୁ ସମସ୍ତଙ୍କୁ ଗିରଫ ପୂର୍ବରୁ ଜାମିନ୍ ମିଳିଗଲା। ଆଖିଦୃଶିଆ ଦଣ୍ଡ ହେଲା ନାହିଁ।
/sambad/media/post_attachments/wp-content/uploads/2019/03/Rape-victim-ftr-620x400.jpg)
୨୦୧୭ ମସିହା ନଭେମ୍ବର ୭ ତାରିଖରେ ଏହି ଘଟଣା ଘଟିଥିଲା। ସେତେବେଳେ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲାକୁ ଆଉଥରେ ତଦନ୍ତ କରିବା ପାଇଁ ହାଇକୋର୍ଟରୁ ଆଦେଶ ଆସିଥିଲା। କିନ୍ତୁ ଏହି ଆଦେଶ ପାଳନ ହୋଇନଥିଲା। ଏଣୁ ତାଙ୍କର ମାନସିକ ସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ସେଠାରେ ସେ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ଭୁବନେଶ୍ବର ପଟିଆରେ ଥିବା ବନ୍ଧୁଘରକୁ ପଠାଇ ଦିଆଯାଇଥିଲା। ସେ ଏଠାରେ ରହି ଆଇଏସ୍ କୋଚିଂ ନେଉଥିଲେ। ହେଲେ ସେହି ଘଟଣାକୁ ଭୁଲି ପାରୁନଥିଲେ।
ଗତ ୧୩ ତାରିଖ ଦିନ ସେ ବାଥ୍ରୁମ୍ ସାୱାର୍ରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବାପା ପକ୍ଷାଘାତ ରୋଗରେ ପୀଡ଼ିତ ଅଛନ୍ତି। ଖଟିଆରୁ ଉଠି ପାରୁନାହାନ୍ତି। ଘରେ ସାନ ଭାଇ ଓ ମା’ରୁହନ୍ତି। ଦୋଷୀଙ୍କୁ ତ’ ଦଣ୍ଡ ମିଳିବା ପର କଥା, ହେଲେ ସେ ପାଠ ପଢ଼ି ଚାକିରି କରିବା ପରେ ପରିବାରକୁ ବଳ ହୋଇଥାନ୍ତେ ବୋଲି ତାଙ୍କ ମା’ କହିବା ବେଳେ କାନ୍ଦି ପକାଇଥିଲେ।