ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କର ‘ଓଡ଼ିଶା ଓ ଦକ୍ଷିଣ ଏସିଆ ଦେଶସମୂହରେ ବଜ୍ରପାତ’ ଶୀର୍ଷକ ନୂତନ ଗବେଷଣା ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚିତ ହୋଇଛି। ବୈଶ୍ବିକ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ ବଜ୍ରପାତ ଘଟଣା ବୃଦ୍ଧି ପାଉଛି। ଏଥିଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହେବା କଥା ଏହି ଗବେଷଣାରେ ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେ ଦର୍ଶାଇଛନ୍ତି ଯେ ଉପଯୁକ୍ତ ଉଦ୍ୟମ ହେଲେ ବଜ୍ରପାତଜନିତ କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରାଯାଇ ପାରିବ। ଓଡ଼ିଶା ସମେତ ଦକ୍ଷିଣ ଏସିଆରେ ଘାତକ ସାବ୍ୟସ୍ତ ହୋଇଥିବା ବଜ୍ରପାତର ବିଭିନ୍ନ ଦିଗ ଉପରେ ପ୍ରଫେସର ମନୋରଞ୍ଜନ ମିଶ୍ରଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

Advertisment

ସଂକ୍ଷେପରେ ମନୋରଞ୍ଜନ

ପ୍ରଫେସର ଡକ୍ଟର ମନୋରଞ୍ଜନ ମିଶ୍ର ନିଆଳିସ୍ଥିତ ଟୋଲାଗୋପୀନାଥପୁରରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଡିଏଭି ସ୍କୁଲ୍‌ରେ ବିଦ୍ୟାଳୟ ଶିକ୍ଷା ସମାପ୍ତ ହେବା ପରେ ସେ ରେଭେନ୍‌ସା କଲେଜରେ ସ୍ନାତକ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଭୂଗୋଳରେ ସ୍ନାତକୋତ୍ତର କରିଥିଲେ। ଏହା ପରେ ଡକ୍ଟର ମିଶ୍ର ଜେଏନ୍‌ୟୁରେ ଭୂଗୋଳରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି କରିଥିଲେ। ସେ ବିଦେଶର ଏକାଧିକ ପ୍ରସିଦ୍ଧ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିବା ସହିତ ଗବେଷଣା କରିଛନ୍ତି। କୋଷ୍ଟାଲ୍‌ କଞ୍ଜର୍‌ଭେସନ୍, କରେଣ୍ଟ୍‌ ସାଇନ୍‌ସ୍‌, ସାଇନ୍‌ସ୍‌ ଟୋଟାଲ୍‌ ଏନ୍‌ଭାରୋନ୍‌ମେଣ୍ଟ୍‌ ଓ ଡିଜାଷ୍ଟର୍‌ ରିସ୍କ ଭଳି ପ୍ରସିଦ୍ଧ ଜର୍ଣ୍ଣାଲ୍‌ରେ ତାଙ୍କର ପ୍ରାୟ ୭୩ରୁ ଅଧିକ ଗବେଷଣା ସନ୍ଦର୍ଭ ପ୍ରକାଶ ପାଇଛି। ତାଙ୍କର ଗବେଷଣା ପାଇଁ ଏପିଏନ୍ ଓ ବ୍ରିକ୍‌, ଆଇସିଏସ୍ଏସ୍ଆର୍ ଏବଂ ଜାତିସଂଘ ଅନୁବନ୍ଧିତ ଇଣ୍ଟର୍‌ନ୍ୟାସନାଲ୍‌ କନ୍‌ସଲଟାନ୍ସି ଭଳି ଆର୍ଥିକ ଅନୁଷ୍ଠାନ ସହାୟତା ପ୍ରଦାନ କରିଛନ୍ତି। ବଜ୍ରପାତ ଭଳି ତାଙ୍କର ଅନେକ ଗବେଷଣା ଜାତିସଂଘର ବିପର୍ଯ୍ୟୟ ପ୍ରଶମନ ଅନୁଷ୍ଠାନ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି।

ଗ୍ରାମ୍ୟ ଅର୍ଥନୀତି ମେରୁଦଣ୍ଡରେ ବଜ୍ରପାତ ମାଡ଼
୨୦୨୫ ମସିହାର ପ୍ରଥମ ୫ ମାସରେ ଆମ ରାଜ୍ୟରେ ବଜ୍ରପାତ ଯୋଗୁଁ  ୪୯ଜଣ ପ୍ରାଣହରାଇଛନ୍ତି। ଏଥିସହ ୮୬ ଗୃହପାଳିତ ପ୍ରାଣୀଙ୍କର ବି ମୃତ୍ୟୁ ହୋଇଛି। ଏହା ଆମପାଇଁ ସତର୍କଘଣ୍ଟି। ଏକ ଆକଳନରୁ ଜଣାଯାଇଛି ଯେ ରାଜ୍ୟରେ ବଜ୍ରପାତ ମୃତ୍ୟୁ କ୍ରମଶଃ ବଢ଼ିବାରେ ଲାଗିଛି। ଅସଲରେ ବିଜୁଳି ଓ ଘଡ଼ଘଡ଼ି ବା ବଜ୍ରପାତ କେବଳ ପାଣିପାଗ ସହ ସଂପୃକ୍ତ ସମସ୍ୟା ନୁହେଁ, ଏହା ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ଏକ ପ୍ରକ୍ରିୟା। ସାମ୍ପ୍ରତିକ ସମୟରେ ଏହା ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ବଜ୍ରପାତଜନିତ ଅଘଟଣ ସାମୟିକ ହୋଇପାରେ, ମାତ୍ର ଆମେ ସେଥିପ୍ରତି ବେପରୁଆ ହେବା ଉଚିତ ନୁହେଁ। ଓଡ଼ିଶା ସମେତ ଦକ୍ଷିଣ ଏସିଆରେ ବଜ୍ରପାତ ଘଟଣା ବୃଦ୍ଧି ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିଣାମ ସମ୍ବନ୍ଧରେ ଚେତାବନୀ ଦେଉଛି। ଓଡ଼ିଶାରେ କ୍ରମାଗତ ଚରମ ପାଣିପାଗ ଘଟଣାକୁ ପ୍ରତିହତ କରିବା ସକାଶେ ପ୍ରସ୍ତୁତି ଚାଲିଥିବା ବେଳେ ବଜ୍ରପାତ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି। ଆମେ ମନେରଖିବା ଉଚିତ ଯେ, ବଜ୍ରପାତ ହେତୁ ଆମ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଥିବା କୃଷକ, ଶ୍ରମିକ ଓ ପଶୁସମ୍ପଦ କ୍ଷତିଗ୍ରସ୍ତ ହେଉଛି। ଯଦି ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡକୁ ବଜ୍ରପାତ କବଳରୁ ସୁରକ୍ଷା ଦିଆ ନଯାଏ ତେବେ ଗ୍ରାମ୍ୟ କୃଷି ଓ ଶ୍ରମ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିବା ଆଶଙ୍କାକୁ ଏଡ଼ାଇ ହେବନାହିଁ ବୋଲି ଉକ୍ତ ଗବେଷଣାରେ ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି।

ବଜ୍ରପାତ ମୃତ୍ୟୁ ହ୍ରାସ କରିହେବ!
ବଜ୍ରପାତ ହେଉଛି ଜଳବାୟୁ ପ୍ରେରିତ ଏକ ଦୁର୍ବାର ଘାତକ। ବିଶେଷକରି ପ୍ରାକ୍-ମୌସୁମୀ କାଳରେ ଓ କାଳବୈଶାଖୀ ହେଉଥିବା ମାସରେ ବଜ୍ରପାତ ଓଡ଼ିଶାରେ ପାଣିପାଗ ସମ୍ବନ୍ଧିତ ମୃତ୍ୟୁର ପ୍ରମୁଖ କାରଣ ହୋଇଥାଏ। ସାଂପ୍ରତିକ ପରିସ୍ଥିତି ଉପରେ କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ, ବଜ୍ରାଘାତଜନିତ ମୃତ୍ୟୁ ମଧ୍ୟରୁ ୮୦%ରୁ ଅଧିକ ଖୋଲା ସ୍ଥାନ କିମ୍ବା କଚ୍ଚା ଘରେ ଘଟିଛି। ଗୋଟିଏ ହେଲେ ମୃତ୍ୟୁ ପକ୍କାଘର ଅଥବା ଆଂଶିକଭାବେ ବୈଦ୍ୟୁତିକ ପ୍ରବାହ ନିରାପଦ ଆଶ୍ରୟସ୍ଥଳୀରେ ଘଟିନାହିଁ। ଉପଯୁକ୍ତ ଆଶ୍ରୟସ୍ଥଳୀ ଚିହ୍ନଟ ଓ ପ୍ରାକ୍‌ ସୂଚନା ପ୍ରସାରଣ ଦ୍ବାରା ବଜ୍ରପାତଜନିତ ମୃତ୍ୟୁ ଆପାତତଃ ହ୍ରାସ କରାଯାଇ ପାରିବ ବୋଲି ଆଶାପ୍ରକାଶ କରିଛନ୍ତି ପ୍ରଫେସର ମିଶ୍ର। 

ପହଞ୍ଚି ପାରୁନାହିଁ କି ସତର୍କ ସୂଚନା
ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ସଂପର୍କିତ ସତର୍କ ସୂଚନା ବିତରଣ ବ୍ୟବସ୍ଥା ଫଳପ୍ରଦ ହେଉନାହିଁ କାହିଁକି? ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ବଜ୍ରପାତ ସଂପର୍କରେ ପ୍ରାକ୍-ସତର୍କତା ପାଇଁ ଦାମିନୀ, ସଚେତ୍ ଓ ମୌସମ୍‌ ପରି ଆପ୍‌ ସବୁ ରହିଛି। ମାତ୍ର ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର୍‌ ଡାଟା ଓ  ଇଣ୍ଟର୍‌ନେଟ୍ ପହଞ୍ଚ ଅପେକ୍ଷାକୃତ କମ୍ ଥିବାରୁ ଏହି ସତର୍କ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ଏହା ବ୍ୟତୀତ ସଚେତନତା ଅଭିଯାନ ଲକ୍ଷ୍ୟଭିତ୍ତିକ ହୋଇ ପାରିନାହିଁ। ଏହି ସଚେତନତା ଅଭିଯାନ ଜରିଆରେ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଆଚରଣଗତ ପରିବର୍ତ୍ତନ ଆଣିବା ସକାଶେ ପ୍ରାସଙ୍ଗିକ ସ୍ଥାନୀୟକରଣର ଅଭାବ ରହିଛି। ପୂର୍ବାନୁମାନ ସଠିକ୍ ହେଉ ନଥିବା ଜାଣି କିମ୍ବା ଅତି ସାଧାରଣ ଶ୍ରେଣୀୟ ହୋଇଥିବାରୁ ଲୋକଙ୍କ ମନରେ ଏଥିପ୍ରତି ବିଶ୍ବାସ ଓ ଅାଗ୍ରହ ସୃଷ୍ଟି ହେଉନାହିଁ। ଅଞ୍ଚଳ ଆଧାରିତ ବିପଦପ୍ରବଣତା ଚିହ୍ନଟ କରାଯାଇ ନଥିବାରୁ ଏବଂ ପ୍ରାକ୍‌ସୂଚନା ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ ନହେବାରୁ ଗ୍ରାମାଞ୍ଚଳବାସୀ ସେମାନଙ୍କୁ ଘେରି ରହିଥିବା ବିପଦ ସଂପର୍କରେ ଅଜ୍ଞ ରହିଯାଆନ୍ତି।

ଗ୍ରାମଗୋଷ୍ଠୀକୈନ୍ଦ୍ରିକ ସମାଧାନ ଜରୁରି
ବଜ୍ରପାତର ବିଭିନ୍ନ ଦିଗ ଉପରେ କରିଥିବା ଗବେଷଣା ସଂପର୍କରେ ସୂଚନା ଦେଇ ପ୍ରଫେସର ମିଶ୍ର କହନ୍ତି, ଚାଷକାମ ବେଳେ ୪୧.୪%, ଗଛମୂଳେ ଠିଆହେବା ଯୋଗୁଁ ୨୭.୬%, ପଶୁଚାରଣ ସମୟରେ ୧୩.୮% ‌ବଜ୍ରପାତ କାରଣରୁ ପ୍ରାଣହରାନ୍ତି। ଅଧିକାଂଶ ମୃତ୍ୟୁ ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି ଓ ବରଗଡ଼ ପରି ଗ୍ରାମୀଣ ଓ ଆଦିବାସୀ ଜିଲ୍ଲାରେ ଘଟିଥିବା କଥା ରିପୋର୍ଟ କରାଯାଇଛି। ବଜ୍ରପାତଜନିତ ମୃତ୍ୟୁ ନିୟନ୍ତ୍ରଣ କରିବାକୁ ହେଲେ ଗ୍ରାମଗୋଷ୍ଠୀ-କୈନ୍ଦ୍ରିକ ସମାଧାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେବଳ ମୋବାଇଲ୍ ବା କମ୍ପ୍ୟୁଟର୍‌ଭିତ୍ତିକ ସତର୍କ ସୂଚନା ଉପରେ ନିର୍ଭର ନକରି ବଜ୍ରପାତରୁ ସୁରକ୍ଷା ପାଇଁ ‘ଗ୍ରାମଗୋଷ୍ଠୀ-ପ୍ରଥ‌େମ’ ଅାଭିମୁଖ୍ୟ ଆପଣାଯିବା ଆବଶ୍ୟକ। ଗ୍ରାମସ୍ତରରେ ବଜ୍ରପାତ ମୃତ୍ୟୁଫାଶଗୁଡ଼ିକୁ ଚିହ୍ନଟ କରାଯିବା ଆବଶ୍ୟକ। ଖୋଲାପଡ଼ିଆ, ଗୋଚର ଓ ଅସୁରକ୍ଷିତ ଜଳାଧାର ପରି ଅଧିକ ବିପଦପ୍ରବଣ ଅଞ୍ଚଳଗୁଡ଼ିକୁୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ମାନଚିତ୍ରରେ ଦର୍ଶାଯିବା ଆବଶ୍ୟକ। ସେହିପରି ସଂପ୍ରସାରଣ ଅଧିକାରୀ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ ପଞ୍ଚାୟତ ସଦସ୍ୟମାନଙ୍କ ପରି ନିର୍ଭରଯୋଗ୍ୟ ମାଧ୍ୟମ ବ୍ୟବହାର କରି ସୁରକ୍ଷାବାର୍ତ୍ତା ଓ ସତର୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ସୁରକ୍ଷିତ ଆଶ୍ରୟସ୍ଥଳ ସଂପର୍କରେ ସଚେତନତା ସୃଷ୍ଟି କରାଯିବା ମଧ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ରବଳ ବଜ୍ରପାତ ସମୟରେ ପକ୍କା ବିଦ୍ୟାଳୟ କୋଠା, ପଞ୍ଚାୟତ କାର୍ଯ୍ୟାଳୟ ତଥା ସରକାରୀ କୋଠାଘରଗୁଡ଼ିକୁ ସୁରକ୍ଷିତ ଆଶ୍ରୟସ୍ଥଳ ରୂପେ ବ୍ୟବହାର କରିବାକୁ ପ୍ରୋତ୍ସାହନ ଜରୁରି।

ସ୍ଥାନ-କାଳ-ପାତ୍ର ବିବେଚନା କାହିଁକି ଗୁରୁତ୍ବପୂର୍ଣ୍ଣ?
ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ‘ସ୍ଥାନ, କାଳ, ପାତ୍ର’ ଆଧାରିତ ଅଭିଯାନ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସ୍ଥାନ ଦୃଷ୍ଟିରୁ ବିଚାର କଲେ ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛମୂଳ ଓ ଜଳାଶୟ ନିକଟସ୍ଥ ସ୍ଥାନ ଏଡ଼ାଇବା ଉଚିତ। ଯେହେତୁ ପ୍ରାୟ ୯୦% ବଜ୍ରପାତଜନିତ ଘଟଣା ଅପରାହ୍‌ଣ ୨ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘଟିଥାଏ, ତେଣୁ ପ୍ରାକ୍-ମୌସୁମୀ ମାସଗୁଡ଼ିକରେ ଏହି ସମୟରେ ଘର ଭିତରେ ରହିବା ସୁରକ୍ଷିତ। ଅଧିକ ବିପଦପ୍ରବଣ ଗୋଷ୍ଠୀ ଯେପରିକି ଚାଷୀ, ଦିନମଜୁରିଆ, ପଶୁପାଳକ ଓ ପିଲାମାନଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରଫେସର ମିଶ୍ର ଗୁରୁତ୍ବାରୋପ କରିଛନ୍ତି।

ତାଳଗଛ ବଜ୍ରପାତ ମୃତ୍ୟୁ ହ୍ରାସ କରେ?
ଜନମାନସରେ ଏକ ଧାରଣା ରହିଛି ଯେ ତାଳଗଛ ବଜ୍ରପାତ ପ୍ରଭାବ ନିୟନ୍ତ୍ରିତ କରେ। କେତେକ ଏହାକୁ ପ୍ରାକୃତିକ ଲାଇଟନିଂ ଆରେଷ୍ଟର୍‌ ବୋଲି କହନ୍ତି। କିନ୍ତୁ ଏ ନେଇ କୌଣସି ତଥ୍ୟ ପ୍ରମାଣ ନାହିଁ ବୋଲି ପ୍ରଫେସର ମିଶ୍ର ତାଙ୍କ ଗବେଷଣାରେ ଦର୍ଶାଇଛନ୍ତି। ଏକଥା ସତ ଯେ ତାଳ ପରି ଡେଙ୍ଗା ଗଛଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ରୂପେ ବିଜୁଳିକୁ ଆକର୍ଷିତ କରି ବୈଦ୍ୟୁତିକ ଚାର୍ଜକୁ ମାଟି ଭିତରକୁ ପଠାନ୍ତି। କିନ୍ତୁ, ଅଧ୍ୟୟନରୁ ଜଣାପଡ଼ିଛି ଯେ ବ୍ୟାପକ ତାଳଗଛ ଥିବା ସତ୍ତ୍ବେ ବାଂଲାଦେଶରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସ ପାଇନାହିଁ। ପ୍ରକୃତ କଥା ହେଉଛି, ବଜ୍ରପାତ ସମୟରେ ଗଛ ବିଦ୍ୟୁତ୍‌ ସୁପରିବାହୀରୂପେ କାର୍ଯ୍ୟକରେ। ବିଜୁଳି ମାରିଲେ ଗଛ ମାଧ୍ୟମରେ ବିଦ୍ୟୁତ୍ ପ୍ରବାହିତ ହୋଇ ମାଟି ଭିତରେ ଭିତରେ ଚାରିଆଡ଼କୁ ସଞ୍ଚରିଯାଏ। ତେଣୁ ଗଛ ନିକଟରେ ଠିଆ ହୋଇଥିବା ବ୍ୟକ୍ତି ବା ପ୍ରାଣୀ ପାଦ ଦେଇ ଏହି ବିଦ୍ୟୁତ୍ ସେମାନଙ୍କ ଶରୀରରେ ପ୍ରବେଶ କରି ଅନ୍ୟକୌଣସି ବାଟେ ବାହାରକୁ ଚାଲିଯାଏ। ଏହା ଫଳରେ ଶରୀର‌େର ଅଭ୍ୟନ୍ତରୀଣ କ୍ଷତି ଘଟିବା ସହିତ କେତେକଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ। ବଜ୍ରପାତରୁ ରକ୍ଷା ପାଇବାକୁ ହେଲେ କୌଣସି ଗଛଠାରୁ ୫୦ ମିଟର ଦୂରତା ମଧ୍ୟରେ ଥିବା ଖୋଲାସ୍ଥାନରେ ଆଶ୍ରୟ ନ ନେବା ଜରୁରି ବୋଲି ‌ମତ ରଖିଛନ୍ତି ପ୍ରଫେସର ମିଶ୍ର। ଏହି କାରଣରୁ ଗଛତଳ ବିପଜ୍ଜନକ ବୋଲି ଅଭିହିତ କରାଯାଏ। ଓଡ଼ିଶାରେ ବୃଦ୍ଧି ପାଉଥିିବା ବଜ୍ରପାତ ମୃତ୍ୟୁ ଏକ ଗମ୍ଭୀର ଜଳବାୟୁ ଚେତାବନୀ ପାଲଟିଛି ବୋଲି ଚେତାଇ ଦେଇଛନ୍ତି ପ୍ରଫେସର ମିଶ୍ର।