‘ପଦ୍ମପୁରାଣ’ ଅନୁସାରେ ପ୍ରତିମାସର ଶୁକ୍ଳ ପଞ୍ଚମୀ ହେଉଛି କାର୍ତ୍ତିକେୟଙ୍କର ପୂଜାର ତିଥି। କାରଣ ଏହି ତିଥିରେ ସମଗ୍ର ପୃଥିବୀ ଓ ପୃଥିବୀର ପର୍ବତ ସମୂହ ତାଙ୍କର ଶରଣ ନେଇଥିଲେ। ସବୁ ଶୁକ୍ଳ ପଞ୍ଚମୀର ନାମ ମଧ୍ୟ ସେଥିପାଇଁ ସ୍କନ୍ଦ ପଞ୍ଚମୀ। ତେବେ ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ତାଙ୍କର ପୂଜା ହୋଇଥାଏ। ବ୍ୟାସଦେବକୃତ ସଂସ୍କୃତ ‘ମହାଭାରତ’ରେ ବର୍ଣ୍ଣିତ ଅଛି ଯେ କାର୍ତ୍ତିକେୟ ଉଭୟ ଶିବଙ୍କର ଓ ଅଗ୍ନିଙ୍କର ପୁତ୍ର । ଅଗ୍ନିପତ୍ନୀ ସ୍ୱାହା ଛଅ ଋଷିପତ୍ନୀଙ୍କର ରୂପ ଧରି ଯାଇ ଅଗ୍ନିଙ୍କ ସହିତ ମିଳିତ ହୋଇଥିଲେ ଏବଂ ଛଅବାର ଅଗ୍ନିଙ୍କର ମହାତେଜ ସଂପନ୍ନ ରେତ ଆଣି ଶ୍ୱେତପର୍ବତର କନକ କୁଣ୍ଡରେ ନିକ୍ଷେପ କରିଥିଲେ। ସେହି ଶ୍ୱେତ ପର୍ବତ ଶିବଙ୍କର ସ୍କନ୍ଦିତ ବା ସ୍ଖଳିତ ରେତରୁ ସୃଷ୍ଟି ହୋଇଥିଲା। ପୁଣି ଶିବ ଓ ଅଗ୍ନି ସ୍ୱରୂପତଃ ଏକ। ଏ ଦୃଷ୍ଟିରୁ ସେ ଉଭୟ ଶିବପୁତ୍ର ଓ ଅଗ୍ନିପୁତ୍ର। ସ୍କନ୍ଦିତ ରେତରୁ ଜାତ ହୋଇଥିବାରୁ ତାଙ୍କର ନାମ ସ୍କନ୍ଦ।
କାର୍ତ୍ତିକେୟ ମହାବୀର। ସେଥିପାଇଁ ତାଙ୍କର ଅନ୍ୟ ନାମ ମହାସେନ। କିନ୍ତୁ ତାଙ୍କର ଅନ୍ୟ ଏକ ନାମ ଦେବସେନାପତି। କାର୍ତ୍ତିକେୟଙ୍କର ଏହି ନାମ ଦୁଇଟି ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ। ଗୋଟିଏ କାରଣ ହେଉଛି- ତାଙ୍କର ମହାପରାକ୍ରମ ସଂପନ୍ନ ବୀରତାର ପ୍ରମାଣ ପାଇ ଦେବରାଜ ଇନ୍ଦ୍ର ତାହାଙ୍କୁ ଦେବତାଙ୍କ ସେନାର ସେନାପତି ରୂପେ ବରଣ କରିଥିଲେ। ଏହି ଦେବ-ସେନାପତି ରୂପେ ସେ ତାରକା ଅସୁରକୁ ନିହତ କରିଥିଲେ। କିନ୍ତୁ ତାଙ୍କର ଦେବସେନାପତି ନାମର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି- ସେ ଦେବସେନା-ପତି। ଏ ସଂପର୍କରେ ‘ମହାଭାରତ’ରେ ବର୍ଣ୍ଣିତ ଅଛି- ଦେବ ସେନାପତି ପଦରେ ବରଣ କରିବା ପରେ ଦେବରାଜ ଇନ୍ଦ୍ର କୁମାରୀ ଦେବସେନାଙ୍କୁ ତାଙ୍କ ସହିତ ବିବାହ ଦେଇଥିଲେ। ସେତେବେଳେ ଇନ୍ଦ୍ର ତାଙ୍କୁ କହିଥିଲେ- ହେ ସୁରଶ୍ରେଷ୍ଠ! ତୁମର ଜନ୍ମ ପୂର୍ବରୁ ବ୍ରହ୍ମା ଏହି କନ୍ୟା ତୁମର ପତ୍ନୀ ହେବେ ବୋଲି ସ୍ଥିର କରିଥିଲେ। ଏଣୁ ବେଦମନ୍ତ୍ର ଉଚ୍ଚାରଣ କରି ତୁମେ ଏହାଙ୍କର ପାଣି ଗ୍ରହଣ କର। ଫଳରେ କାର୍ତ୍ତିକେୟ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କଲେ ଏବଂ ସେ ହେଲେ ଦେବସେନା-ପତି। ତେବେ ଦକ୍ଷିଣ ଭାରତୀୟ ପୁରାଣମାନଙ୍କରେ କାର୍ତ୍ତିକେୟ ହେଉଛନ୍ତି- ସୁବ୍ରହ୍ମଣ୍ୟମ୍, ମୁରୁଗାନ। ତାଙ୍କର ଦୁଇ ପତ୍ନୀ ହେଉଛନ୍ତି ଦେବସେନା ଓ ଦେବଯାନୀ। ଏ ଦୁହିଁଙ୍କ ସହ ସେ ପୂଜା ପାଆନ୍ତି।