ବିତର୍କ: ଋତୁସ୍ରାବ ସମୟରେ କର୍ମଜୀବୀଙ୍କୁ ସବୈତନିକ ଛୁଟିର ଆବଶ୍ୟକତା ରହିଛି କି?

ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାଙ୍କୁ ସବୈତନିକ ଛୁଟି ଆମ‌ଦେଶରେ ଏଯାବତ୍‌ ପୂର୍ଣ୍ଣମାତ୍ରାରେ ଗ୍ରହଣୀୟ ହୋଇନାହିଁ। ‌ସ୍ପେନ୍‌ ହେଉଛି ବିଶ୍ବର ପ୍ରଥମ ଦେଶ, ଯେଉଁଠି ଗୋଟିଏ ମାସରେ ୩ଦିନ ଛୁଟି ଦିଆଯାଉଛି। ଭାରତ ସମେତ ଅନ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ଏହାକୁ ନେଇ ଚିନ୍ତା କରାଗଲାଣି କିମ୍ବା ସ୍ବର ଉଠିଲାଣି। ‌ତେବେ, ଏହାର ଆବଶ୍ୟକତା ରହିଛି କି? ‘ସମ୍ବାଦ’ର ଏହି ପ୍ରଶ୍ନ ଉପ‌ରେ ସେମାନେ ଯାହା କୁହନ୍ତି…

ସପକ୍ଷ
‘ଛୁଟି ମିଳିବା ଜରୁରୀ’
ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ମହିଳାମାନେ ଏହି ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଯାହା ସେମାନଙ୍କୁ ବାଧ୍ୟରେ ସହ୍ୟ କରିବାକୁ ପଡ଼ିଥାଏ। ତେଣୁ ପ୍ରତିମାସରେ ଦୁଇ ଦିନ ଛୁଟି ନିହାତି ଜରୁରୀ।
ବାସନ୍ତୀ ଆଚାର୍ଯ୍ୟ, ସାମାଜିକ କର୍ମୀ

‘ନୂତନ ପିଢ଼ି ଚାହାନ୍ତି ତ ଅଧିକାର ଦେବାକୁ ପଡ଼ିବ’
ସାମାଜିକ ଅଭିବୃଦ୍ଧି ପାଇଁ ନୂତନ ପିଢ଼ିର ଆବଶ୍ୟକତା ରହିଛି। ନୂତନ ପିଢ଼ିର ଜନ୍ମ ପାଇଁ ମହିଳାଙ୍କ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ ନୂତନ ପିଢ଼ିକୁ ପୃଥିବୀ ପୃଷ୍ଠକୁ ଆଣୁଥିବା ମହିଳାଙ୍କୁ ସେତିକି ବିଶ୍ରାମର ସୁଯୋଗ ସମସ୍ତଙ୍କ ସାମାଜିକ ଦାୟିତ୍ବ। ଏହି ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିହାତି ଆବଶ୍ୟକ।
ମଧୁବ୍ରତା ଦାଶ, ଅଧ୍ୟାପିକା

ବିପକ୍ଷ
‘ବିନା କାମରେ ଦରମାର ପ୍ରଶ୍ନ ଉଠୁନି’
ପ୍ରସବ କଷ୍ଟ ଋତୁସ୍ରାବ କଷ୍ଟ ସମାନ ନୁହେଁ। ଯଦି ସମାନତା ପାଇଁ କାର୍ଯ୍ୟ କରୁଛୁ ତେବେ କଷ୍ଟ ମଧ୍ୟ ସହିବାକୁ ପଡ଼ିବ। କାର୍ଯ୍ୟ ନକରି ଦରମା ନେବା ଦୟାର ପାତ୍ର ଭଳି। ଯଦି ଜଣେ ମହିଳା ମଜୁରିଆ ଯେ କୌଣସି ପରିସ୍ଥିତିରେ କାର୍ଯ୍ୟ କରିପାରୁଛନ୍ତି କାର୍ଯ୍ୟାଳୟରେ ବସୁଥିବା ମହିଳା କାହିଁକି କରିପାରିବେ ନାହିଁ। ଏଭଳି ଦାବି ହେଲେ ମହିଳାଙ୍କୁ ବୃତ୍ତିଗତ କ୍ଷେତ୍ରରେ ସୁଯୋଗ ସଙ୍କୋଚିତ ହେବ।
ଅର୍ପିତା ନନ୍ଦ, ସାମ୍ବାଦିକା

‘ଏହି ଦାବି ମହିଳାଙ୍କୁ ଦୁର୍ବଳ କରିବ’
ସବୁ ମହିଳାଙ୍କ ପାଇଁ ଋତୁସ୍ରାବ ସମାନ କଷ୍ଟକର ନୁହେଁ। କିଛି ଜଣଙ୍କ ପାଇଁ ଗୋଟିଏ ଦିନ ଏବଂ ଆଉ କିଛି ଜଣଙ୍କ ପାଇଁ ୪ ଦିନ କଷ୍ଟକର। ଯଦି ସେମାନଙ୍କୁ ଛୁଟି ମିଳିବ ତେବେ ଏଥିରେ ପ୍ରକୃତ ବିଶ୍ରାମ ମିଳିବା ନେଇ ସନ୍ଦେହ ରହିଛି। ବରଂ, ଏହାର ଦୁରୂପଯୋଗ ହେବ। ଏଭଳି ଦାବି ମହିଳାଙ୍କୁ ଆହୁରି ଦୁର୍ବଳ କରିବ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ ନାହିଁ।
ରଜବାଳା ତ୍ରିପାଠୀ, ଅଧ୍ୟାପିକା

ଉଭୟ ପକ୍ଷ
‘ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବ’
ଋତୁସ୍ରାବ ବେଳେ ମହିଳାଙ୍କୁ ସବୈତନିକ ଛୁଟି ଦାବି ଯଥାର୍ଥ। କିନ୍ତୁ ଏହା କାର୍ଯ୍ୟକାରୀ ହେଲେ ମହିଳାଙ୍କ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବ। କୌଣସି ଘରୋଇ ସଂସ୍ଥା ମହିଳାଙ୍କୁ ଚାକିରି ଦେବାକୁ ଚାହିବେ ନାହିଁ। କୌଣସି ପ୍ରକାର ମଝି ରାସ୍ତା ବାହାର କରିବାକୁ ପଡ଼ିବ।
ସରୋଜ, ସାମାଜିକ କର୍ମୀ

ସମ୍ବନ୍ଧିତ ଖବର