ଦେଶରେ ଅସ୍ଥିରତା ସୃଷ୍ଟି କରାଯାଉଛି
୨ ହଜାର ଟଙ୍କିଆ ନୋଟ୍‌ ଯେଉଁଭଳି ଭାବେ ୨୦୧୬ରେ ତରବରିଆ ଭାବେ ଚଳାଗଲା, ତାହା ଯେତିକି ଭୁଲ ଥିଲା ବର୍ତ୍ତମାନ ତାହାକୁ ତରବରିଆ ଭାବେ ବଜାରରୁ ହଟାଇନେବା ନିଷ୍ପତ୍ତି ବି ସମପରିମାଣର ଭୁଲ। ଏହା ସତ୍ୟ ଯେ, ଗତ ବିମୁଦ୍ରୀକରଣ ଭଳି ସାଧାରଣ ଲୋକଙ୍କ ପାଇଁ ଏହା ଆତଙ୍କର କାରଣ ‌ହେବ ନାହିଁ। କିନ୍ତୁ ବଡ ବେପାରୀ, ମଧ୍ୟବିତ୍ତ ପରିବାରରେ ଏହି ଟଙ୍କା ଦେଣନେଣ ହେଉଛି। ଯାହାକି ବଜାରରେ ଅସ୍ଥିରତା ସୃଷ୍ଟି କରିବା ଆରମ୍ଭ କଲାଣି। ଦୁର୍ଭାଗ୍ୟର କଥା ହେଲା, ଭାରତବର୍ଷରେ ୨୦୧୬ରେ ସରକାରୀକୃତ ଅସ୍ଥିରତା ସୃଷ୍ଟି କରାଯାଇଥିଲା। ଯାହାକି ଭାରତବର୍ଷର ଅର୍ଥନୀତିକୁ ବାରମ୍ବାର ଦୋହଲାଇ ଦେଇଛି। ନାଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ କେହି ଏ ସଂପର୍କରେ ସଂପୂର୍ଣ୍ଣ ଭାବେ ସଚେତନ ନୁହନ୍ତି। ୨୦୦୦ ଟଙ୍କିଆ କେତେ ଥର, କେମିତି ଓ କିଭଳି ବଦଳ କରାଯିବ ସେ ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଆସିନାହିଁ। ଏହି ସମସ୍ତ ଟଙ୍କା ରିଜର୍ଭ ବ୍ୟାଙ୍କୁ ଫେରିବା ପରେ ବାସ୍ତବରେ କେତେ ପରିମାଣର ୨ ହଜାର ଟଙ୍କିଆ ନୋଟ୍‌ ଥିଲା, ଏକଥା ସ୍ପଷ୍ଟ ହେବ। ୨ହଜାର ଟଙ୍କାର ନକଲି ନୋଟ ବହୁ ପରିମାଣରେ ବଜାରରେ ଖେଳିଯାଇଛି। ଏଥିପ୍ରତି ବି ସଜାଗ ରହିବା ଜରୁରୀ। ରାଜନୈତିକ ଅସ୍ଥିରତା ସୃଷ୍ଟି କଲାଭଳି ବଜାରରେ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରା ନଯାଉ।

Advertisment

ପଂଚାନନ କାନୁନ୍‌ଗୋ, ବିଶିଷ୍ଟ ଅର୍ଥନୀତିଜ୍ଞ, ପୂର୍ବତନ ମନ୍ତ୍ରୀ

କଳାଧନ ଗଚ୍ଛିତକାରୀଙ୍କୁ ପ୍ରୋତ୍ସାହନ ସନ୍ଦେହ ଦୂର ହେବ
ଦୁଇଟି କାରଣରୁ ଏବେ ହୁଏତ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପ୍ରମୁଖ କାରଣ ହେଉଛି ୨୦୧୬ ବର୍ଷର ନିଷ୍ପତ୍ତିକୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବା ଏବଂ ଦ୍ବିତୀୟଟି ହେଉଛି କଳାଧନ ଗଚ୍ଛିତ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପୁଣି ଅକଳରେ ପକାଇବା। ୨୦୧୬ ମସିହାରେ ବିମୁଦ୍ରିକରଣ ପରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିବା ଆରବିଆଇ ସେତେବେଳେ ସମାଲୋଚନାର ସରବ୍ୟ ହୋଇଥିଲା। ଲୋକେ ୨୦୦୦ ଟଙ୍କିଆ ନୋଟ୍ ମାଧ୍ୟମରେ କଳାଧନ ଗଚ୍ଛିତ ‌ରଖୁଛନ୍ତି ବୋଲି ଏକ ଧାରଣା ସୃଷ୍ଟି ହେଲା। ଲୋକଙ୍କ ଏହି ସନ୍ଦେହ ଅଧିକ ଘନିଭୂତ ହେଲା, ‌ଯେତେବେଳେ ବଜ‌ାରରେ ୨୦୦୦ ଟଙ୍କିଆ ନୋଟ୍ କାରବାର ଏକପ୍ରକାର ବନ୍ଦ ହୋଇଗଲ‌ା। ଛପା ହୋଇଥିବା ୨୦୦୦ ଟଙ୍କିଆ ନୋଟ୍ ଆଉ ଦେଖିବାକୁ ମିଳିଲା ନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି। ଏବେ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରିବା ଆରମ୍ଭ ହେଲେ କଳାଧନ ଗଚ୍ଛିତ ରଖିଥିବା ବ୍ୟକ୍ତିମାନେ ବିଭିନ୍ନ ଲୋକଙ୍କ ମାଧ୍ୟମରେ ସେ ଗୁଡିକୁ ବଦଳାଇବାକୁ ଚେଷ୍ଟା କରିବେ। ବ୍ୟାଙ୍କରେ ଭିଡ ଜମିବ। ୨୦୧୬ ବିଦୁ୍ଦ୍ରିକରଣ ସମୟର ସ୍ଥିତି ପୁଣି ଥରେ ଦେଖିବାକୁ ମିଳିବ।

ଡକ୍ଟର ସତ୍ୟକାମ ମିଶ୍ର
ପୂର୍ବତନ କୁଳସଚିବ, ରେଭେନ୍ସା ବିଶ୍ବବିଦ୍ୟାଳୟ
ପୂର୍ବତନ ସଭାପତି, ମାଧ୍ୟମିକ ଶିକ୍ଷା ପରିଷଦ