କୋଭିଡ-୧୯ ବା କରୋନା ଏକ ବିଶ୍ୱମହାମାରୀ ରୂପେ ବ୍ୟାପିବାରେ ଲାଗିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାମାଜିକ ଦୂରାବସ୍ଥାନ ସହିତ ସଚେତନତା ଓ ସ୍ବଚ୍ଛତା ୁ ଏ ଭୟଙ୍କର ସଂକ୍ରମଣରୁ ରକ୍ଷା କରିପାରିବ। ସେଥିପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ ପରିସ୍ଥିତିରେ ବି ରାଷ୍ଟ୍ରୀୟ ରାଜଧାନୀରେ ଓଡିଆମାନଙ୍କର ସ୍ଥିତି ସନ୍ତୋଷଜନକ। ରାଜ୍ୟଠାରୁ ପ୍ରାୟ ୧୭୦୦ କିମି ଦୂରରେ ଅବସ୍ଥାନ କରୁଥିବାରୁ ପ୍ରବାସୀ ଓଡିଆମାନେ ଅନ୍ୟରାଜ୍ୟର ଅଧିବାସୀଙ୍କ ପରି ପଳାୟନ କରିବାର ଦୁଃସାହସ କରିନାହାନ୍ତି।
ଏତଦ୍ଭିନ୍ନ ଦିଲ୍ଲୀରେ ଓଡିଆମାନେ ବିଭିନ୍ନ କାରଣରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ନିଜକୁ ଅପେକ୍ଷାକୃତ ନିରାପଦ ମଣୁଛନ୍ତି। ୨୦୧୦ ମସିହା ପୂର୍ବର ସ୍ଥିତି ଏବେ ଆଉ ନାହିଁ। ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏଠାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ଭଲମନ୍ଦ ବୁଝୁଛନ୍ତି। ସେମାନଙ୍କ ପ୍ରଭାବ ବଳରେ ଓଡ଼ିଆମାନଙ୍କ ଗୁରୁତ୍ବ ବଢ଼ିବା ସହିତ ଅନ୍ୟମାନେ ବି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନୁରୂପ ଭାବେ ଏଠାକାର ପ୍ରବାସୀ ଓଡ଼ିଆମାନଙ୍କ ସୁବିଧାଅସୁବିଧା ବୁଝିବା ସହିତ ସେମାନଙ୍କ ପରିସ୍ଥିତି ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେହିଭଳି, କିଛି ଓଡିଆ ଅଧିକାରୀ ଯେଉଁମାନେ ରାଜ୍ୟତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ, ସେମାନେ ବି ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡିଆମାନଙ୍କୁ ସାହା ହେଉଛନ୍ତି। ଏମାନଙ୍କ ମଧ୍ୟରେ ଓଡିଶା ଭବନର ମୁଖ୍ୟ ଆବାସିକ ଅଧିକାରୀ ଡ. ସଞ୍ଜୀବ ମିଶ୍ର, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବ୍ୟକ୍ତିଗତ ସଚିବ ଶରତ କୁମାର ଦେହୁରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହକାରୀ ବ୍ୟକ୍ତିଗତ ସଚିବ ତ୍ରିଲୋଚନ ସାହୁଙ୍କ ଭୂମିକା ସ୍ୱୀକାର୍ଯ୍ୟ। ଦିଲ୍ଲୀ ଓଡିଆ ସାମାଜିକ ଅନୁଷ୍ଠାନ ଗୁଡିକ ମଧ୍ୟ ଏ ବିପତ୍ତି କାଳରେ ସକ୍ରିୟ ହୋଇ ଉଠିଛନ୍ତି।
ଲକ୍ଡାଉନ୍ ଘୋଷଣା ହେବା ସହିତ ହଠାତ୍ ରେଳ ଯୋଗାଯୋଗ ବନ୍ଦ ହୋଇଯିବା ଫଳରେ ଓଡିଆ ଶ୍ରମିକମାନେ ନାକେଦମ୍ ହୋଇଯାଇଛନ୍ତି। ସେହିଭଳି ଦିଲ୍ଲୀର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ସେମାନଙ୍କ ଜୀବନଯାତ୍ରାକୁ ବିଶେଷ ଭାବେ ପ୍ରଭାବିତ ହୋଇଛି। ନିଜର ପ୍ରତିଦିନର ଖାଦ୍ୟପେୟ ପାଇଁ ହୋଟେଲ ତଥା ମେସ ଉପରେ ନିର୍ଭରଶୀଳ ଓଡିଆ ଛାତ୍ରଛାତ୍ରୀମାନେ ସବୁଠୁ ବେଶି କ୍ଷତିଗ୍ରସ୍ଥ ହୋଇଛନ୍ତି। ଏହି ବିପତ୍ତି କାଳରେ କିଛି ଓଡିଆ ସଂଗଠନ ରନ୍ଧାଖାଦ୍ୟ ସହିତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥମାନ ବଣ୍ଟନ ବ୍ୟବସ୍ଥା କରି ସେମାନଙ୍କ ଦୁଃଖ ଲାଘବ କରିଛନ୍ତି।
ଦେବେନ୍ଦ୍ର ନାଥ ରାଉତ
ଅଧ୍ୟକ୍ଷ, ଦି ଇଣ୍ଟେଲେକ୍ଟସ୍, ନୂଆଦିଲ୍ଲୀ
ମୋ: ୯୩୫୦୧୨୭୩୭୦