ବର୍ତ୍ତମାନ ଡିଜିଟାଲ୍ ଦୁନିଆରେ କାର୍ଡଲେସ୍ ଓ କ୍ୟାସ୍ଲେସ୍ ପେମେଣ୍ଟ ଉପରେ ଲୋକେ ବେଶୀ ନିର୍ଭର କରୁଛନ୍ତି। ହେଲେ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କାର୍ଡ ଉପରେ ଅଧିକ ନିର୍ଭରଶୀଳ। ଏଟିଏମ୍ ମେସିନ୍ରେ କାର୍ଡଟି ଭର୍ତ୍ତି କରିବା ମାତ୍ରକେ ଅଳ୍ପ କିଛି ସମୟ ଭିତରେ ଟଙ୍କା ଉଠିଯାଏ ଏବଂ ଜମା ମଧ୍ୟ ହୋଇଯାଏ। ଏଥିପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ପଡ଼ି ନଥାଏ। ଭାରତରେ ତିନି ପ୍ରକାରର ଏଟିଏମ୍ ଡେବିଟ୍ କାର୍ଡ ପ୍ରଚଳିତ- ରୁପେ, ଭିସା ଓ ମାଷ୍ଟର୍କାର୍ଡ। ଟଙ୍କା ଉଠାଣ ତଥା ଜମା ପାଇଁ ଆମେ ମୁଖ୍ୟତଃ ଏହାକୁ ବ୍ୟବହାର କରିଥାଉ। ଏହି କାର୍ଡ ବ୍ୟବହାର କରି ପିଓଏସ୍ ଓ ଅନ୍ଲାଇନ୍ ପେମେଣ୍ଟ ମଧ୍ୟ ସମ୍ଭବ। ୨୦୧୨ ମସିହା ମାର୍ଚ୍ଚ ମାସରେ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଦ୍ବାରା ‘ରୁପେ’ କାର୍ଡ ଲଞ୍ଚ୍ ହୋଇଥିଲା। ଦେଶରେ ସୁଲଭ ଆର୍ଥିକ କାରବାର ପାଇଁ ସରକାରଙ୍କ ତରଫରୁ ଏହା ଏକ ଉପଯୋଗୀ ବ୍ୟବସ୍ଥା ଥିଲା। ଆରମ୍ଭରେ ରୁପେ ଡେବିଟ୍ କାର୍ଡ କେବଳ ଦେଶ ଭିତରେ ବ୍ୟବହାର କରିହେଉଥିଲା। ୨୦୨୩ରୁ ରୁପେ କାର୍ଡ ଦ୍ବାରା ଅନ୍ତର୍ଜାତୀୟ କାରବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ବିଭିନ୍ନ ବ୍ୟାଙ୍କ୍ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଭିସା ଓ ମାଷ୍ଟର୍କାର୍ଡ ବ୍ୟବହାର କରୁଥିଲେ।
ରୁପେ କାର୍ଡ: ଭାରତୀୟ ବଜାରରେ ଭିସା ଓ ମାଷ୍ଟର୍କାର୍ଡ ଦ୍ବାରା ବିଦେଶୀ କମ୍ପାନିର ଏକଚାଟିଆ କାରବାରକୁ ରୋକିବା ଲାଗି ରୁପେ କାର୍ଡ ବଜାରକୁ ଆସିଥିଲା। କାରଣ ରୁପେ କାର୍ଡଠାରୁ ଭିସା ଓ ମାଷ୍ଟର୍କାର୍ଡର ଟ୍ରାଞ୍ଜାକ୍ସନ୍ ଚାର୍ଜ ଅଧିକ ଥିଲା। ରୁପେ କାର୍ଡରେ ପ୍ରତ୍ୟେକ ବ୍ୟାଙ୍କ୍ ତଥା ଆର୍ଥିକ କାରବାର ସଂସ୍ଥାର ପେମେଣ୍ଟ ସହଜରେ ହୋଇଯାଇଥାଏ। ଏଣୁ ଭାରତୀୟ ପେମେଣ୍ଟ ଗେଟ୍ୱେ ରୁପେକୁ ସରକାରୀ ଦେୟ ପୈଠ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଫି’ ଜମା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି। ବର୍ତ୍ତମାନ ପ୍ରତ୍ୟେକ ବ୍ୟାଙ୍କ୍ ସେମାନଙ୍କ ଗ୍ରାହକଙ୍କୁ ରୁପେ କାର୍ଡ ଯୋଗାଇ ଦେଉଛନ୍ତି। ଏବେ ରୁପେ କାର୍ଡରେ କମ୍ ସମୟରେ ଅଧିକ କାରବାର ପାଇଁ ଉଚ୍ଚମାନର ପ୍ରଯୁକ୍ତି ବ୍ୟବହାର କରି ଇଏମ୍ଭି (ୟୁରୋପେ, ମାଷ୍ଟର୍କାର୍ଡ ଓ ଭିସା) ଚିପ୍ ଉପଲବ୍ଧ ହେଲାଣି। ଏକ ମାଇକ୍ରୋପ୍ରୋସେସର୍ ସର୍କିଟ ମଧ୍ୟ ଏଥିରେ ସଂଯୋଗ କରାଯାଇଛି, ଯାହାକି କାର୍ଡଧାରୀଙ୍କ ସବିଶେଷ ସୂଚନା ରଖିଥାଏ।
ଭିସା, ମାଷ୍ଟର୍କାର୍ଡ ଓ ଆମେରିକାନ୍ ଏକ୍ସପ୍ରେସ୍: ଭିସା, ମାଷ୍ଟର୍କାର୍ଡ ଓ ଆମେରିକାନ୍ ଏକ୍ସପ୍ରେସ୍ କାର୍ଡ ହେଉଛନ୍ତି ବିଦେଶୀ ପେମେଣ୍ଟ ଗେଟ୍ୱେ। ଏହା ମାଧ୍ୟମରେ ଆପଣ ବିଦେଶର ଯେକୌଣସି ବ୍ୟାଙ୍କ୍ ସହିତ କାରବାର କରିପାରିବେ। ଏ ତିନି କାର୍ଡ ଭିତରେ ବିଶେଷ ଫରକ ନାହିଁ। ଏଗୁଡ଼ିକ କେବଳ ଦେୟ ପାଇଁ ଉଦ୍ଦିଷ୍ଟ। କ୍ରେଡିଟ୍ କାର୍ଡ ସେବା ପ୍ରଦାନ ପାଇଁ ଏମାନେ ବିଭିନ୍ନ ଦେଶର ବ୍ୟାଙ୍କ୍ ଉପରେ ନିର୍ଭର କରନ୍ତି। ତେଣୁ, ସୁଧ ହାର, ରିୱାର୍ଡ, ବାର୍ଷିକ ଶୁଳ୍କ ଓ ଅନ୍ୟାନ୍ୟ ସମସ୍ତ ଦେୟ ବ୍ୟାଙ୍କ୍ ଦ୍ବାରା ପ୍ରଦାନ କରାଯାଇଥାଏ ଏବଂ ଯେତେବେଳେ ଆପଣ ଆପଣଙ୍କର ବିଲ୍ ପୈଠ କରିବେ, ସେତେବେଳେ ଆପଣ ଆପଣଙ୍କର ଭିସା କିମ୍ବା ମାଷ୍ଟରକାର୍ଡ ପ୍ରଦାନ କରୁଥିବା ବ୍ୟାଙ୍କ୍ କିମ୍ବା ଅନୁଷ୍ଠାନକୁ ଦେବାକୁ ପଡ଼ିବ। ତେବେ ଡେବିଟ୍ କାର୍ଡରେ ଆପଣ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ପେମେଣ୍ଟ ମୋଡ୍ ଆକ୍ଟିଭ୍ କରି ଗୋଟିଏ କାରବାରରେ ଓ ଗୋଟିଏ ଦିନ ମଧ୍ୟରେ ସର୍ବାଧିକ କେତେ ଖର୍ଚ୍ଚ କରିବେ ତାହାର ସୀମା ଧାର୍ଯ୍ୟ କରିପାରିବେ।