ଭାଲେଣ୍ଟାଇନ ଡେ’ ପାଇଁ ଆମେରିକାରୁ ଆସିଥିଲେ ରୀନା, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କରିଥିଲେ ଏଭଳି ପୋଷ୍ଟ

ସୋନିପତ: ଅଧାରେ ରହିଗଲା ସାଥୀରେ ଜୀବନ ବିତାଇବାର ସ୍ବପ୍ନ। ମୃତ୍ୟୁକୁ ଅଟକାଇପାରିଲା ନାହିଁ ନିଜ ପ୍ରେମିକକୁ ସବୁ ବିପଦରୁ ରକ୍ଷା କରିଆସୁଥିବା ପ୍ରେମିକା। ଆଖି ଆଗରେ ପ୍ରେମିକର ନିଶ୍ବାସ ବନ୍ଦ ହେଉଥିବା ଦେଖି ବି କିଛି କରିପାରି ନଥିଲା ‌ଅସହାୟ ପ୍ରେମିକା। କିଛି କରିବା ପୂର୍ବରୁ ବହୁତ ଦୂରକୁ ଚାଲିଯାଇଥିଲା ପ୍ରେମିକ। ଏଠି ଆମେ ଯେଉଁ ପ୍ରେମୀଯୁଗଳଙ୍କ କଥା କହୁଛୁ ସେ ହେଉଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଦୀପ ସିଦ୍ଧୁ ଏବଂ ଅଭିନେତ୍ରୀ ରୀନା ରାଏ।

ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଦୀପଙ୍କର ପରଲୋକ ଘଟିଥିଲା। କୁଣ୍ଡଲି-ମାନେସର-ପାଲୱାଲ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ଦେହରେ ଦୀପ ସିଦ୍ଧୁଙ୍କ ଧଳା ସ୍କର୍ପିଓ ଗାଡ଼ି ଯାଇ ପିଟି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମୟରେ ଦୀପ ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରୀନା ରାଏଙ୍କ ସହ ଦିଲ୍ଲୀରୁ ଭାଟିଣ୍ଡାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିରେ ଦୀପଙ୍କର ମୃତ୍ୟୁ ହୋଇଥିଲେ ବି ରୀନାଙ୍କ ଜୀବନ ବଞ୍ଚିଯାଇଥିଲା। ଏୟାରବ୍ୟାଗ୍ ପାଇଁ ରୀନାଙ୍କ ଜୀବନ ବଞ୍ଚିଯାଇଥିଲେ ବି ଏବେ ତାଙ୍କ ଜୀବନ ମୂଲ୍ୟହୀନ ହୋଇପଡ଼ିଛି।

aajtak

କୃଷକ ଆନ୍ଦୋଳନ ସମୟରେ ବିବଦୀୟ ହୋଇପଡ଼ିଥିବା ଦୀପଙ୍କ ସାଥ୍ ଛାଡ଼ିନଥିଲେ ରୀନା। ଦୀପଙ୍କ ହାତ ଧରି ସେ ସାରା ବିଶ୍ବ ସହିତ ଲଢ଼ିବାକୁ ପ୍ରସ୍ତୁତ ‌ହୋଇଯାଇଥିଲେ। ବିବାଦ ଥମିବା ପରେ ରୀନା ଭାଲେଣ୍ଟାଇନ ଡେ’ରେ ଦୀପଙ୍କ ସହ କିଛି ମୂହୁର୍ତ୍ତ ବିତାଇବେ ବୋଲି ଆମେରିକାରୁ ଚାଲିଆସିଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ, କିଛି ଘଣ୍ଟା ପରେ ସେ ଦୀପଙ୍କୁ ସବୁଦିନ ପାଇଁ ହରାଇବସିବେ।

ଦୁହେଁ ଭାଲେଣ୍ଟାଇନ ଡେ’ ପାଳନ କରି ଦିଲ୍ଲୀରୁ ପଞ୍ଜାବ ଫେରୁଥିଲେ। ହେଲେ ବାଟରେ ଯମ ଜଗିବସିଥିବା କଥା ତାଙ୍କୁ ଜଣାନଥିଲା। କ୍ଷଣିକ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ବଦଳିଯାଇଥିଲା ରୀନାଙ୍କ ଜୀବନର ମୋଡ଼। ଏବେ ଜୀବନ ବଞ୍ଚିଥିଲେ ବି ରୀନାଙ୍କ ପ୍ରେମ କାହାଣୀର ଦୁଃଖଦ ଅନ୍ତ ଘଟିସାରିଛି।

ସମ୍ବନ୍ଧିତ ଖବର