ପୁଣି ଥରେ ନିର୍ଭୟାକାଣ୍ଡ ହେବାରୁ ରୋକିଲେ ଅଟୋ ଚାଳକ ଏବଂ ତାଙ୍କ ପୁଅ, ଉତ୍ତରପ୍ରଦେଶରୁ ଦିଲ୍ଲୀ ଆସିଥିବା ନାବାଳିକାକୁ ଦୁଷ୍କର୍ମର ଶିକାର ହେବାକୁ ବଞ୍ଚାଇ ସୃଷ୍ଟି କଲେ ଉଦାହରଣ

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଥିବା ନିର୍ଭୟାକାଣ୍ଡକୁ ଗତକାଲି ୬ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ନିର୍ଭୟାଙ୍କ ମା’ ଏକ ସଭାରେ ଯୋଗ ଦେଇ ସବୁ ମାତା-ପିତାଙ୍କୁ ଦୁଷ୍କର୍ମ ଡ଼ରରେ ନିଜ ଝିଅମାନଙ୍କ ଘରେ ନ ବସାଇ ଲଢ଼ିବା ଶିଖାଅ ବୋଲି କହିଥିଲେ । ତେବେ ୬ବର୍ଷ ପୂର୍ବେ ଘଟିଥିବା ସେହି ଘଟଣାକୁ କେହି ଭୁଲି ପାରି ନଥିବା ବେଳେ ପୁଣି ଥରେ ସେଭଳି କିଛି ଘଟିବାକୁ ଯାଉଥିଲା ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ରହୁଥିବା ୧୭ବର୍ଷୀୟ ନାବାଳିକା ଘରେ ଝଗଡ଼ା ହେବାରୁ ରାଗରେ ଟ୍ରେନ୍‌ ଯୋଗେ ଦିଲ୍ଲୀ ଚାଲି ଆସିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ପୀଡ଼ିତା ଏକ ଅଟୋ ଭଡ଼ା କରି ସବୁ ମନ୍ଦିର ବୁଲିଥିଲେ । ଏହା ପରେ ଖାଇବା ପାଇଁ ବଙ୍ଗାଳୀ ମାର୍କେଟରେ ପହଞ୍ଚିଥିଲେ । ଏହା ପରେ ପୀଡ଼ିତା ଅଟୋ ଚାଳକଙ୍କୁ ମଣ୍ଡି ହାଉସ୍‌ରେ ଓହ୍ଲାଇବା ପାଇଁ କହିବା ପରେ ଅଟୋ ଚାଳକ ଜଣଙ୍କ ପୀଡ଼ିତାଙ୍କୁ ସେଠାରେ ଛାଡ଼ି ନିଜ ଘରକୁ ଚାଲି ଆସିଥିଲେ । ଘରେ ପହଞ୍ଚିବା ପରେ ସେ ନିଜ ପୁଅକୁ ସବୁ ଜଣାଇଥିଲେ । ଏହା ପରେ ଚାଳକଙ୍କ ପୁଅ ବାପାଙ୍କୁ ବୁଝାଇବା ସହ ପୀଡ଼ିତାଙ୍କ ସହ କିଛି ବି ହୋଇ ପାରେ ବୋଲି କହି ତାଙ୍କୁ ବଞ୍ଚାଇବା ପାଇଁ କହିଥିଲେ । ଏହା ପରେ ଦୁହେଁ ଅଟୋରେ ପୀଡ଼ିତା ଓହ୍ଲାଇଥିବା ସ୍ଥାନରେ ପହଞ୍ଚିଥିଲେ । କିଛି ସମୟ ଖୋଜିବା ପରେ ରାତି ୯ଟାରେ ପୀଡ଼ିତାଙ୍କୁ ଖୋଜି ପାଇଥିଲେ ।

NDTV Khabar

ଏହି ସମୟରେ କିଛି ଯୁବକ ପୀଡ଼ିତାଙ୍କ ସହ ଅସଦାଚରଣ କରୁଥିବାର ଦେଖି ଚାଳକ ଏବଂ ତାଙ୍କ ପୁଅ ପୀଡ଼ିତାଙ୍କୁ ବଞ୍ଚାଇବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ତାଙ୍କୁ ତାଙ୍କ ଘରକୁ ପଠାଇଥିବା ଜଣାପଡ଼ିଛି । ତେବେ ଆଜିର ସମୟରେ ସମସ୍ତେ ମହିଳାମାନଙ୍କ ଫାଇଦା ଉଠାଇବାକୁ ଚାହୁଁଥିବା ବେଳେ ଅଟୋ ଚାଳକ ଏବଂ ତାଙ୍କ ପୁଅ ଯେଉଁ କାମ କରିଛନ୍ତି,ତାହାକୁ ନେଇ ଚାରି ଆଡ଼ୁ ପ୍ରଶଂସାର ସୁଅ ଛଟିବାରେ ଲାଗିଛି ।

 

ସମ୍ବନ୍ଧିତ ଖବର