ନୂଆଦିଲ୍ଲୀ: କିଏ ଜାଣିଛି କାହା ଭାଗ୍ୟରେ କଣ ଅଛି । କିଏ ରାଜା ହେବ, କିଏ ଭିକ ମାଗିବ ଆଉ କିଏ ମୁଖ୍ୟମନ୍ତ୍ରୀ ହେବ । ସବୁ ସମୟ ସମୟର ଖେଳ । ଏଇ ଯେମିତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । କାଲି ଯାଏଁ କଣ କିଏ ଜାଣିଥିଲା ସିଏ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି...

Advertisment

ଦିନେ ମଞ୍ଚରେ ଭାଷଣ ଦେଉଥିଲେ, ହେଲେ କିଏ ବା ଜାଣିଥିଲା, ମୁଖ୍ୟମନ୍ତ୍ରୀ ଚେୟାର ତାଙ୍କୁ ଅପେକ୍ଷା କରି ବସିଛି ବୋଲି । ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିବା କ୍ୟାରିୟର ଆଜି ପହଞ୍ଚିଛି ଦିଲ୍ଲୀର ଦାୟିତ୍ୱ ସମ୍ଭାଳିବାରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା, ଆଉ ଆଜିଠୁ ଦିଲ୍ଲୀରେ ହୋଇଛି ରେଖା ସରକାର ।

ରେଖା ଗୁପ୍ତାଙ୍କୁ ନ ଜାଣିଥିବା ଲୋକ, ଥରେ ତାଙ୍କ କ୍ୟାରିୟର ଉପରେ ଜାଣିନେବା ଉଚିତ୍ । ଛାତ୍ର ରାଜନୀତି, ଏବିଭିପି, ଆଉ ଆରଏସଏସ୍ ସହ ଜଡ଼ିତ ଥିବା ରେଖାଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହେଇଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଥିବା ଦୌଲତ ରାମ କଲେଜରୁ । ଯେଉଁଠି ସେ ଏବିଭିପିରେ ପ୍ରଥମ କରି ସାମିଲ ହେଇଥିଲେ । 

ଏହା ଥିଲା ୧୯୯୨ ମସିହାର କଥା । ତେବେ ପରେ ପରେ, ୧୯୯୬-୯୭ ମସିହାରେ ରେଖା ବନନ୍ତି ଡିୟୁ ବା ଦିଲ୍ଲୀ ୟୁନିଭର୍ସିଟିର ପ୍ରେସିଡେଣ୍ଟ । ଯେଉଁଠି ସେ ଛାତ୍ରଙ୍କ ସହ ଜଡ଼ିତ ଅନେକ ମୁଦ୍ଦାକୁ ଉଠାଇବା ସହ, ପରବର୍ତ୍ତୀ ମୁହୂର୍ତ୍ତରେ ବନିଯାଆନ୍ତି ବିଜେପି ଯୁବ ମୋର୍ଚ୍ଚାର ବଡ଼ ଚେହେରା । ୨୦୦୪ରୁ ୦୬ ଯାଏଁ  ସେ ବିଜେପିର ରାଷ୍ଟ୍ରୀୟ ସଚିବ ରୁହନ୍ତି, ଆଉ ୨୦୦୭ରେ ଉତ୍ତର ପୀତମପୁରା ଆସନରୁ ପାର୍ଷଦ ଭାବେ ନିର୍ବାଚନ ଜିତନ୍ତି ।

ସ୍ଥାନୀୟ ନିର୍ବାଚନରେ ସଫଳତା ପରେ, ବିଧାନସଭା ନିର୍ବାଚନ ଜିତିବାକୁ ମନ ବଳାନ୍ତି ରେଖା । ଏଥିପାଇଁ ଦୁଇ ଦୁଇଥର ନିର୍ବାଚନ ମଧ୍ୟ ଲଢନ୍ତି । ହେଲେ ଏଥର କିନ୍ତୁ ଫେଲ୍ ମାରନ୍ତି, ଏହି ନାରୀ ନେତ୍ରୀ । ୨୦୧୫ ଆଉ ୨୦୨୦ରେ ନିର୍ବାଚନ ହାରିଯାଆନ୍ତି ରେଖା ଗୁପ୍ତା । ହେଲେ ତଥାପି ହାର୍ ମାନନ୍ତିନି, ଲୋକଙ୍କ ସହ ଜଡିତ ହେଇ ରୁହନ୍ତି । ୨୦୨୫ରେ ଆପ୍ ପ୍ରାର୍ଥୀଙ୍କୁ ହରେଇ, ପ୍ରଥମ ଥର ପାଇଁ ବିଧାୟକ ବନନ୍ତି ।

ପ୍ରଥମଥର ବିଧାୟକ ହେଇଥିବା ରେଖା, କେବେ ବି ବୋଧହୁଏ ଭାବିନଥିବେ, ତାଙ୍କୁ ମୁଖ୍ୟମନ୍ତ୍ରୀ ଭଳି ଗୁରୁ ଦାୟିତ୍ୱ ମିଳିବ ବୋଲି । ହେଲେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି, ଆଉ ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଏବଂ ଅତିଶୀଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା ।