୬୮,୦୦୦ ଟଙ୍କା ଖର୍ଚ କରି ବିମାନରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ କୃଷକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରା ଦେଶକୁ ସରକାର ଲକଡାଉନ କରି ରଖିଥିବା ବେଳେ ଏବେ ଧୀରେ ଧୀରେ ପ୍ରତିବନ୍ଧକକୁ କୋହଳ କରାଯାଉଛି | ତେବେ ଲକଡାଉନ ହେବା ପରେ ମାସ ମାସ ଧରି ନିଜ ପରିବାରଠାରୁ ଦୂରରେ ରହୁଥିବା ପ୍ରବାସୀ ଶ୍ରମିକମାନେ କାମ ନମିଳିବାରୁ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ | କେହି କେହି ଚାଲି ଚାଲି ତ କିଛି ଲୋକ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବାର ଦେଖିବାକୁ ମିଳିଥିଲା | ଏମିତିକି କିଛି ଲୋକ ବାଟରେ ଭୋକ ଏବଂ ଖରା ତାପ ସହି ନପାରି ଶେଷ ନିଶ୍ୱାସ ତ୍ୟାଗ କରିଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା | ତେବେ ଶ୍ରମିକଙ୍କ ସୁବିଧା ପାଇଁ ବସ ଏବଂ ଟ୍ରେନର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ କିଛି ଲୋକ ଏହି ସୁବିଧା ନ ପାଇ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି |

ଏଭଳି ପରିସ୍ଥିତିରେ ଦିଲ୍ଲୀର ଜଣେ କୃଷକ କରିଥିବା କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ବସ କିମ୍ବା ଟ୍ରେନରେ ନୁହେଁ ନିଜ ପଇସାରେ ବିମାନ ଟିକେଟ କରି ସେ ତାଙ୍କ ପାଖରେ କାମ କରୁଥିବା ୧୦ଜଣ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଆସନ୍ତାକାଲି ସକାଳ ୬ଟାରେ ପ୍ରବାସୀ ଶ୍ରମିକ ବିମାନରେ ବସି ବିହାର ଅଭିମୁଖେ ଯାତ୍ରା କରିବେ ବୋଲି ଜଣା ପଡିଛି |

ପୁଅ ସହିତ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକ ରାମ କହିଛନ୍ତି ଯେ, “ମୁଁ ମୋ ଜୀବନରେ କେବେ ବି କଳ୍ପନା କରି ନ ଥିଲି ଯେ ମୁଁ ବିମାନରେ ଯାତ୍ରା କରିବି। ମୋର ଖୁସି ବ୍ୟକ୍ତ କରିବାକୁ ମୋ ପାଖରେ ଶବ୍ଦ ନାହିଁ। କିନ୍ତୁ ଆସନ୍ତାକାଲି ବିମାନବନ୍ଦରରେ ପହଞ୍ଚିବା ପରେ ମୋତେ କଣ କରିବାକୁ ପଡିବ ସେ ନେଇ ମୁଁ ଟିକେ ଚିନ୍ତିତ ଅଛି।” ସେ ଦିଲ୍ଲୀର ଟିଗିପୁର ଗାଁର ଛତୁ ଚାଷୀ ପପନ୍ ସିଂଙ୍କୁ ଏ ନେଇ କୃତଜ୍ଞତା ଜଣାଇଛନ୍ତି |

indiatoday

ଅନ୍ୟ ଜଣେ ପ୍ରବାସୀ ଶ୍ରମିକଙ୍କ କହିବା ଅନୁଯାୟୀ, ମୁଁ ପପନ୍ ସିଂଙ୍କ ସହ ୨୭ବର୍ଷ ହେଲାଣି କାମ କରି ଆସୁଛି | ଲକଡାଉନ ପରେ ପରେ କାମ ବନ୍ଦ ହେବା ସହ ଘରକୁ ଯିବା ପାଇଁ କୌଣସି ବାଟ ନଥିବାରୁ ମାଲିକ ପପନ୍ ସିଂ ଖାଇବା ଓ ରହିବାର ବ୍ୟବସ୍ଥା କରିଥିଲେ | ଏବେ ଘରୋଇ ବିମାନ ଉଡାଣକୁ ଅନୁମତି ମିଳିବା ପରେ ସେ ଆମର ବିମାନ ଟିକେଟ ଖର୍ଚ ଉଠାଇ ଆମକୁ ଘରକୁ ପଠାଉଛନ୍ତି |

ପପନ୍ ସିଂଙ୍କ ଅନୁଯାୟୀ, ସେ ୬୮,୦୦୦ ଟଙ୍କା ଦେଇ ଟିକେଟ ବୁକ୍ କରିବା ସହ ନିଜ ରାଜ୍ୟରେ ପହଞ୍ଚିବା ପରେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେ ନେଇ ପ୍ରତ୍ୟେକଙ୍କୁ ୩୦୦୦ ଟଙ୍କା ନଗଦ ମଧ୍ୟ ଦେଉଛନ୍ତି | ଗୁରୁବାର ଦିନ ସେ ନିଜ ଗାଡିରେ ସମସ୍ତ କର୍ମଚାରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରକୁ ଛାଡିବାକୁ ଯିବେ ବୋଲି କହିଛନ୍ତି। ଏହା ପୂର୍ବରୁ ସେ ଶ୍ରମିକମାନଙ୍କୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ସେମାନଙ୍କ ଘରକୁ ପଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ | କିଛି ଦିନ ପରେ ଶ୍ରମିକ ମାନେ ଘରକୁ ଚାଲି ଚାଲି ଯିବେ ବୋଲି ବାହାରିବା ପରେ ପପନ୍ ସେମାନଙ୍କୁ ମନା କରିବା ସହ ଏବେ ବିମାନ ଯୋଗେ ଘରକୁ ପଠାଉଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର