ନୂଆଦିଲ୍ଲୀ: ସହଲ କୌଶିକ ନାମକ ଜଣେ ୧୪ବର୍ଷର ବାଳକ ୨୦୧୦ରେ ଇତିହାସ ସୃଷ୍ଟି କରିଥିଲେ। ସେ ମାତ୍ର ୧୪ ବର୍ଷ ବୟସରେ ଆଇଆଇଟି-ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଏହାପରେ ସେ ଆଇଆଇଟି ଇତିହାସରେ ସର୍ବ କନିଷ୍ଠ ଛାତ୍ର ହୋଇ ଯାଇଥିଲେ। ସହଲ ଅଲ ଇଣ୍ଡିଆ ସ୍ତରରେ ୩୩ତମ ସ୍ଥାନ ଅଧିକାର କରିଥିଲେ।
ଦିଲ୍ଲୀରେ ବସବାସ କରୁଥିବା ସହଲ କୌଶିକ ଆଇଆଇଟି-ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଆଇଆଇଟି କାନପୁରରେ ସ୍ନାତକୋତ୍ତର ପାଇଁ ପାଞ୍ଚ ବର୍ଷର ଇଣ୍ଟିଗ୍ରେଟେଡ୍ ଏମଏସସି (ଫିଜିକ୍ସ) ପାଠ୍ୟକ୍ରମରେ ନାମ ଲେଖାଇଥିଲେ ।
ଆଇଆଇଟି କାନପୁରରୁ ପାଠ୍ୟକ୍ରମ ଶେଷ କରିବା ପରେ ସହଲ ପିଏଚଡି କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯ ବର୍ଷ ବୟସରେ ସେ ଆମେରିକାର ସର୍ବକନିଷ୍ଠ ପିଏଚଡି ସ୍କଲାର ହୋଇଥିଲେ। ସେ ପିଏଚଡି ପାଇଁ ନ୍ୟୁୟର୍କର ଷ୍ଟୋନି ବ୍ରୁକ୍ ବିଶ୍ୱବିଦ୍ୟାଳୟକୁ ବି ଯାଇଥିଲେ।
ସହଲ ପିଲାଟି ଦିନରୁ ପାଠପଢ଼ାରେ ମାହିର ଥିଲେ। ଖୁବଅଳ୍ପ ବୟସରେ ସେ ୧୦୦ ପର୍ଯ୍ୟନ୍ତ ପଣିକିଆକୁ ମନେ ରଖି ଦେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସହଲ ମାତ୍ର ୬ ବର୍ଷ ବୟସରେ ଏଚ.ଜି ୱେଲର 'ଟାଇମ୍ ମେସିନ୍' ପଢ଼ି ଦେଇଥିଲେ। ପାଠପଢ଼ା ବ୍ୟତୀତ ସହଲ ସିନେମା ଦେଖିବାକୁ ଓ ଗେମ ଖେଳିବାକୁ ଖୁବ ଭଲ ପାଆନ୍ତି। ସହଲଙ୍କ ଏଭଳି ସଫଳତା ପଛରେ ତାଙ୍କ ଡାକ୍ତରୀମା’ଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।