ନୂଆଦିଲ୍ଲୀ: ଶ୍ରାବଣମାସରେ ଭଗବାନ ଶିବଙ୍କ ପୂଜା ପାଇଁ ସବୁଠାରୁ ପବିତ୍ର ସମୟ ବୋଲି ବିବେଚନା କରାଯାଏ। ଏହି ସମୟରେ ଲକ୍ଷ ଲକ୍ଷ ଭକ୍ତ ଜଳଭାର ନେଇ କାଉଡ଼ିଆ ଯାତ୍ରାରେ ଶିବ ମନ୍ଦିରକୁ ବାହାରିଥାଆନ୍ତି। ଏହି ଯାତ୍ରାାରେ ସାମିଲ ଥିବା ପ୍ରତ୍ୟେକ ଭକ୍ତ ବିଭିନ୍ନ ପ୍ରକାର ମାନସିକ ନେଇ ମନ୍ଦିରକୁ ଯାଇଥାଆନ୍ତି।
ଚଳିତ ବର୍ଷ କାଉଡିଆ ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ରାସ୍ତାରେ ବିଭିନ୍ନ ପ୍ରକାରର ଶିବଭକ୍ତଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ସମ୍ପ୍ରତି ଜଣେ କାଉଡିଆ ଯାତ୍ରୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାଉଡିଆ ଯାତ୍ରୀ ଜଣକ ତାଙ୍କ ପ୍ରେମିକାଙ୍କ ପାଇଁ ୧୨୧ ଲିଟର ଗଙ୍ଗାଜଳ ନେଇ ୨୦୦ କିଲୋମିଟର ପଥ ପାଣିଭାର ନେଇ ଶିବମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ଦିଲ୍ଲୀର ନରେଲା ଅଞ୍ଚଳର ବାସିନ୍ଦା ରାହୁଲ ଚଳିତ ବର୍ଷ ତାଙ୍କ ପ୍ରେମିକା ପାଇଁ ଏକ ବିଶେଷ ମାନସିକ ନେଇ କାଉଡିଆ ଯାତ୍ରାରେ ବାହାରିଛନ୍ତି।
ରାହୁଲ ପାଣିଭାର କାନ୍ଧରେ ଧରିବା ପୂର୍ବରୁ ଭଗବାନ ଶଙ୍କରଙ୍କୁ ପ୍ରାର୍ଥନା କରି କହିଛନ୍ତି, ‘ହେ ଭଗବାନ ପ୍ରେମିକା ମୋର ସିଭିଲ୍ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ତାର ପରିଶ୍ରମ ସାର୍ଥକ ହେଉ। ଆଶୀର୍ବାଦ କରନ୍ତୁ ସେ ଦିନେ ନା ଦିନେ ଜଣେ ଆଇପିଏସ ଅଧିକାରୀ ହେଉ।
ଯେପର୍ଯ୍ୟନ୍ତ ପ୍ରେମିକା ଆଇପିଏସ ଅଧିକାରୀ ହୋଇନାହିଁ। ସେପର୍ଯ୍ୟନ୍ତ ମୁଁ ପ୍ରତିବର୍ଷ ଏଭଳି ପାଣିଭାର ନେଇ ଆପଣଙ୍କ ନିକଟକୁ ଆସୁଥିବି।’
ରାହୁଲଙ୍କ ଏହା ଚତୁର୍ଥ କାଉଡିଆ ଯାତ୍ରା। ଗତ ବର୍ଷ ସେ ୧୦୧ ଲିଟର ଗଙ୍ଗାଜଳ ନେଇ ବାହାରିଥିଲେ, କିନ୍ତୁ ଚଳିତ ଥର ୨୦ ଲିଟର ଅଧିକ ଅର୍ଥାତ ୧୨୧ଲିଟର ପାଣି ନେଇ ଯାତ୍ରା ଆରମ୍ଭ କରିଛନ୍ତି।
ରାହୁଲଙ୍କ ଏହି ଯାତ୍ରା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ ବରଂ ଗଭୀର ବିଶ୍ୱାସ, ପ୍ରେମ ଏବଂ ସମର୍ପଣର କାହାଣୀ ମଧ୍ୟ। ହରିଦ୍ୱାରରୁ ଦିଲ୍ଲୀର ଦୂରତା ପ୍ରାୟ ୨୨୦ କିଲୋମିଟର ରହିଛି। ରାହୁଲ ଏପର୍ଯ୍ୟନ୍ତ ପ୍ରାୟ ୧୫୦ କିଲୋମିଟର ଯାତ୍ରା ବିନା କୌଣସି ବାଧାରେ ସମାପ୍ତ କରିଛନ୍ତି।