ଦେଶରେ ସବୁଠାରୁ ‘ଶସ୍ତା’ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବ ଦିଲ୍ଲୀର ବଙ୍ଗଳା ସାହିବ, ୫୦ ଟଙ୍କାରେ ହେବ ଏମ୍ଆର୍ଆଇ ସ୍କାନ୍
ନୂଆଦିଲ୍ଲୀ: ଜନସାଧାରଣଙ୍କୁ ନିସ୍ବାର୍ଥ ସେବା ଶିଖ୍ ସମ୍ପ୍ରଦାୟର ଅନ୍ୟତମ ନୀତି । ଦୁଃଖୀରଙ୍କିଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଯୋଗାଇ ସମାଜ ସେବା କରିବାରେ ଦିଲ୍ଲୀର ଏକ ଗୁରୁଦ୍ବାର ପ୍ରମୁଖ ଭୂମିକା ଗ୍ରହଣ କରିଛି । ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଏବେ ଦିଲ୍ଲୀର ଗୁରୁଦ୍ୱାର ବଙ୍ଗଳା ସାହିବ ବଡ଼ ପଦକ୍ଷେପ ଗ୍ରହଣ କରିଛି।
ଜାଣିବାକୁ ମିଳିଛି ଯେ ଗୁରୁଦ୍ୱାର ବଙ୍ଗଳା ସାହିବ ପକ୍ଷରୁ ଜନସାଧାରଣଙ୍କୁ ଏମଆରଆଇ ସ୍କାନ (ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଙ୍ଗ) ମାତ୍ର ୫୦ ଟଙ୍କାରେ ଯୋଗାଇ ଦିଆଯିବ। ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି) ଘୋଷଣା କରିଛି ଯେ ଗୁରୁଦ୍ୱାର ପରିସରରେ ସୁଲଭ ମୂଲ୍ୟରେ ଦେଶର ‘ଶସ୍ତା’ ରୋଗ ଚିହ୍ନଟ(ଡାଇଗ୍ନୋଷ୍ଟିକ୍) ସୁବିଧା ସହିତ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ।
India’s”cheapest” diagnostic facility to start functioning at Gurdwara Bangla Sahib in December and an MRI here will cost just Rs 50 pic.twitter.com/PEcMdW3stE
— #Istandwithfarmers Manjinder Singh Sirsa (@mssirsa) October 4, 2020
ଡିଏସଜିଏମସି ସଭାପତି ମଞ୍ଜିନ୍ଦର ସିଂ ସିର୍ସା କହିଛନ୍ତି ଯେ ଏକ ଡାଏଲିସିସ୍ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଉଛି, ଯାହା ଆସନ୍ତା ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ। ବିସ୍ତୃତ ବିବରଣୀ ଦେଇ ସେ କହିଛନ୍ତି ଯେ ଗୁରୁଦ୍ୱାର ବଙ୍ଗଳା ସାହିବ ହସ୍ପିଟାଲକୁ ୬ କୋଟି ମୂଲ୍ୟର ମେସିନ୍ .ଯୋଗାଇ ଦିଆଯାଇଛି। ଡାଏଲେସିସ୍ ପାଇଁ ଚାରିଟି ମେସିନ୍ ଏବଂ ଅଲଟ୍ରାସାଉଣ୍ଡ, ଏକ୍ସ-ରେ ଏବଂ ଏମଆରଆଇ ପାଇଁ ଗୋଟିଏ ଲେଖାଏଁ ମେସିନ୍ ଦାନ କରାଯାଇଛି।
ଏହି ହସ୍ପିଟାଲ୍ରେ ଡାଏଲିସିସ୍ ପାଇଁ ମୂଲ୍ୟ ମାତ୍ର ୬୦୦ ଟଙ୍କା ରଖାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୫୦ ଟଙ୍କା ମଧ୍ୟରେ ଏମ୍ଆର୍ଆଇ ସେବା ଉପଲବ୍ଧ ହେବ। ଏହା ଦେଶର ସବୁଠାରୁ ଶସ୍ତା ସ୍ବାସ୍ଥ୍ୟ ସେବା କେନ୍ଦ୍ର ହେବ ବୋଲି ଆଶା କରାଯାଉଛି।