ବଞ୍ଚି ରହିବାକୁ ଜାଣିଶୁଣି ଗିରଫ

ବଞ୍ଚିବା ପାଇଁ କେତେ ସଂଘର୍ଷ କରିବାକୁ ପଡ଼ିଥାଏ। ଏପରିକି ନାନା କଷ୍ଟ କରି ମଧ୍ୟ ପୃଥିବୀର କୋଟି କୋଟି ଲୋକ ଦୈନିକ ନିଜର ପେଟ ପାଇଁ ଦି’ମୁଠା ଆହାର ଯୋଗାଡ଼ କରିପାରୁନାହାନ୍ତି। ତେବେ ସୁବିଧାରେ ଦାନା ଯୋଗାଡ଼ ପାଇଁ ଥାଇଲାଣ୍ଡ୍‌ର ଜଣେ ବୃଦ୍ଧଙ୍କ ନିଆରା କୌଶଳ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଥାଇଲାଣ୍ଡ୍‌ର ଚୋନବୁରି ପ୍ରଦେଶ ଅନ୍ତର୍ଗତ ଫିଚିଟ୍ ନାମକ ଏହି ୬୦ ବର୍ଷୀୟ ବୃଦ୍ଧ ଜଣକ ଅନାହାରରେ ମରିବା ଅପେକ୍ଷା ଚୋରି କରି ଗିରଫ ହେବାକୁ ପ୍ରାଥମିକତା ଦେଇଛନ୍ତି। ଏହି ଅସହାୟ ବୃଦ୍ଧଙ୍କର ଭରଣପୋଷଣ କରିବାକୁ କେହି ଆତ୍ମୀୟ ନଥିବା ବେଳେ ସେ ମଧ୍ୟ ନିଜ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ଅସମର୍ଥ। ତେଣୁ ତାଙ୍କ ମୁଣ୍ଡକୁ ଏହି ଅଭିନବ ଉପାୟ ଜୁଟିଲା। ଦୋକାନରୁ ସର୍ବ ସମକ୍ଷରେ ଚୋରି କରି ଧରାପଡ଼ିଲେ ଶେଷରେ ଗିରଫ ହୋଇ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଆଉ କାରାଗାରରେ ତ ମାଗଣା ଖାଦ୍ୟ ମିଳିଯିବ। ବାସ୍, ଏହି କୌଶଳ ହିଁ ତାଙ୍କୁ ଏକ ଔଷଧ ଦୋକାନରୁ ମାତ୍ର ୪୭ ସେଣ୍ଟ୍ ମୂଲ୍ୟର ଔଷଧ ଚୋରି କରୁଥିବା ବେଳେ ଧରା ପକାଇ ଦେଇଥିଲା।

ଦକ୍ଷିଣ ବ୍ୟାଙ୍କକ୍ ସ୍ଥିତ ଉକ୍ତ ଔଷଧ ଦୋକାନର ନିୟମାନୁସାରେ କୌଣସି ବ୍ୟକ୍ତିଙ୍କ ପାଖରେ ବିନା ରସିଦ୍‌ରେ କୌଣସି ଔଷଧ ଠାବ ହେଲେ, ତାହା ମୂଲ୍ୟର ୩୦ ଗୁଣ ଜରିମାନା ଆକାରରେ ଦେବାକୁ ପଡ଼ିବ, ଅନ୍ୟଥା ଜେଲଦଣ୍ଡ ଭୋଗିବାକୁ ହେବ। ତେବେ ବୃଦ୍ଧ ଔଷଧ ଲୁଚାଳିଙ୍କର ଅବସ୍ଥା ଦେଖି ଉପସ୍ଥିତ ଥିବା ଅନ୍ୟ ଜଣେ ଗରାଖ ଧାର୍ଯ୍ୟ ଜରିମାନା ଭରଣା କରିବାକୁ ଆଗେଇ ଆସିଥିଲେ। ଏପରିକି ଦୋକାନ କର୍ତ୍ତୃପକ୍ଷ ମଧ୍ୟ ସଦୟ ହୋଇ ତାଙ୍କୁ ବିନା ଜରିମାନାରେ ଛାଡ଼ିଦେବାକୁ ମନସ୍ଥ କରିଥିଲେ। ମାତ୍ର ବୃଦ୍ଧ ଜଣକ ମୁକ୍ତ ନହେବା ପାଇଁ ଜିଦ୍ ଧରିଥିଲେ। ଏପରିକି ତାଙ୍କୁ ତାଙ୍କ ଅପରାଧ ପାଇଁ କାରାଗାର ପଠାଇବାକୁ ସେ ବାଧ୍ୟ କରିଥିଲେ। ପରେ ତାଙ୍କର ଏପରି ବାଧ୍ୟବାଧକତାର କାରଣ ବୁଝା ପଡ଼ିଥିଲା। ପୁଲିସ ପହଞ୍ଚି କି ପଦକ୍ଷେପ ନେଲା, ତାହା ଜଣାପଡ଼ିନଥିଲେ ହେଁ ବୃଦ୍ଧଙ୍କର ଏହି କାରନାମା ଥାଇଲାଣ୍ଡ୍‌ର ସଂଖ୍ୟାଧିକ ବ୍ୟକ୍ତି ଭୋଗୁଥିବା ସଂକଟଜନକ ସ୍ଥିତିକୁ ମନେ ପକେଇଦେଇଛି।

ସମ୍ବନ୍ଧିତ ଖବର