ତରଭୁଜ ସରବତ:୨ କପ୍ ମଞ୍ଜି କଢ଼ାହୋଇ ଛୋଟ ଛୋଟ କଟା ହୋଇଥିବା ତରଭୁଜ, ୫/୬ଟି ପୁଦିନା ପତ୍ର, ଦୁଇଚାମଚ ଚିନି, ଅଳ୍ପ କଳାଲୁଣ, ଗୋଟେ ଚାମଚ ଲେମ୍ବୁରସ, ଦୁଇତିନି ଖଣ୍ଡ ବରଫ, ଅଧାକପ୍ ପାଣି ଦେଇ ଭଲରେ ଗ୍ରାଇଣ୍ଡ୍ କରିଦିଅନ୍ତୁ। ତା’ପରେ ମିଶ୍ରଣକୁ ସରୁ ଜାଲିରେ ଛାଣିଦିଅନ୍ତୁ। ଲମ୍ବା କାଚ ଗ୍ଲାସ୍ରେ ଅତି ଛୋଟ ଖଣ୍ଡରେ କଟା ହୋଇଥିବା କିଛି ତରଭୁଜ ଖଣ୍ଡ, ଟୁକୁଡ଼ା ବରଫ, କିଛି ଚାଟ୍ ମସଲା ଦେଇ ଆବଶ୍ୟକ ମୁତାବକ ପାଣି ମିଶାଇ ଗ୍ଲାସ୍ରେ ଢାଳନ୍ତୁ। ଆପଣ ଚାହିଁଲେ ଏହାକୁ ବିନା ଚିନିରେ ମଧ୍ୟ କରିପାରିବେ।
କଞ୍ଚା ଆମ୍ବ ସରବତ: ଗୋଟେିଏ ମଧ୍ୟମ ଆକାରର ଛୋଟ ଛୋଟ କଟା କଞ୍ଚା ଆମ୍ବ, ଦୁଇ ଚାମଚ ଚିନି, ଗୋଟେ ଚା’ ଚାମଚ କଳାଲୁଣ, ୧/୨ଟି କଞ୍ଚାଲଙ୍କା, ଅଧ ଚାମଚ ଭଜା ଜିରାଗୁଣ୍ଡ, କିଛି ପୋଦିନା ବା ଧନିଆ ପତ୍ର, କିଛି ବରଫ ଖଣ୍ଡ ପକାଇ ଗ୍ରାଇଣ୍ଡ୍ କରିନିଅନ୍ତୁ। ମିଶ୍ରଣକୁ ଛାଣି ଦିଅନ୍ତୁ। ଏହିି ଖଦଡ଼ା ଅଂଶକୁ ଚଟଣୀ ବା ଖଟାରେ ବ୍ୟବହାର କରିପାରିବେ। ଚିନି, ଲୁଣ ପରଖି ନିଅନ୍ତୁ। ଗ୍ଲାସରେ ବରଫ ଖଣ୍ଡ ପକେଇ ପରିବେଷଣ କରନ୍ତୁ। ଛୋଟ ପିଲାଙ୍କ ପାଇଁ କରୁଥିଲେ ଲଙ୍କା ପକାଇବେନି। ତୋତାପୁରୀ ଶ୍ରେଣୀୟ ମାଂସଳ ଆମ୍ବରେ ଏହି ସରବତଟି ଭଲ ହୁଏ। ଆମ୍ ପନ୍ନା ପରି ଆମ୍ବକୁ ନ ସିଝେଇ ବି ଚଟାପଟ୍ ଏମିତି ବନେଇପାରିବେ।
ଲେମନ୍ ମିଣ୍ଟ୍ ସରବତ:ଗୋଟେ କାଚ ଗ୍ଲାସ୍ରେ କିଛି ସରୁସରୁ କଟା ଲେମ୍ବୁ ସ୍ଲାଇସ୍, ୩/୪ଟି ପୁଦିନା ପତ୍ର, ଗୋଟେ ବଡ଼ ଚାମଚ ଚିନି ନେଇ କାଠ ଚାମଚରେ ଛେଚିଲା ପରି କ୍ରସ୍ କରନ୍ତୁ, ଯେପରି ଲେମ୍ବୁ ଓ ପୋଦିନାର ସ୍ବାଦ ଓ ବାସ୍ନା ଭଲରେ ଆସିବ। କେହି କେହି ‘ପୋଲୋ’ ଚକୋଲେଟ୍କୁ ସର୍ବତ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ଏଥର ଗ୍ଲାସ୍ରେ ଦୁଇତିନି ଖଣ୍ଡ ବରଫ ଦିଅନ୍ତୁ ଏବଂ ଏହା ଉପରେ ବଜାରରେ ମିଳୁଥିବା ସାଦା ସୋଡ଼ା ବା ସ୍ପ୍ରାଇଟ୍ ଢାଳି ଉପରେ ପୋଦିନା ପତ୍ର ପକାଇ ପରିବେଷଣ କରନ୍ତୁ ‘ଭର୍ଜିନ୍ ମୋହିତୋ’।
ଗୁଡ଼ ପଣା:ଭଲ ଗୁଡ଼ ଦୁଇତିନି ବଡ଼ ଚାମଚ, ତିନି ଚାରିଟି ପୋଦିନା ପତ୍ର, ଅଳ୍ପ କଳାଲୁଣ, ଗୋଟେ ଚାମଚ ଲେମ୍ବୁରସ, କିଛି ଟୁକୁରା ବରଫ ମିଶେଇ ଗ୍ରାଇଣ୍ଡ୍ କରନ୍ତୁ। ଏଥରେ ଥଣ୍ଡା ପାଣି ମିଶେଇ ଗ୍ଲାସ୍ରେ ପରିବେଷଣ କରନ୍ତୁ ଗୁଡ଼ ପଣା। ଆଗ କାଳରେ ଖରାରେ ବାହାରୁ ଘରକୁ ଫେରିଲେ ଗୁଡ଼ଟେଳା ସହ ପାଣିଗ୍ଲାସେ ଦିଆଯାଉଥିଲା ଖରା ତାତିରୁ ଉପଶମ ପାଇବା ପାଇଁ।
ମସଲା ଦହି ସରବତ: ଚାରି ଚାମଚ ବସା ଦହି, ଗୋଟେ କଞ୍ଚାଲଙ୍କା, ଟୁକୁରାଏ ଅଦା, ଦୁଇତିନିଟି ପୋଦିନା ପତ୍ର ଓ ଧନିଆ ପତ୍ର, ଛୋଟ ଚା’ ଚାମଚ ଚାଟ୍ ମସଲା, ଛୋଟ ଚା’ ଚାମଚ ଭଜା ଜିରାଗୁଣ୍ଡ, ସ୍ବାଦ ଅନୁଯାୟୀ ଲୁଣ/ କଳାଲୁଣ, କିଛି ବରଫ ଖଣ୍ଡ ମିଶାଇ ଗ୍ରାଇଣ୍ଡ୍ କରନ୍ତୁ। ଥଣ୍ଡା ପାଣି ମିଶେଇ ଗ୍ଲାସ୍ରେ ଢାଳି ପରିବେଷଣ କରନ୍ତୁ। ଏହି ମସଲା ସର୍ବତ୍ ପିଇଲେ ଗରମରୁ ମୁକ୍ତି ମିଳିବା ସହିତ ଭୋକ ମଧ୍ୟ ନିୟନ୍ତ୍ରଣ ହୁଏ।
ଛତୁଆ ପଣା:ଭଲ ବୁଟ ଛତୁଆ ଦୁଇ ବଡ଼ ଚାମଚ, ଅଳ୍ପ ଧନିଆପତ୍ର ଓ ପୋଦିନା ପତ୍ର କଟା, ଗୋଟେ ଚାମଚ ଲେମ୍ବୁରସ, ଅଳ୍ପ ଲଙ୍କାଗୁଣ୍ଡ/ କଞ୍ଚାଲଙ୍କା/ ଗୋଲମରିଚ ଗୁଣ୍ଡ, ଅଧା ଚା’ ଚାମଚ ଜିରାଗୁଣ୍ଡ, ଟିକେ କଳାଲୁଣ ସବୁ ମିଶେଇ କାଚଗ୍ଲାସ୍ରେ ରଖି ଏକ କାଠ ଚାମଚରେ କ୍ରସ୍ କରିଦିଅନ୍ତୁ। ତା’ପରେ ସେଥିରେ ପାଣି ମିଶାନ୍ତୁ। ଚାହିଁଲେ ପାଣିଆ ବା ବହଳିଆ ପଣା କରିପାରିବେ। ଉଭୟ ଭୋକ ଓ ଶୋଷ ମେଣ୍ଟାଇବା ପାଇଁ ଏହି ପଣା ଏକ ଉପଯୁକ୍ତ ବିକଳ୍ପ। ସର୍ବତ୍ ପରିବେଷଣ କରିବା ପାଇଁ ଆପଣ ଚାହିଁଲେ ଦୁଇତିନି ଚାମଚ ଗୁଣ୍ଡ ଚିନି, ଅଳ୍ପ ଲୁଣ, କିଛି ଲଙ୍କାଗୁଣ୍ଡ ମିଶେଇକି ଗୋଟେ ଚଟକା ପ୍ଲେଟ୍ରେ ରଖି ସର୍ବତ୍ ଢାଳିବା ପୂର୍ବରୁ ଗ୍ଲାସ୍ର ଅଗ୍ରଭାଗକୁ ସେଥିରେ ବୁଡ଼େଇ ଦିଅନ୍ତୁ। ପରେ ସର୍ବତ୍ ଢାଳନ୍ତୁ, ଦେଖିବାକୁ ଭଲ ଲାଗିବ। ବଜାରରେ ମିଳୁଥିବା ସୁନ୍ଦର ସୁନ୍ଦର ଷ୍ଟ୍ର’ ଓ ସରୁ କଟା ଲେମ୍ବୁ ସ୍ଲାଇସ୍ରେ ଗ୍ଲାସ୍କୁ ସଜେଇ ସରବତ ପରଷିଲେ ଅତିଥି ଖୁସିହେବେ।