ଡେଲିଭରି ବଏ ଏମିତି ବଞ୍ଚାଇଲେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ: ଘରେ ବସି ଖାଦ୍ୟ ଅର୍ଡର କରିବା ପରେ ଆମର ନଜର ସିଧା ଘଣ୍ଟା ଉପରେ ପଡ଼ିଥାଏ କି କେତେବେଳେ ଡେଲିଭରୀ ବଏ ଖାଇବା ନେଇ ଘରେ ପହଞ୍ଚିବ। ଅନେକ ଥର ତ ଡେଲିଭରୀ ବଏ ଖାଦ୍ୟ ପହଞ୍ଚାଇବାରେ କିଛି ସମୟ ବିଳମ୍ବ ଦେଲେ ଆମେ ସେମାନଙ୍କ ଉପରେ ବିରକ୍ତ ହୋଇଥାଉ। କିନ୍ତୁ ସେଭଳି ପରିସ୍ଥିତିରେ ଆମେ ବିରକ୍ତ ନ ହୋଇ ବୁଝିବା ଦରକାର କି ଡେଲିଭରି ବଏ କାହିଁକି ଏତେ ବିଳମ୍ବରେ ଆସିଛି । ତେବେ ଏଭଳି ଜଣେ ଡେଲିଭରି ବଏ ନିଜ ବାହାଦୁରି ପାଇଁ ଏବେ ଚୀନର ସୋସିଆଲ ମିଡିଆରେ ହିରୋ ବନି ଯାଇଛନ୍ତି।

ପ୍ରକାଶିତ ଖବର ମୁତାବକ, ଏହି ଘଟଣାଟି ଜୁନ୍‌ ୪ ତାରିଖର। ଏକ ଆମ୍ବୁଲାନ୍ସ ଗୁରୁତର ଆହତ ବ୍ୟକ୍ତିଙ୍କୁ ନେଇ ହସ୍‌ପିଟାଲ ଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଭୁଲ ରାସ୍ତାରେ ଫସି ଯାଇଥିଲା। ଆମ୍ବୁଲାନ୍ସର ଜିପିଏସ୍‌ ବି କାମ କରୁ ନଥିଲା। ଆମ୍ବୁଲାନ୍ସ ଚାଳକ ଶେଷରେ ଗାଡ଼ି ଅଟକାଇ ଡେଲିଭରି ବଏକୁ ରାସ୍ତା ପଚାରିଥିଲେ। ଡେଲିଭରି ବଏ ପ୍ରଥମେ ଆମ୍ବୁଲାନ୍ସ ଚାଳକଙ୍କୁ ରାସ୍ତା ବତାଇଥିଲା, ପୁଣି ଭାବିଲେ ଯଦି ଆମ୍ବୁଲାନ୍ସ ଚାଳକ ରାସ୍ତା ନପାଆନ୍ତି ତେବେ ସେ ଯେଉଁ ଗୁରୁତର ଆହତଙ୍କୁ ନେଇ ଯାଉଛନ୍ତି ତାଙ୍କ ଜୀବନ ବିପଦରେ ପଡ଼ି ପାରେ। ତେଣୁ ସେ ଆମ୍ବୁଲାନ୍ସ ଚାଳକଙ୍କୁ ତାଙ୍କ ବାଇକ ପଛେପଛେ ଆସିବା ପାଇଁ କହିଥିଲେ। ଆମ୍ବୁଲାନ୍ସ ଡେଲିଭରି ବଏର ଗାଡି ପଛେପଛେ ଆସି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇଥିଲା।

ଏହି ଡେଲିଭରି ବଏଙ୍କ ନାମ ଲୁ ହୁଚେଙ୍ଗ। ଯଦି ଆମ୍ବୁଲାନ୍ସକୁ ସେ ଠିକ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଁଞ୍ଚାଇ ନଥାଆନ୍ତେ ତେବେ ଆମ୍ବୁଲାନ୍ସରେ ଯାଉଥିବା ଗୁରୁତର ଆହତଙ୍କ ଜୀବନ ଚାଲିଯିବାର ଅନେକ ସମ୍ଭାବନା ଥିଲା। ଏହି ଘଟଣାକୁ ନେଇ ହୁଚେଙ୍ଗଙ୍କୁ ପ୍ରଶଂସାର ସୁଅ ଛୁଟି ଆସୁଛି।

ସମ୍ବନ୍ଧିତ ଖବର