ରାତାରାତି ଷ୍ଟାର ପାଲଟିଲେ ଜୋମାଟୋର ଡେଲିଭରୀ ବଏ, ଭାଇରାଲ ହେଲା ସେ ଗାଇଥିବା ଗୀତ ‘ଗୋରି ତେରା ଗାଓଁ ବଡ଼ା ପ୍ୟାରା’ର ଭିଡିଓ

ନୂଆଦିଲ୍ଲୀ : ପୂର୍ବରୁ ଜଣଙ୍କ ମଧ୍ୟରେ ଥିବା ନିଖୁଣ କଳା ଲୋକଲୋଚନକୁ ଆସିବା ପାଇଁ ଅନେକ ସମୟ ଲାଗୁଥିଲା । କିନ୍ତୁ ଆଜି କାଲି ସୋସିଆଲ ମିଡିଆର ସୁବିଧା ପାଇଁ ରାତାରାତି ଜଣେ ଷ୍ଟାର ପାଲଟି ଯାଉଛି । ପୂର୍ବରୁ ପଶ୍ଚିମବଙ୍ଗର ଏକ ରେଳ ଷ୍ଟେସନରେ ବସି ରାନୁ ନାମକ ଜଣେ ମହିଳା ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ତାଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କୁ ଅଫର ଉପରେ ଅଫର ମିଳିବାରେ ଲାଗିଛି । ଏବେ ସେଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଜୋମାଟୋର ଜଣେ ଡେଲିଭରୀ ବଏ ନିଜ ଭିତରେ ଥିବା ଗାଇବାର କଳାକୁ ବାହାରକୁ ଆଣି ଏବେ ଲୋକପ୍ରିୟ ହୋଇଛନ୍ତି । ଫେସ୍‌ବୁକ୍‌ରେ ଏବେ ଡେଲିଭରୀ ବଏ ପ୍ରଣଜିତ୍‌ ହଲୋଇଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଗୌହାଟୀରେ ରହୁଥିବା ଅର୍ନିବାନ ଚକ୍ରବର୍ତ୍ତି ଜୋମାଟୋରୁ ଖାଇବା ଅର୍ଡର କରିବା ସମୟରେ ଡେଲିଭରୀ ବଏ ପ୍ରଣଜିତ୍‌ଙ୍କ ପ୍ରୋଫାଇଲରେ ସେ ଜଣେ କଣ୍ଠଶିଳ୍ପୀ ହେବାର ଇଚ୍ଛା ରଖିଥିବା ଲେଖା ଯାଇଥିବା ଦେଖିଥିଲେ । ଯେତେବେଳେ ପ୍ରଣଜିତ୍‌ ଖାଇବା ନେଇ ପହଞ୍ଚିଥିଲେ ଅର୍ନିବାନ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ଯାହା ପରେ ପ୍ରଣଜିତ୍‌ ୧୯୭୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚିତ୍‌ଚୋର’ର ‘ଗୋରି ତେରା ଗାଓଁ ବଡ଼ା ପ୍ୟାରା’ ଗୀତ ଗାଇଥିଲେ । ଅର୍ନିବାନ ତୁରନ୍ତ ଏହାକୁ ରେକର୍ଡ କରି ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥିଲେ । ଅପ୍‌ଲୋଡ୍‌ ପରେ ଭିଡିଓକୁ ୮,୪୫୭ ଜଣ ସେୟାର କରିଥିବା ବେଳେ ୧୦ହଜାର ଲୋକ ଦେଖି ସାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର