ନୂ୍ଆଦିଲ୍ଲୀ : କରୋନାଭୂତାଣୁର ଡେଲ୍ଟା ପ୍ରଜାତି ଯୋଗୁଁ ବିଶ୍ବବ୍ୟାପୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ ବଢ଼ିବା ସହ କରୋନା ମୃତ୍ୟୁ କମିଥିବାରୁ ୟୁରୋପ୍ ଏବଂ ଦକ୍ଷିଣ ଆମେରିକାରେ ଅନେକ ରାଷ୍ଟ୍ର କୋଭିଡ୍ କଟକଣା କୋହଳ କରିଛନ୍ତି। କିନ୍ତୁ ଡେଲ୍ଟା ଯୋଗୁଁ କିଛି ରାଷ୍ଟ୍ରରେ ଭୟଙ୍କର ଭାବେ ସଂକ୍ରମଣ ବଢ଼ିଛି। ୫ଟି ରାଷ୍ଟ୍ରରେ ଡେଲ୍ଟା ସଂକ୍ରମଣ ବୃଦ୍ଧିର ପ୍ରମୁଖ କାରଣ ହୋଇଛି। ଆମେରିକାରେ ୫୭ ପ୍ରତିଶତ ଲୋକ ଗୋଟିଏ ଡୋଜ୍ ଟିକା ନେଇଥିଲେ ସୁଦ୍ଧା ଆମେରିକାରେ ଡେଲ୍ଟା ପାଇଁ ସଂକ୍ରମଣ ବୃଦ୍ଧି ହୋଇଛି। ଆାମେରିକା ଏବେ ଦୈନିକ ସଂକ୍ରମଣ ମାମଲାରେ ଭାରତକୁ ଟପିଯାଇଛି। ଗତ ୨ ସପ୍ତାହ ମଧ୍ୟରେ ଆମେରିକାରେ ଯେଉଁ ନମୁନା ସିକ୍ବେନ୍ସ କରାଯାଇଛି ସେଥିରେ ୯୦ ପ୍ରତିଶତରୁ ଅଧିକ ମାମଲା ଡେଲ୍ଟା ପ୍ରଜାତି ଥିବା ଜଣାପଡ଼ିଛି। ବ୍ରିଟେନ୍ରେ ଟିକାକରଣ ହାର ଅଧିକ ଥିଲେ ମଧ୍ୟ ଏଠାରେ ପରୀକ୍ଷଣ ହୋଇଥିବା ପ୍ରାୟ ସମସ୍ତ ନମୁନାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହୋଇଛି। ସେହିପରି କମ୍ ଟିକାକରଣ ହାର ଥିବା ରାଷ୍ଟ୍ରରେ ବି ଡେଲ୍ଟା ମାଡ଼ି ଚାଲିଛି।
ଇଣ୍ଡୋନେସିଆରେ ଡେଲ୍ଟା ଆତଙ୍କ, ୟୁରୋପ୍ରେ ପ୍ରମୁଖ ପ୍ରଜାତି
ଇଣ୍ଡୋନେସିଆରେ ଜୁନ୍ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ମାମଲା ୫ ହଜାର ରହୁଥିଲା କିନ୍ତୁ ଜୁଲାଇ ମଧ୍ୟଭାଗରେ ଇଣ୍ଡୋନେସିଆରେ ଦୈନିକ ସଂକ୍ରମଣ ୫୦ ହଜାରକୁ ବୃଦ୍ଧି ପାଇଥିଲା। ମେ’ ମଧ୍ୟଭାଗରେ ଇଣ୍ଡୋନେସିଆରେ ସିକ୍ସେନ୍ସ କରାଯାଇଥିବା ନମୁନାରୁ ୧୪ ପ୍ରତିଶତ ମାମଲା ଡେଲ୍ଟା ପ୍ରଜାତି ଥିବା ଜଣାପଡ଼ିଥିଲା କିନ୍ତୁ ଏବେ ଏହା ୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁନ୍ ପରଠାରୁ ଇଣ୍ଡୋନେସିଆ କୋଭିଡ୍ ମୃତ୍ୟୁରେ ୧୦ ଗୁଣା ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ଭାରତରେ ଦ୍ବିତୀୟ ଲହର ପାଇଁ ଡେଲ୍ଟା ମୁଖ୍ୟତଃ ଦାୟୀ। ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା ଡେଲ୍ଟା ଏବେ ୧୩୨ ରାଷ୍ଟ୍ରରେ ପହଞ୍ଚି ସାରିଛି। କିଛି ୟୁରୋପୀୟ ରାଷ୍ଟ୍ରରେ ଏହା ପ୍ରମୁଖ ପ୍ରଜାତିରେ ପରିଣତ ହୋଇସାରିଛି ବୋଲି ନିକଟରେ ‘ହୁ’ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ଦ୍ବିତୀୟ ଲହର ସଂକ୍ରମଣ ଦୁର୍ବଳ ହୋଇଥିଲେ ସୁଦ୍ଧା ପ୍ରାୟ ଅଧିକାଂଶ ନମୁନାରେ ଡେଲ୍ଟା ପ୍ରଜାତି ଚିହ୍ନଟ ହେଉଛି। ତେବେ ବ୍ରାଜିଲ୍କୁ ଡେଲ୍ଟା ପ୍ରଭାବିତ କରିପାରିନି। ବ୍ରାଜିଲ୍ରେ ଡେଲ୍ଟା ପରିବର୍ତ୍ତେ ଅଧିକାଂଶ ମାମଲାରେ ଗାମ୍ମା ଚିହ୍ନଟ ହୋଇଛି। କିନ୍ତୁ ଜୁନ୍ ମଧ୍ୟଭାଗ ପରଠାରୁ ବ୍ରାଜିଲ୍ରେ ଡେଲ୍ଟା ପାଇଁ ସଂକ୍ରମଣ ବୃଦ୍ଧି ହୋଇଛି।
ଟିକାର ପ୍ରଭାବ କମୁଛି
ଡେଲ୍ଟା ଯୋଗୁଁ ଟିକାର ପ୍ରଭାବ କମିଯାଉଛି ବୋଲି କିଛି ଅଧ୍ୟୟନରେ କୁହାଯାଇଥିଲେ ସୁଦ୍ଧା ଅଧିକ ଟିକାକରଣ ହାର ଥିବା ରାଷ୍ଟ୍ରରେ କମ୍ କରୋନା ମୃତ୍ୟୁ ହେଉଛି ଏବଂ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ମଧ୍ୟ କମୁଛି। ନିକଟରେ (ହୁ) ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଥିଲେ ଟିକା ଯେକୌଣସି ପ୍ରକାର ନୂଆ ପ୍ରଜାତିକୁ ମକୁାବିଲା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଗତ ୨ ସପ୍ତାହରେ ଇଣ୍ଡୋନେସିଆରେ ସିକ୍ବେନ୍ସ ହୋଇଥିବା ୯୪ ପ୍ରତିଶତରୁ ଅଧିକ ନମୁନାରେ ଡେଲ୍ଟା ଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଭାରତରେ ଗତ ୨ ସପ୍ତାହରେ ସିକ୍ବେନ୍ସ ହୋଇଥିବା ପ୍ରାୟ୯୧.୮ ପ୍ରତିଶତ ନମୁନାରେ ଡେଲ୍ଟା ବୋଲି ଜଣାପଡ଼ିଛି। ବ୍ରାଜିଲ୍ରେ ଏହା ମାତ୍ର ୨୨.୬ ପ୍ରତିଶତ। ସେହିପରି ଆମେରିକାରେ ଗତ ୨ ସପ୍ତାହରେ ସିକ୍ବେନ୍ସ କରାଯାଇଥିବା ନମୁନାରେ ୯୧.୫ ପ୍ରତିଶତ ଡେଲ୍ଟା ଏବଂ ବ୍ରିଟେନ୍ରେ ୯୯.୯ ପ୍ରତିଶତ ମାମଲା ଡେଲ୍ଟା ବୋଲି ଜଣାପଡ଼ିଛି। ଆମେରିକାରେ ଏବେ ଦୈନିକ ହାରାହାରି ସଂକ୍ରମଣ ମାମଲା ୫୭,୩୦୧ ଥିବାବେଳେ ମୃତ୍ୟୁ ୨୭୨। ବ୍ରିଟେନ୍ରେ ହାରାହାରି ଦୈନିକ ସଂକ୍ରମଣ ୩୬,୦୫୫ ଏବଂ ମୃତ୍ୟୁ ୬୫। ଇଣ୍ଡୋନେସିଆରେ ହାରାହାରି ଦୈନିକ ସଂକ୍ରମଣ ମାମଲା ୪୦,୪୨୯ ଏବଂ ମୃତ୍ୟୁ ୧୪୦୭।
ଅଧିକ ମୃତ୍ୟୁର କାରଣ ପାଲଟିଛି ଡେଲ୍ଟା
ଇଣ୍ଡୋନେସିଆରେ ଏବେ ବିଶ୍ବର ସର୍ବାଧିକ କରୋନା ମୃତ୍ୟୁ ରେକର୍ଡ କରାଯାଉଛି। ଅନ୍ୟପକ୍ଷେ ଭାରତରେ ଦୈନିକ ହାରାହାରି ସଂକ୍ରମଣ ମାମଲା ୩୮,୦୯୦ ଏବଂ ମୃତ୍ୟୁ ୯୮୬ ଥିବାବେଳେ ବ୍ରାଜିଲ୍ରେ ଦୈନିକ ହାରାହାରି ସଂକ୍ରମଣ ମାମଲା ୪୫,୧୧୭ ଏବଂ ଦୈନିକ ହାରାହାରି କରୋନା ମୃତ୍ୟୁ ୧୧୦୭ ରହୁଛି। ଇଣ୍ଡୋନେସିଆରେ ଜୁଲାଇ ମାସର ପ୍ରଥମ ଭାଗରେ ୧୧୪ଜଣ ଡାକ୍ତରଙ୍କ କୋଭିଡ୍ଜନିତ ମୃତ୍ୟ ହୋଇଥିବା ବେଳେ ବିଶେଷଜ୍ଞ ମାନେ ଏହାର କାରଣ ଡେଲ୍ଟା ପ୍ରଜାତି ବୋଲି ଦର୍ଶାଇଛନ୍ତି। ‘ୱାସିଂଟନ ପୋଷ୍ଟ’ରେ କୁହାଯାଇଛି ଯେ ଏହା ଯୋଗୁଁ ହସ୍ପିଟାଲ ବେଡ୍ ଏବଂ ଅକ୍ସିଜେନର ଆବଶ୍ୟକତାରେ ବୃଦ୍ଧି ଘଟିଛି। ଥାଇଲାଣ୍ଡ, ଭିଏତନାମା ଏବଂ ମାଲେସିଆ ପରି ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବାରୁ ଡେଲ୍ଟା ପ୍ରଜାତି ଚିନ୍ତାଜନକ ବିଷୟ ପାଲଟିଛି।